ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ସଂକ୍ରମଣ ଗଜପତି ଜିଲ୍ଲାରେ ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଛି । କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦେଶବ୍ୟାପୀ ଦିନକୁ ଦିନ ଉଗ୍ରରୂପ ଧାରଣ କରି ଚାଲିଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି ।
ଗତ କିଛିଦିନ ହେଲା ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣର ସଂଖ୍ୟା ୪୦ ରୁ ଉପରକୁ ରହି ଏହା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଏବେ ପୁଣି ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକ ଓ ଅନ୍ୟ ସମ୍ପର୍କୀୟ ମାନଙ୍କ ଘରବାହୁଡା ଆରମ୍ଭ ହୋଇଯାଇଛି ।
ଏମାନେ ମୁଖ୍ୟତଃ ଗଜପତି ଜିଲ୍ଲାର ମୁଖ୍ୟ ସୀମାନ୍ତ ପ୍ରବେଶ ପଥ ତଥା ଓଡିଶା-ଆନ୍ଧ୍ର ସୀମାନ୍ତ ପଥରେ ଥିବା ନାକା ଗେଟ ଦେଇ ଆସୁଛନ୍ତି ।
ଅନ୍ୟପକ୍ଷରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇ ସ୍ଥିତି କ୍ରମଶଃ ଉଗ୍ରରୂପ ନେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଫଳରେ ଅନ୍ୟରାଜ୍ୟକୁ କାମଧନ୍ଦା ଉଦ୍ଦେଶରେ ଯାଇଥିବା ଓ ନିଜ ସମ୍ପର୍କୀୟ ଘରକୁ ଯାଇଥିବା ପ୍ରବାସୀ ଶ୍ରମିକ ଓ ଲୋକେ ବର୍ତ୍ତମାନ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ।
ଦୈନିକ ଶତାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓ ସମ୍ପର୍କୀୟ ଲୋକେ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟଞ୍ଚଳରୁ ଆସି ଗଜପତି ଜିଲ୍ଲା ସୀମାନ୍ତରେ ଥିବା ମୁଖ୍ୟ ପ୍ରବେଶ ପଥ ପୁରୁଣାପାଟଣା ନାକା-ଗେଟ ଦେଇ ପ୍ରବେଶ କରୁଛନ୍ତି ।
ଗଜପତି ଜିଲ୍ଲା ସଦର-ମହକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୩ କିମି: ଦୁରତାର ସୀମାନ୍ତରେ ଥିବା ମହେନ୍ଦ୍ର ତନୟା ନଦୀ ପୋଲ ନିକଟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଖୋଲା ଯାଇଥିବା ନାକା ଗେଟ ଦେଇ ପ୍ରବେଶ କରୁଛନ୍ତି।
ଏହି ନାକାଗେଟ ଦେଇ ପ୍ରବେଶ କରୁଥିବା ପ୍ରବାସୀ ଶ୍ରମିକ ଓ ଅନ୍ୟ ମାନଙ୍କ ନାମ ପଞ୍ଜିକରଣ ସମେତ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ଓ ସେମାନଙ୍କ ଥର୍ମାଲ-ପଲସ ରେଟ ଟେଷ୍ଟ କରାଯାଉଛି । ଅନ୍ୟରାଜ୍ୟରୁ ଆସିଥିବା ପ୍ରବାସୀ କି ଅନ୍ୟ ଯେ କେହି ହେଉ ସେମାନଙ୍କ ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର: ଟେଷ୍ଟ ରିପୋର୍ଟ କିମ୍ବା ୨ ଥର କୋଭିଡ୍ ଟୀକା ନେଇଥିବା ରିପୋର୍ଟ ମଗାଯାଉଛି , ସମସ୍ତ ଯାଞ୍ଚ ପରେ ସବୁ ଠିକ ଥିଲେ ହିଁ ଜିଲ୍ଲାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି ।
ସେଠାରେ ମେଡିକାଲ ଟିମ୍ ଦ୍ୱାରା କୋଭିଡ୍ ସଂକ୍ରମଣ କେଶ ଚିହ୍ନଟ ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଯାଉଛି । ପରୀକ୍ଷା ରିପୋଟ ଯାହାର ନେଗେଟିଭ ବାହାରୁଛି , ତାକୁ ଘରକୁ ଏବଂ ଯାହାର ପୋଜିଟିଭ ବାହାରୁଛି ତାକୁ କୋଭିଡ୍ କେୟାର ସେଣ୍ଟର ନଚେତ ହୋମ କରେଣ୍ଟାଇନକୁ ପଠାଯାଇ ସଂଗରୋଧରେ ରହି କାହା ସହିତ ନ ମିଶିବାକୁ ପରାମର୍ଶ ଦିଆଯାଉଛି ।
ବର୍ତ୍ତମାନ କରୋନାର ସଂକଟମୟ ପରିସ୍ଥିତି ସମୟରେ ଦେଶବ୍ୟାପୀ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସଟଡାଉନ ଓ ନାଇଟ-କର୍ଫ୍ୟୁ ପ୍ରଭୃତି ଲାଗି ରହିଥିବା ଯୋଗୁଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ପନ୍ଥାର କାମଧନ୍ଦା ସବୁ ବନ୍ଦ ହୋଇ ଯାଇଥିବା ଯୋଗୁଁ ପ୍ରବାସୀ ଶ୍ରମିକ ଓ ଅନ୍ୟମାନେ ନିଜ ଘରକୁ ଫେରିବାରେ ଲାଗିଛନ୍ତି ।
ଗତ ୧୨ ତାରିଖ ଠାରୁ ଜିଲ୍ଲାର ୫ ଟି ପ୍ରବେଶ ପଥରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସିଲ କରି ନାକା ଲଗାଯାଇଛି । ସେଠାରେ ସ୍ୱାସ୍ଥ୍ୟ ଦଳ , ଶିକ୍ଷକ , ଓ ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି ।
ପୁରୁଣାପାଟଣା ନାକା ଗେଟ ଠାରେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ଅଚ୍ୟୁତା ନନ୍ଦ ଯାନୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ନିୟମିତ ଓ ପ୍ରତ୍ୟକ୍ଷ ଭାବେ ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଓ ରାପିଡ଼ ଆଣ୍ଟିଜେନ କୋଭିଡ ଟେଷ୍ଟିଙ୍ଗ ଡାଃ ସୁଲୋଚନା ପଣ୍ଡା ଓ ଡାଃ ପି:ଜି: ପାର୍ଶ୍ଵଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଏବଂ ନାକା ପ୍ରବେଶ ପଥରେ ପ୍ରବେଶ ଲୋକଙ୍କ ପଞ୍ଜିକରଣ କାର୍ଯ୍ୟରେ ନୋଡାଲ ଅଧିକାରୀ ଶ୍ରୀ ଏନ୍ : ଈଶ୍ୱର ଏବଂ ସହଯୋଗୀ ଶିକ୍ଷକ ଶ୍ରୀ ଲିଙ୍ଗରାଜ ସାହୁଙ୍କ ସମେତ ପୋଲିସ ବାହିନୀ କାର୍ଯ୍ୟ ତୁଲାଉଛନ୍ତି ।