ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ୟଙ୍ଗ ଷ୍ଟାରସ୍ ଚେରିଟେବଲ ଟ୍ରଷ୍ଟ ରକ୍ତଦାନ ନିମନ୍ତେ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ଗତ ୨୦୧୭ ମସିହାରୁ ଅଭିନବ ଉପାୟରେ ପ୍ରୟାସ କରି ଆସୁଛନ୍ତି। ଏହାର ପ୍ରତିଷ୍ଠାତା ତଥା ସଭାପତିଙ୍କ ଜନ୍ମଦିନ ଅବସରରେ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ଲୋକଙ୍କୁ ରକ୍ତଦାନ କରିବା ପାଇଁ ପ୍ରୟାସ କରିବା ସହ ଅଧିକରୁ ଅଧିକ ରକ୍ତଦାତା ସୃଷ୍ଟି କରିବା ପାଇଁ ଉତ୍ସାହିତ କରାଯାଏ।
ଏହି ଅବସରରେ ଆଜି ମଧ୍ୟ ସ୍ଥାନୀୟ ଷ୍ଟେସନ ଛକ ପାଖରେ ଥିବା ପ୍ରିନ୍ସ ହୋଟେଲରେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତଦାନ କରିଥିବା ଦମ୍ପତ୍ତି ରାଜେଶ ସିଂହ ଓ ଆରାଧନା ସିଂହ ଫିତା କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପ୍ରଥମେ ଜନ୍ମଦିନରେ ରକ୍ତଦାନ କରିବା ପରମ୍ପରା ଆରମ୍ଭ କରିଥିବା ସଭାପତି ଅରବିନ୍ଦ ବାରିକଙ୍କ ଭଳି ଆଜି ଟ୍ରଷ୍ଟର ଅନ୍ୟତମ ସଭ୍ୟ ରାଜେଶ ପାଢ଼ୀଙ୍କ ଜନ୍ମଦିନ ଅବସରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ସେ ମଧ୍ୟ ବିଗତ ତିନି ବର୍ଷ ଧରି ଏହିପରି ଶିବିର ଅନୁଷ୍ଠିତ କରି ଆସୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମକୁ କୋରୋନା ମହାମାରୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ନିୟମାବଳୀକୁ ଅନୁସରଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ ପୂର୍ବରୁ ସମସ୍ତ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଓଡ଼ିଶାରେ କୋଭିଡ ରକ୍ତ ପରୀକ୍ଷା କରି ରକ୍ତ ଶିବିର ଅନୁଷ୍ଠିତ କରାଇଥିବା ଏହା ପ୍ରଥମ। କାର୍ଯ୍ୟକ୍ରମ ଜିଲ୍ଲା ରକ୍ତଭଣ୍ଡାରର ମୂଖ୍ୟ ସିଲବନ୍ତି ଜୋଜୋଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା। କୋଭିଡ ମାଜିଷ୍ଟ୍ରେଟ ଗୋଲୋକ ବିହାରୀ ମଙ୍ଗରାଜ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ତଥା ସାନିଟାଇଜେସନ, ଶାରୀରିକ ଦୂରତା, ମାସ୍କ ବ୍ୟବହାର ପ୍ରଭୃତି ନିୟମାବଳୀର ସୁବ୍ୟବସ୍ଥା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ ତଥା ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।
ଆଜିର ଏହି ରକ୍ତଦାନ ଶିବିରରେ ମହିଳାମାନେ ଅଧିକ ସଂଖ୍ୟାରେ ଯୋଗ ଦେଇଥିଲେ।ସର୍ବମୋଟ ୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପ୍ରାୟ ୧୫ ଜଣ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ। ଏହି ଅବସରରେ ଟ୍ରଷ୍ଟର ସଭାପତି ଶ୍ରୀ ଅରବିନ୍ଦ ବାରିକ ମତ ଦେଇଥିଲେ ଯେ ଅନ୍ୟ ସାମାଜିକ ସଂଗଠନମାନେ ମଧ୍ୟ ଯଦି ବିବାହ ତଥା ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିରର ଆୟୋଜନ କରନ୍ତି, ତେବେ ରକ୍ତର ଅଭାବ ରହିବ ନାହିଁ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅରବିନ୍ଦ ବାରିକ, ରାଜେଶ ପାଢ଼ୀ, ସୁନିତ ପାଣ୍ଡେ, ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ଆଭାସ ଦୀକ୍ଷିତ,ଅଭିଜିତ ସାହୁ, ଟିଙ୍କୁ ନାୟକ, ରାଜା ଦାସ, ଜୟକୃଷ୍ଣ ବଗାର, ପ୍ରଶାନ୍ତ ଭଇଶା, ବିଷ୍ଣୁ ଗୋପାଳ ପଣ୍ଡା, ଅଭିଜିତ ବାରିକ ବିଶେଷ ସହଯୋଗ କରିଥିଲେ। କୋରୋନା ମହାମାରୀ ସମୟରେ ମଧ୍ୟ ଏତେ ଲୋକ ରକ୍ତଦାନ କରିବା ପାଇଁ ଆସି ସାହସିକତାର ପରିଚୟ ଦେଇଛନ୍ତି ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ରାଜେଶ ପାଢ଼ୀ।