ହେଡଲାଇନସ୍:

   ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦ୍ଵିତୀୟ  ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ 

05-06-18-BARIPADA.jpg - 104.19 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଦେବୋତ୍ତର ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ  ଶ୍ରୀକ୍ଷେତ୍ର ବାରିପଦା ପବିତ୍ର ରଥଯାତ୍ରା ପାଳନ ଉପଲକ୍ଷେ ରଥଯାତ୍ରା ସମନ୍ନୟ କମିଟିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମରେ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ତାଙ୍କ ସ୍ୱାଗତ ଭାଷଣ ସହିତ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା-୨୦୧୮ ପାଳନ ସମ୍ପର୍କୀତ ପ୍ରସ୍ତୁତି କାର୍ଯ୍ୟସୂଚୀ ଉପସ୍ଥାପନ କରାଇଥିଲେ । ଉକ୍ତ କାର୍ଯ୍ୟସୂଚୀ ଉପରେ ସବିଶେଷ ଆଲୋଚନା କରାଯାଇ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ସହିତ ଦେବୋତ୍ତର ସେବାୟତ ମଧ୍ୟରେ ସମନ୍ୱୟ ରକ୍ଷାକରି ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା  ମଧ୍ୟରେ ସମ୍ପାଦନ ପୂର୍ବକ ସୁପରିଚାଳନା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏଥି ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ସହିତ ଦେବୀ ସୁଭଦ୍ରାଙ୍କ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ନିର୍ମାଣ ଓ ବାରିପଦା ଦେବୋତ୍ତର ଅଧୀନରେ ନିର୍ମାଣ କରାଯାଉଥିବା ଅନ୍ୟାନ୍ୟ ରଥ ନିମନ୍ତେ ଆବଶ୍ୟକ ହେଉଥିବା ୧୨୦୦ ସିଫଟ କାଠ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କୁ ଯଥାଶୀଘ୍ର ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବା ଓ ଉକ୍ତ କାର୍ଯ୍ୟକୁ ନିୟମିତ ଭାବେ ତଦାରଖ କରି ଫିଟନେସ୍ ସାର୍ଟିଫିକେଟ ପ୍ରଦାନ କରିବାକୁ ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା । ୨୦୧୯ରେ ବାରିପଦା ଦେବୋତ୍ତର ଦେବୋତ୍ତର ଅଧୀନସ୍ଥ ସମସ୍ତ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା କାଠ ଯୋଗାଇଦେବା, କାଠର ସଠିକ୍ ବ୍ୟବହାର ସହିତ ଏହାକୁ ଉପଯୁକ୍ତ ଯତ୍ନର ସହିତ ସାଇତି ରଖିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଆଦି ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ରଥଯାତ୍ରା ସମୟରେ ବଡ଼ଦାଣ୍ଡ ସହିତ ସହରର ବିଭିନ୍ନସ୍ଥାନମାନଙ୍କରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା ସହିତ  ଅପରାଧ ଓ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକୀୟ ପୁଲିସର ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ହୋଟେଲ ଓ ଜଳଖିଆ ଦୋକାନ ଆଦିରେ ଖାଦ୍ୟସାମଗ୍ରୀର ମାନକୁ ଯାଞ୍ଚ, ପରିମଳ ଓ ପାନୀୟଜଳ ଯୋଗାଣ ବ୍ୟବସ୍ଥା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଉଠାଦୋକାନୀମାନଙ୍କ ନିମନ୍ତେ ସ୍ଥାନ ଚିହ୍ନଟ ଆଦି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ପରିଚାଳନା କରାଯିବା ସହିତ ଉଠାଦୋକାନୀମାନଙ୍କ ନିକଟରୁ ଆଦାୟ ହେଉଥିବା ଅର୍ଥରୁ ୫୦ପ୍ରତିଶତ ଦେବୋତ୍ତର ବିଭାଗକୁ ପ୍ରଦାନ କରାଯିବାର ନିଷ୍ପତ୍ତି ଗୃହୀତ ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପଜିଲ୍ଲାପାଳ ସହମ୍ମଦ ଅବଦ୍ଧୁଲ ଅଖତାର, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ, ଅଧିକାରୀ, ରଥ ମହାପତ୍ର, ସେବାୟତ, ପୂଜାପଣ୍ଡା, ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

 

0
0
0
s2sdefault