ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଅକ୍ଟୋବର ମାସର ୧୦ ତାରିଖ ଦିନକୁ ଜାତୀୟ ଡାକ ସେବା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଦିନ ଠାରୁ ଜାତୀୟ ଡାକ ସପ୍ତାହ ମଧ୍ୟ ପାଳନ କରାଯାଉଛି । ମୁଖ୍ୟତଃ ଭାବେ ଜନସାଧାରଣଙ୍କୁ ଡାକସେବା ସହ ସାମିଲ କରିବା ଏବଂ ଡାକ ବିଭାଗର ବିଭିନ୍ନ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଜନ-ସଚେତନତା ସୃଷ୍ଟି କରିବା ହେଉଛି , ଡାକ ଦିବସ ଓ ଡାକ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନର ଇଣ୍ଟରନେଟ , ହ୍ଵାଟଶାପ ଓ ଇ-ମେଲ ଯୁଗରେ ମଧ୍ୟ ନିଜର ବିଶ୍ୱାସନୀୟତା ଯୋଗୁଁ ଡାକଘର ତାର ସ୍ୱାତନ୍ତ୍ର୍ୟତା ବଜାୟ ରଖିବା ସହ ଆବଶ୍ୟକତା ସମୟ ସହ ତାଳ ଦେଇ ଆଗେଇ ଚାଲିଛି । ଏମିତିକି , ଇଣ୍ଟରନେଟକୁ ବ୍ୟବହାର କରି ଡାକ ସେବକ ମାନେ ଲୋକଙ୍କ ଦୁଆର ମୁହଁରେ ଡାକ ବିଭାଗର ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।
ଯେତେବେଳେ ଯୋଗାଯୋଗର ସମ୍ପର୍କ ସ୍ଥାପନର ଅନ୍ୟ କୌଣସି ବ୍ୟବସ୍ଥା ନ ଥିଲା , ସେତେବେଳେ ଏହି ଡାକ ବିଭାଗ ଓ ଡାକ ପିଅନ ଲୋକଙ୍କୁ ବିଭିନ୍ନ ପ୍ରକାରର ଡାକ ସେବା ଯୋଗାଇ ଦେଇ ଲୋକଙ୍କ ଆସ୍ଥା ସୃଷ୍ଟି କରି ପାରୁଥିଲା । ଆଜି ମଧ୍ୟ ତାହା ବଜାୟ ରହିଛି ଏବଂ ଡାକ ପିଅନ ଘରକୁ ଯାଇ ଚିଠିପତ୍ର ସବୁ ବାଣ୍ଟୁଥିବା ଦୃଶ୍ୟ ଦେଖିଲେ ପୂର୍ବକଥା ମନେ ପଡିଯିବା ସହ ମନରେ ଏକ ଶିହରଣ ସୃଷ୍ଟି ହୋଇ ପଡୁଛି ।
ଏହି ଡିଜିଟାଲ ଯୁଗରେ ଚିଠିପତ୍ରର ବ୍ୟବହାର କମିଥିଲେ ମଧ୍ୟ ଡାକସେବା ପ୍ରତି ଏବେମଧ୍ୟ ଲୋକଙ୍କ ଅତୁଟ ବିଶ୍ବାସ ରହିଛି । ପାର୍ଶଲ , ସ୍ପୀଡ଼-ପୋଷ୍ଟ , ରେଜିଷ୍ଟ୍ରି , ମନୀ-ଅର୍ଡର , ଚିଠି ପଠାଇବା ପ୍ରଭୃତି ଏହି ଡାକ ମାଧ୍ୟମରେ ହିଁ ହେଉଛି । ଏଥିପାଇଁ ହିଁ ଡାକ ଘର ଗୁଡିକରେ ଲୋକଙ୍କ ଭିଡ଼ ଜମିବା ସହ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ ।
କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ଠାରୁ ଡାକଘର ଗୁଡିକ ବର୍ତ୍ତମାନ ବହୁମୁଖୀ ସେବା କେନ୍ଦ୍ରରେ ପରିଣତ ହୋଇଯାଇଛି ।ସରକାରଙ୍କ ବିଭିନ୍ନ ପ୍ରକାରର ଜନକଲ୍ୟାଣକାରୀ ଯୋଜନାରେ ମୁଖ୍ୟତଃ ଭାବେ ଗ୍ରାମାଞ୍ଚଳର ହିତାଧିକାରୀ ମାନେ ଡାକଘର ଜରିଆରେ ଅତି ନିକଟରେ ଓ ସହଜରେ ଆର୍ଥିକ ସେବା ସହିତ ଅନେକ ପ୍ରକାରର ଡାକସେବା ପାଇ ବିଶେଷ ଉପକୃତ ହୋଇପାରୁଛନ୍ତି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବେ ଡାକସେବା ମାଧ୍ୟମରେ ଉପଲବ୍ଧ ହେବାସହ ଆଧାର କାର୍ଡ ଓ ସଂଶୋଧନ , ଡାକ ଜୀବନ ବୀମା ଓ ସଞ୍ଚୟ ପ୍ରଭୃତି କାମ ପାଇଁ ଅଧିକାଂଶ ଲୋକ ଡାକଘର ଉପରେ ହିଁ ନିର୍ଭର କରି ଆସୁଛନ୍ତି ।
ଆଜିର ସମୟରେ ଡାକ ବିଭାଗ ପକ୍ଷରୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବ୍ୟବସ୍ଥା କରାଯାଇ ତାର ଜରିଆରେ ଲୋକଙ୍କୁ ବିଭିନ୍ନ ପ୍ରକାରର ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉଛି । ବର୍ତ୍ତମାନ କୋଭିଡ୍-୧୯ ମହାମାରୀ ସମୟରେ ଡାକ କର୍ମଚାରୀ ମାନେ ନିଷ୍ଠାର ସହିତ ନିଜର କାମ ତୁଲାଇ ଆସୁଛନ୍ତି ।
ଏ ସମ୍ପର୍କରେ ପାରଳାଖେମୁଣ୍ଡି ପ୍ରଧାନ ଡାକ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପୋଷ୍ଟ-ମାଷ୍ଟର ଶ୍ରୀ ଚନ୍ଦ୍ର ଶେଖର ରାଇକା କହିଛନ୍ତି ବର୍ତ୍ତମାନ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଲୋକମାନଙ୍କୁ ଡାକ ବିଭାଗର ବିଭିନ୍ନ ସେବା କାର୍ଯ୍ୟକ୍ରମ ଉପରେ ସଚେତନତା ପାମ୍ପ୍ଲେଟ ବଣ୍ଟନ କରାହେଉଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଧ୍ୟ ଡାକଘର ମାଧ୍ୟମରେ ବିଭିନ୍ନ ପ୍ରକାର ଡାକସେବା ଯୋଗାଇ ଦିଆଯାଉଛି । କୋଭିଡ୍ ନିୟମ ଉପରେ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ କୁହାଯାଉଛି ବୋଲି ।
ସେହିଭଳି ଜିଲ୍ଲାରେ ଥିବା ଏହି ଡାକ ଘରେ ଜଣେ ମାତ୍ର ମହିଳା ଡାକ ମ୍ୟାନ ଭାବେ କାମ କରୁଛନ୍ତି ରଜନୀ ବେହେରା , ଦୀର୍ଘ ୬ ବର୍ଷ ହେଲାଣି । ଡାକସେବା ପ୍ରତି ତାଙ୍କର କାର୍ଯ୍ୟ ଉପରେ ସେ କହିଛନ୍ତି ଯେ , ଦୀର୍ଘ ୬ ବର୍ଷ ହେଲାଣି ମୁଁ ପୋଷ୍ଟ-ମ୍ୟାନ ଭାବେ କାମ କରୁଛି । ଲୋକ ମାନଙ୍କ ଘରକୁ ଯାଇ ବିଭିନ୍ନ ପ୍ରକାରର ଡାକସେବା ଯୋଗାଇ ଦେଉଛି ।ଏହି କାମ କରିବା ପାଇଁ ମୋତେ ବହୁତ ଭଲ ଲାଗୁଛି । ବିଶେଷ କରି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ଠାରୁ ଆମର ଡାକସେବା କାର୍ଯ୍ୟ ଆହୁରି ଅଧିକ ମାତ୍ରାରେ ବଢିଯାଇଛି । ଲୋକଙ୍କ ଘରକୁ ଯାଇ ଚିଠି , ପାର୍ଶାଲ, ରେଜିଷ୍ଟ୍ରି ଓ ସ୍ପୀଡ଼ପୋଷ୍ଟ ଚିଠି , ମନିଅର୍ଡର ସମେତ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଟଙ୍କା ମଧ୍ୟ ଦିଆହେଉଛି ବୋଲି କହିଥିଲେ ।