କାଲି ପଡିଆରେ ଚକମା ଦେଖାଉଥିଲେ ଆଜି ଔଷଧ ଦୋକାନରେ ମାରୁଛନ୍ତି ଝାଡୁ
ଝାରସୁଗୁଡ଼ା:(ସୁଭାଷ ସହାରେ) - ପ୍ରତିଭା ମାନଙ୍କ ପ୍ରତି ଉପେକ୍ଷା, ପାତର ଅନ୍ତର ଓ ହୀନ ମନୋଭାବ ପୋଷଣ ଆଜିର କଥା ନୁହେଁ, ଏହା ବହୁ ପୁରୁଣା ଅଟେ। ଜାତୀୟ ସ୍ତରରେ ଖେଳି ମଧ୍ୟ ଖେଳାଳି ମାନେ କିପରି ଉପେକ୍ଷାର ଶୀକାର ହୁଅନ୍ତି, ତାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସତୀବ୍ରତୀ ଖଡ଼ିଆ।
ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ୧୯୯୪ ମସିହାରେ ଜନ୍ମଗ୍ରହଣ କରିଥିବା ସତୀବ୍ରତୀ ଖଡ଼ିଆ ଜାତୀୟ ମହିଳା ଫୁଟବଲ ସିନିୟର ଦଳରେ ଫରୱାର୍ଡ ଭାବରେ ରାଜ୍ୟର ପ୍ରତିନିଧିତ୍ବ କରି ସାରିଛନ୍ତି। ରୋଗଗ୍ରସ୍ତ ବାପାଙ୍କ ଚିକିତ୍ସା ଓ ପରିବାର ପ୍ରତିପୋଷଣ ନିମନ୍ତେ ମାଆଙ୍କୁ ଦିନ ମଜୁରିଆ କାମ କରିବାକୁ ହୁଏ। ସାନ ଭଉଣୀର ଫୁଟବଲ ପ୍ରତି ରୁଚି ଓ ଦକ୍ଷତା ଦେଖି ତିନି ବଡ଼ ଭଉଣୀ ଝାରସୁଗୁଡ଼ାରେ ଦୋକାନରେ କାମ କରି ସତୀଵ୍ରତୀଙ୍କ ପାଇଁ ଖେଳ ସରଞ୍ଜାମ ଯୋଗାଇ ଦେଉଥିଲେ। ୨୦୧୬ ମସିହାରେ ଝାରସୁଗୁଡ଼ା ଜିଲ୍ଲା ତରଫରୁ ଖେଳିଥିବା ଏହି ପ୍ରତିଭାବାନ ଖେଳାଳି ୨୦୧୭ ମସିହାରେ ଭୁବନେଶ୍ଵରର ନୀତା ଅମ୍ବାନୀ ଏକାଡେମୀରେ ସ୍ଥାନ ପାଇଥିଲେ। ୨୦୧୮ ମସିହାରେ ଓଡ଼ିଶା ଫୁଟବଲ ଦଳରେ ସ୍ଥାନ ପାଇ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ପାଇଁ ଜାତୀୟ ମହିଳା ଫୁଟବଲ ଟିମ ତରଫରୁ ଖେଳି ରନର୍ସ ଅପ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାପରେ ୨୦୧୮ ମସିହାରେ ରାଇଜିଂ ଷ୍ଟୁଡେଣ୍ଟ ଦଳ ତରଫରୁ ଜାତୀୟ ମହିଳା ଲିଗ୍ ଟୁର୍ଣ୍ଣାମେଣ୍ଟରେ ଖେଳି ସର୍ବାଧିକ ଗୋଲ କରି ଦଳକୁ ଚମ୍ପିଆନ କରାଇଥିଲେ ସତୀବ୍ରତୀ। ୨୦୧୯ ମସିହାରେ ଅରୁଣାଚଳ ପ୍ରଦେଶର ଇଟାନଗରରେ ମଧ୍ୟ ସିନିୟର ମହିଳାଦଳ ତରଫରୁ ଖେଳିଥିଲେ। ୨୦୧୯ ମସିହାରେ ବାଙ୍ଗାଲୋରଠାରେ ମଧ୍ୟ ଜାତୀୟ ମହିଳା ଲିଗ ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେଇଥିଲେ। ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ଜାତୀୟ ସ୍ତରରେ ଏକ ପରିଚୟ ସୃଷ୍ଟି କରିଥିବା ସତୀବ୍ରତୀ କିନ୍ତୁ କୌଣସି ଆର୍ଥିକ ପ୍ରୋତ୍ସାହନ ପାଇବାରେ ସକ୍ଷମ ହେଲେ ନାହିଁ। ଲକ ଡାଉନର ଭୟଙ୍କର ଆର୍ଥିକ କୁପ୍ରଭାବରୁ ସେ ବର୍ତ୍ତି ପାରି ନଥିଲେ। ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇବାରେ କେହି ଆଗକୁ ଆସିଲେ ନାହିଁ। ସରକାର, ବେସରକାରୀ ଅନୁଷ୍ଠାନ ବା କମ୍ପାନୀ ବା କୋଟି କୋଟି ଟଙ୍କାର ଷ୍ଟାଡିଅମ ଓ ଅଡିଟୋରିୟମ ତିଆରି ପାଇଁ ସରକାରଙ୍କ ନିକଟରେ ଦାବି ରଖୁଥିବା ଓ ଠିକାଦାରମାନଙ୍କ ପେଟ ପୋଷୁଥିବା କ୍ରୀଡ଼ା ସଂଘଗୁଡ଼ିକ ତାଙ୍କ ପ୍ରତି କୌଣସି ପଦକ୍ଷେପ ନେବାରେ ରୁଚି ଦେଖାଇଲେ ନାହିଁ। ମାତ୍ର ତାଙ୍କ ପ୍ରତି ଦୟାପରବଶ ହୋଇ ଏକ ଔଷଧ ଦୋକାନୀ ତାଙ୍କ ଦୋକାନରେ କାମ ଯୋଗାଇ ଦେଲେ। ଏବେ ଜଣେ ଜାତୀୟ ସ୍ତରର ଖେଳାଳି ଔଷଧ ଦୋକାନରେ ଝାଡ଼ୁ ମାରି ଓ ଔଷଧ ବିକ୍ରି କରି ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ତରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଓ ବିଶ୍ବଗୁରୁ ହେବାକୁ ସ୍ବପ୍ନ ଦେଖାଉଥିବା ସରକାରମାନଙ୍କ ପାଇଁ ଏହା ଏକ ଲଜ୍ଜାକର ବିଷୟ ନୁହେଁ କି?
ଜିଲ୍ଲାରେ ଖେଳ ଓ ଖେଳାଳିମାନଙ୍କ ପ୍ରତି ଉପେକ୍ଷାର ଉଦାହରଣ କେବଳ ସତୀବ୍ରତୀ ଖଡ଼ିଆ ନୁହଁନ୍ତି। ଝାରସୁଗୁଡା ଜିଲ୍ଳାରୁ ଖେଳ ଆରମ୍ଭ କରି ଭାରତୀୟ ଫୁଟବଲ ଦଳରେ ସ୍ଥାନ ପାଇ ଥିବା ରାକେଶ ଓରାମ ,ଭକି ଓରାମ, ପଙ୍କଜ ସୋନା ଓ ଓଡିଶାଦଳରୁ ଖେଳିଥିବା ନବିନ ସୋନା, କ୍ରିକେଟ ଖେଳାଳି ତରୁଣ ସାହା, ଓଡିଶାଦଳରୁ କ୍ରିକେଟରେ ପ୍ରତିନିଧିତ୍ୱ କରି ଥିବା ଶୋଭେନ ଦେବ ,ତରୁଣ ସାହା, ସିନିୟର ଦଳ ର ମହିଳା କ୍ରିକେଟ ଖେଳାଳୀ ସୁନିତା ମୁର୍ମୁ ପ୍ରଭୃତିଙ୍କୁ ଓଡିଶାରେ ଚାକିରୀ ଖଣ୍ଡେ ମିଳି ନାହିଁ । ଶୋଭେନ ଦେବ ଓଡିଶା ଜୁନିୟର କ୍ରିକେଟ ଦଳର କୋଚ ମଧ୍ୟ ଥିଲେ । ବର୍ତ୍ତମାନ ସେ ଏକ ଠିକାସଂସ୍ଥାରେ ଠିକା ଶ୍ରମିକ ଭାବରେ ବର୍ଷକୁ ୧୧ ମାସ କାମ କରୁଛନ୍ତି । ଫୁଟବଲ ଖେଳାଳି ପଙ୍କଜ ସୋନା ଖେଳରେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ତାଙ୍କର ଚିକିତ୍ସା ପାଇଁ ସରକାରଙ୍କ ତରଫରୁ କୌଣସି ଆର୍ଥିକ ସାହାଯ୍ୟ ମିଳିନାହିଁ ।
ପ୍ରଶ୍ନ ଉଠେ ଯେ କୋଟି କୋଟି ଟଙ୍କାର ଷ୍ଟାଡିଅମ ତିଆରି କରାଯିବା ପାଇଁ ଦାବି କରାଯାଉଛି କାହା ସ୍ବାର୍ଥରେ? କେଉଁମାନେ ଏହା ଯୋଗୁଁ ଲାଭ ପାଇବେ? ବିଶ୍ବରେ ଓଡ଼ିଶା ସରକାର ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହକି ଟୁର୍ଣ୍ଣାମେଣ୍ଟ କରିଦେବା ଆଦୌ ମନ୍ଦ ନୁହେଁ, ମାତ୍ର ଯେଉଁ ଖେଳାଳିମାନେ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଓ ବୟସ ଖେଳ ପ୍ରତି ଉତ୍ସର୍ଗ କରି ଦେଇଥାନ୍ତି, ଦେଶ ଓ ରାଜ୍ୟ ପାଇଁ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥାନ୍ତି, ସେମାନଙ୍କ ପାଇଁ ସରକାର ବା ସ୍ଥାନୀୟ କ୍ରୀଡ଼ା ଅନୁଷ୍ଠାନମାନଙ୍କର କଣ କୌଣସି କର୍ତ୍ତବ୍ୟ ନାହିଁ? ସରକାରମାନଙ୍କ ଏହି ମନୋଭାବ ଯୋଗୁଁ ଅନେକ ପ୍ରତିଭାବାନ ଖେଳାଳି ଆଜି କ୍ରୀଡ଼ା ପ୍ରତି ବିମୁଖ ହୋଇ ଯାଉଛନ୍ତି। ଅନେକେ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ମଧ୍ୟ ଚାଲି ଯାଉଛନ୍ତି। ତେଣୁ ଖେଳାଳିମାନଙ୍କ ପ୍ରତି ସରକାର ନ୍ୟାୟ କରନ୍ତୁ ନଚେତ୍ ଠିକାଦାର ଓ କମ୍ପାନୀମାନଙ୍କୁ ପୋଷିବା ଭଳି ଯୋଜନା ମାନଙ୍କୁ ବନ୍ଦ କରନ୍ତୁ ବୋଲି ଲୋକେ ଦାବି କରୁଛନ୍ତି।