ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହକିର ଯାଦୁକର ତଥା ହକି ଖେଳର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ୧୧୬ ତମ ଜନ୍ମଦିବସ ଅବସରରେ "ଜାତୀୟ କ୍ରୀଡା ଦିବସ" ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ କରୋନା ଜନିତ କଟକଣା ମଧ୍ୟରେ ନିରାଡ଼ମ୍ବର ଓ ସୀମିତ ମଧ୍ୟରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର-ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଥିଲା ।
ଜାତୀୟ ସ୍ତରର ସୁନାମଧନ୍ୟ କ୍ରୀଡ଼ାବିତ କିଶୋର ଚନ୍ଦ୍ର ରଥ ଏଥିରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେହିଭଳି ସେଠାରେ ଉପସ୍ଥିତ ଥିବା ଜିଲ୍ଳା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ବହୁ କ୍ରୀଡା ଶିକ୍ଷକ ଓ ବିଭିନ୍ନ ଖେଳର ଖେଳାଳୀ ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଉଦବୋଧନ ଦେଇ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ସ୍ମୃତିଚାରଣ କରିଥିଲେ । ଶ୍ରୀ ତ୍ରିପାଠୀ କହିଥିଲେ ଯେ , ହକି ଖେଳରେ ଧ୍ୟାନଚାନ୍ଦଙ୍କ କ୍ରୀଡା-ନୈପୁନ୍ୟତା ଯେଭଳି ଭାବେ ପ୍ରଦର୍ଶନ ରହିଥିଲା , ସେଥିପାଇଁ ସେ କେବଳ ଭାରତରେ ନୁହନ୍ତି , ସାରା ବିଶ୍ୱରେ ସେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ । ଏମିତି କି ଖେଳିବା ବେଳେ ତାଙ୍କ ହକି ବାଡ଼ିରେ ଥରେ ବଲ ଲାଗି ରହିଗଲେ ତାହା ଗୋଲରେ ପରିଣତ କରୁଥିଲେ । ମେଜର ଧ୍ୟାନଚାନ୍ଦ ୧୯୨୮ , ୧୯୩୨ ଓ ୧୯୩୬ ମସିହାରେ ଭାରତକୁ ଅଲିମ୍ପିକ୍ସ ଖେଳରେ ହକି ବିଜେତା ତଥା ଚାମ୍ପିଆନ କରାଇଥିଲେ । ଏଥିସହିତ ୧୯୨୬ ରୁ ୧୯୪୮ ମସିହା ମଧ୍ୟରେ ବିପକ୍ଷ ଦଳଗୁଡିକ ବିରୋଧରେ ସେ ୪୦୦ ରୁ ଅଧିକ ଗୋଲ ଦେଇଥିଲେ।
ମେଜର ଧ୍ୟାନଚାନ୍ଦ ୨୯/୮/୧୯୦୫ ମସିହାରେ ଉତ୍ତର ପ୍ରଦେଶର ଆଲାହାବାଦ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗତ ୧୨/୩/୧୯୭୯ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ତେଣୁ କ୍ରୀଡା ମନୁଷ୍ୟକୁ ଖେଳୁଆଡ଼ ମନୋଭାବ ସହ ଅନେକ କିଛି ଶିଖାଇଥାଏ । ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା , ନିଷ୍ଠା ଓ ଦୃଢ଼ ମନୋବଳ ନେଇ କୌଣସି ଖେଳ ପ୍ରତି ଅଭ୍ୟାସ ରଖିଲେ ସେ ନିଶ୍ଚିତ ଭାବେ ସଫଳତାର ସହ ଜଣେ ପ୍ରତିଷ୍ଠିତ ଖେଳାଳି ହୋଇ ପାରିବ ବୋଲି କହି ପରାମର୍ଶ ଦେଇଥିଲେ ।