ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ବିଶ୍ୱ ହାତଧୁଆ " ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ସଚେତନତା କାର୍ଯ୍ୟମାନ ଅନୁଷ୍ଠିତ ହୋଇଯାଇଛି ।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ଲୋକଙ୍କୁ ହାତଧୁଆ ଉପରେ ଭାରତ ସ୍କାଉଟ ଓ ଗାଇଡ଼ ଗଜପତି ଜିଲ୍ଲା ୟୁନିଟ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇ ହାତଧୁଆର ବିଭିନ୍ନ ଉପାଦେୟତା ଉପରେ ବୁଝାଇ କହିଥିଲେ ଯେ , କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆମକୁ ପ୍ରତି ମୁହୂର୍ତ୍ତରେ ହାତ ଧୋଇବା ଆବଶ୍ୟକ । ଏହା ଦ୍ବାରା ହାତରେ ଲାଗିଥିବା ଜୀବାଣୁ ଧୋଇ ହୋଇ ନଷ୍ଟ ହେବା ଓ ଆମ ଦେହକୁ ତାହା ପ୍ରବେଶ ନ କରିପାରିବା ସହ ଆମକୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା ମିଳିଥାଏ ବୋଲି କହିଥିଲେ । ସ୍କାଉଟ ଓ ଗାଇଡ଼ର ସଞ୍ଜୟ ପାତ୍ର ହାତ କିଭଳି ସାବୁନରେ ଧୋଇବାକୁ ହେବ , ତାହା'ଉପାୟ ଶୈଳୀ ପ୍ରଦର୍ଶନ କରି ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପାଢୀ , ବଡବାବୁ ଲକ୍ଷ୍ମଣ ପାଇକ , କ୍ରୀଡା ଶିକ୍ଷକ ଏମ: ଲକ୍ଷ୍ମଣ ରାଓ , ପାରଦେଶମ କନସୁ , ଶୁଲତା ଶୁଭଦର୍ଶନୀ ମିଶ୍ର , କିଶୋର ଦାସ , ବି.ଆନନ୍ଦ ରାଓ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ସେହିଭଳି ବ୍ରାହ୍ମଣ ସୀତାପୁର ଗ୍ରାମରେ ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳି ପଣ୍ଡା ଗ୍ରାମବାସୀଙ୍କ ହାତଧୁଆର ଗୁରୁତ୍ୱ ଓ ଆବଶ୍ୟକତା ଏବଂ ସୁସ୍ଥ ଜୀବନ ଯାପନ କରାଇବା ଦିଗରେ ଏହା କିଭଳି କରୋନା ମୁକ୍ତ ଓ ନିରୋଗ କରିବାରେ ସହାୟକ ହୋଇଥାଏ , ତାହା ବୁଝାଇ ହାତଧୁଆ ଶୈଳୀ ପ୍ରଦର୍ଶନ କରିଥିଲେ।
ସେହିଭଳି ନୂଆଗଡ଼ ବ୍ଲକ ଅନ୍ତର୍ଗତ ବି:ଖଜୁରୀପଦା ଗ୍ରାମ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଷ୍ଠି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡାଃ ନିବେଦିତା ସାହୁ , ଅଞ୍ଚଳବାସୀଙ୍କୁ ହାତଧୁଆର ଉପକାରୀତା , ହାତ ଭଲଭାବେ ସାବୁନରେ ଧୋଇବା ଦ୍ୱାରା କିଭଳି ଆମେ ହାତଦ୍ୱାରା ଜୀବାଣୁ ଓ ରୋଗ ମୁକ୍ତ ହୋଇଥାଉ ତାହା ବୁଝାଇ ହାତ କିଭଳି ଧୋଇବାକୁ ହୁଏ , ତାର ଶୈଳୀ ଦେଖାଇଥିଲେ । ହାତଧୁଆର ଉପାଦେୟତା , ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ଏହା ଉପରେ ସଚେତନତା କରାଯାଇଥିଲା । ମୁଖ୍ୟତଃ ଭାବେ ଏହି ହାତଧୁଆର ବହୁଳ ସଚେତନତା କରାଯାଇ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ସମାଜକୁ ରୋଗ ସଂକ୍ରମଣରୁ ମୁକ୍ତ ରଖାଯାଇ ସୁସ୍ଥ ନିରାମୟ ଜୀବନଯାପନ କରାଇବା ଦିଗରେ ପ୍ରବର୍ତ୍ତାଇବା ଲକ୍ଷ ହେଉଛି , ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଜୀବନ ରକ୍ଷା ଚଳିତ ବର୍ଷର ବାର୍ତ୍ତା ବୋଲି କୁହା ଯାଇଛି ।
ଅନ୍ୟପକ୍ଷରେ କରୋନା ମହାମାରୀରୁ ନିଜକୁ ସମ୍ପୁର୍ଣଭାବେ ସୁରକ୍ଷିତ ରଖିବା ପାଇଁ ନିଜର ଦେହ , ପାଟି ନାକ , ପ୍ରଭୃତି ସ୍ଥାନକୁ ବ୍ୟବହାର ପୂର୍ବରୁ ଅନ୍ୟୁନ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ଭଲଭାବେ ହାତ ଧୋଇବା ଓ କିଭଳି ଧୋଇବା ତା ଉପରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।