ଏକ ମିଶ୍ରିତ ପ୍ରତିକ୍ରିୟା, ସଂପୂର୍ଣ୍ଣ କଟକଣାକୁ ନାପସନ୍ଦ।
କୋରୋନା ପ୍ରଭାବ ଯୋଗୁଁ ଗଣେଶ ପୂଜା ଓ ନୂଆଖାଇ ପାଳନ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ନିୟମାବଳୀ ଗୁଡ଼ିକ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି, ତାକୁ ନେଇ ଲୋକଙ୍କ ମଧ୍ୟରେ ଏକ ବିତର୍କ ଆରମ୍ଭ ହୋଇସାରିଛି। ଯଦିବା ଗଣେଶ ପୂଜାକୁ ନେଇଲାଗୁ କରାଯାଇଥିବା କଟକଣାକୁ କେହି ଆପତ୍ତି କରିନାହାଁନ୍ତି,ମାତ୍ର ନୂଆଖାଇକୁ ନେଇ ଜାରି ହୋଇଥିବା କଟକଣାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠାଯାଇଛି। ଏହା ନେଇ ଶାସକ ପ୍ରଶାସକ ଝାରସୁଗୁଡ଼ା ଅଞ୍ଚଳର କେତେକ ବିଶିଷ୍ଟ ଓ ସଂପର୍କିତ ବ୍ୟକ୍ତିଙ୍କ ମତାମତ ଲୋଡ଼ିଥିଲେ। ଆସନ୍ତୁ, ଜାଣିବା ସେମାନେ କ'ଣ କହିଲେ :
ତାପସ କୁମାର ରାୟ ଚୌଧୁରୀ,ସଦସ୍ୟ, ରାଜ୍ୟ ପରିଷଦ, ବିଜୁ ଜନତା ଦଳ
"ମୋ ମତରେ ଜିଲ୍ଲା ପ୍ରଶାସନ ଗଣେଶ ପୂଜା ଏବଂ ନୂଆଖାଇ ଉପରେ ନିଷ୍ପତ୍ତି ନେବା ପୁର୍ବରୁ ଆଉ ଟିକେ ଚିନ୍ତା କଲେ ଭଲ ହୁଅନ୍ତା, କାରଣ ଅଗ୍ର ପୁଜା ପାଉଥିବା ଭଗବାନ ବିଘ୍ନହର୍ତା ଗଣେଶ ଭଗବାନଙ୍କୁ ପୂଜା ବର୍ଷରେ ପ୍ରଥମ କରି ବିଶ୍ବର ମଙ୍ଗଳ ପାଇଁ କରାଯାଇ ଥାଏ।ନୂଆଖାଇ ଯେହେତୁ ଶସ୍ଯ ଭିତ୍ତିକ ପାର୍ବଣ, ଏବଂ ଏହାକୁ ପଶ୍ଚିମ ଓଡିଶାରେ ଗଣ ପର୍ବ ଭଳି ପାଳନ କରା ହୁଏ। ଏହି ଦୁଇ ଉତ୍ସବ ଭାରତ ଏବଂ ପଶ୍ଚିମ ଓଡ଼ିଶାର ଲୋକଙ୍କ ମର୍ମସ୍ପର୍ଶୀ ପାର୍ବଣ, କଟକଣା ଯୋଗୁ ଲୋକେ ନିଶ୍ଚିତ ଭାବରେ ମର୍ମାହତ ହେବେ ।
ଏହି ଦୁଇ ପର୍ବ ଉପରେ କଟକଣା ଲଗାଇଲେ ଯେଉଁ ଲୋକମାନେ ବିଭିନ୍ନ ଭାବରେ ପାର୍ବଣକୁ ଆକର୍ଷିତ କରିବା ପାଇଁ ବର୍ଷ ସାରା ଅପେକ୍ଷା କରି ଥାନ୍ତି, ଫଳ ଦୋକାନୀ, ମିଠାପ୍ରସ୍ତୁତକର୍ତ୍ତା, ଫୁଲ ବ୍ୟାପାରୀ, ପେଣ୍ଡାଲ ନିର୍ମାଣ କାରୀ କାରିଗର ଏବଂ ବହୁ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କ୍ଷତିଗ୍ରସ୍ତ ହେବେ। କେହି ମଧ୍ୟ ଲାଭବାନ ହେବେ ବୋଲି ମୁଁ ମନେ କରୁନାହିଁ।"
ମହେନ୍ଦ୍ର ନାୟକ ,ସଭାପତି , ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ।
"ନୂଆଖାଇ ପର୍ବ ପଶ୍ଚିମ ଓଡ଼ିଶାର ଗଣପର୍ବ ଭାବରେ ପରିଚିତ।ଏହାର ବିଶେଷତ୍ବ ଯେ ନୂଆ ଖାଇ ସାରିବା ପରେ ସମସ୍ତେ ସମସ୍ତଙ୍କୁ ଭେଟି ନୁଆଖାଇର ଶୁଭେଚ୍ଛା ଜଣାଇବା ଏକ ପରମ୍ପରା। ଏହା ଲୋକଙ୍କୁ ପରସ୍ପରର ନିକଟତର କରିଥାଏ। ମାତ୍ର ସରକାର ଏହି ପରମ୍ପରା ଉପରେ କଟକଣା ଲଗାଇବା ଆଦୌ ଗ୍ରହଣୀୟ ନୁହେଁ। କାରଣ ଏହି ପରମ୍ପରା କୌଣସି ଭିଡ଼ ଜମାଏ ନାହିଁ। ବର୍ତ୍ତମାନ ସମୟରେ ଯେଉଁ ନୂଆଖାଇ ଭେଟଘାଟ ନାମରେ ପର୍ବ ପରଦିନଠାରୁ ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜିତ ହୁଏ, ସେଥିପ୍ରତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଉଚିତ୍ ହେବ। ଲୋକଙ୍କୁ ସଂପୂର୍ଣ୍ଣ ଭାବରେ ଏହି ପରମ୍ପରାରୁ ଦୂର କରିବା ଅର୍ଥ ସେମାନଙ୍କ ସାମାଜିକ ସମ୍ପର୍କରୁ ଦୂର କରିବା। ଯେପରି ଉପାୟରେ ରଜ ପାଳନ କରାଗଲା, ରକ୍ଷା ବନ୍ଧନରେ ଗୋଟିଏ ଓଳି ଦୋକାନ ଖୋଲାଗଲା ବା ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା, ସେହିପରି ଭାବରେ ନୂଆଖାଇ ଭେଟଘାଟ ନିମନ୍ତେ ସ୍ବତନ୍ତ୍ର ସତର୍କତାମୂଳକ ପଦକ୍ଷେପ ନେଇ ଲୋକଙ୍କୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଅନୁମତି ଦେଇଥିଲେ ଉଚିତ୍ ହୁଅନ୍ତା। ଏପରି ଭାବରେ ଜୋରଜବରଦସ୍ତ ଲୋକଙ୍କ ଉପରେ କଟକଣା ଲାଗୁ କରିବା ଅର୍ଥ ହେବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବ।"
ମେହବୁବ ମହତାବ,ବରିଷ୍ଠ ସାମ୍ବାଦିକ, ଝାରସୁଗୁଡା
"ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ କରୋନା ଦ୍ରୁତ ସଂକ୍ରମିତ ହେଉଛି । ଏହାକୁ ଦେଖି ଜିଲ୍ଲାରେ କୌଣସି ସ୍ଥାନରେ ଭିଡ଼କୁ ପ୍ରୋସାହନ ଦିଆଯିବା ଅନୁଚିତ । ପର୍ବ ପର୍ବାଣୀ ପାଳନ ଉପରେ କଟକଣା ଲଗାଯିବା ସ୍ଵାଭାବିକ । ବ୍ୟକ୍ତିଗତ ଭାବେ ଅର୍ଥାତ ଘରେ ଘରେ ପର୍ବ ପାଳନକୁ ନେଇ କଟକଣା ନାହିଁ । ସାମୁହିକ ପାଳନ ଏବଂ ଭିଡ଼ ଜମାଇବା ସପକ୍ଷରେ ମୁଁ ନୁହେଁ । ଜିଲ୍ଲା ପ୍ରଶାସନ ସାର୍ବଜନିନ ଭାବେ ପର୍ବ ପାଳନ କୁ ନେଇ କଟକଣା ଲଗାଇବା ସମୟୋପଯୋଗୀ ପଦକ୍ଷେପ । ଆମେ ଘରେ ରହି ପର୍ବ ପାଳନ କରିବା । ଆଗାମୀ ପର୍ବ ସମୟରେ ସଟ୍ ଡାଉନ ଲାଗୁ କରା ନ ଯାଇ କେବଳ ଲକ୍ ଡାଉନ କଟକଣା ଲାଗୁ କରିବା ଉଚିତ ହେବ । କାହାର ଲାଭ କ୍ଷତି କଥା ଚିନ୍ତା ନ କରି ସମାଜର ସମୂହ ତଥା ବୃହତ୍ତର ସ୍ଵାର୍ଥ ରକ୍ଷା କଥା ଚିନ୍ତା କରିବା କଥା । ପରିସ୍ଥିତିକୁ ଦେଖି ଜନ ସାଧାରଣ ସଂଯମ ଆଚରଣ ପ୍ରଦର୍ଶନ କରିବା ବିଧେୟ ।"
ରାମ ମନୋହର ରାଓ , ସଭାପତି,ଜିଲ୍ଲା ବାର୍ ଏସୋସିଏସନ,ଝାରସୁଗୁଡ଼ା
"ଜିଲ୍ଲାରେ ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଲଗାଯାଇଥିବା କଟକଣା ଏକ ପ୍ରଭାବଶାଳୀ ପଦକ୍ଷେପ ଅଟେ ଯାହାକି ସମସ୍ତେ ସ୍ବାଗତ କରିବା ଉଚିତ୍। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଅବସରରେ ହିନ୍ଦୁମାନଙ୍କ ଭାବନାକୁ ଧ୍ୟାନରେ ରଖି ଯେପରି ସୁରୁଖୁରୁରେ ସେମାନେ ଚଳାଚଳ କରିପାରିବେ ତାହା ଉପରେ ଧ୍ୟାନ ଦେବା ଉଚିତ୍। ଲକଡାଉନ ବା ସଟଡାଉନର ଆଳରେ ଲୋକଙ୍କୁ ଅଯଥା ହଇରାଣ କରିବା ଉଚିତ ହେବ ନାହିଁ । ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ନୂଆଖାଇ ଓ ଗଣେଶ ପୂଜା ପାଇଁ ଲୋକଙ୍କ ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରି ଏହି ପର୍ବଗୁଡ଼ିକୁ ପାଳନ କରିଵା ପାଇଁ ଅନୁମତି ଦେବା ଉଚିତ୍ ଯଦ୍ୱାରା ଲୋକେ ନିଜକୁ ମାନସିକ ରୂପେ ପ୍ରସ୍ତୁତ କରି ପାରିବେ। କୋରୋନା ନିମନ୍ତେ ସମସ୍ତ କ୍ଷେତ୍ରର ଲୋକଙ୍କୁ କ୍ଷତି ସହ୍ୟ କରିବାକୁ ପଡ଼ୁଛି, ବ୍ୟବସାୟୀମାନେ ବ୍ୟବସାୟ ହରାଉଛନ୍ତି, ସରକାର କର ପାଉନାହାଁନ୍ତି ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ଲୋକଙ୍କ ନିତିଦିନିଆ ସ୍ବାଧୀନତା ବାଧାପ୍ରାପ୍ତ ହେଉଛି।"
ନରେଶ କୁମାର ନାଏକ, ସଭାପତି,ଅଖିଳ ଭାରତୀୟ ଅଘରିଆ ସମାଜ,ଓଡ଼ିଶା ପ୍ରଦେଶ ତଥା ବରିଷ୍ଠ ଆଇନଜୀବୀ
"ନୁଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗଣ ପର୍ବ,ତାର କିଛି ଟା ସ୍ଵତନ୍ତ୍ରତା ରହିଅଛି, ତା ଭିତରେ ନୁଆଁଖାଇ ଭେଟଘାଟ ଅନ୍ୟତମ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏହିପରି ପଦକ୍ଷେପ ଦୂରଦୃଷ୍ଟି ଅଭାବର ସୂଚକ ବୋଲି ଧରା ଯାଇପାରେ। କାରଣ ନୁଆଁଖାଇ ଭେଟଘାଟ ଯେ କେବଳ ଗୋଟିଏ ଦିନରେ ହୁଏ ନାହିଁ, ମାସ ବ୍ୟାପୀ ପାଳିତ ହୁଏ ସେଗୁଡ଼ିକ ଉପରେ କଟକଣା ଜାରି ହେବ ତ?ସେତେବେଳକୁ ପ୍ରିୟାପ୍ରୀତି ନିତି ହେବ ନାହିଁ ତ? କରୋନା ପାଇଁ ଗାଇଡ ଲାଇନ ଥିବା ପଦକ୍ଷେପ ଗ୍ରହଣ କରି ଯଦି ନୂଅାଁଖାଇ ଭେଟଘାଟ ପାଳନ କରାଯାଏ ତାହେଲେ କ୍ଷତି କଣ? ପଶ୍ଚିମ ଓଡ଼ିଶା ର ପରିଚୟ କୁ କରୋନା ପାଇଁ ସାଲିସ୍ କରିବାକୁ ମୁଁ ନିନ୍ଦା କରୁଛି।
ପ୍ରକାଶ ଥାଉ କି ନୁଆଁଖାଇ ପାଇଁଁ ଗାଁ ଲୋକେ ଚାହିଁ ବସିଥାନ୍ତି ସହରକୁ ଯାଇ ନୂଆ ଧାନ,ଚୁକ୍ନି,ଜଙ୍ଗଲ ରୁ ଭେଲୁଆ ପତ୍ର,କୁରେଇ ପତ୍ର ଇତ୍ୟାଦି ବିକ୍ରି କରି ନିଜ ପାଇଁ ମଧ୍ୟ ସଉଦା ପତ୍ର କିଣାକିଣି କରି ଯାଇଥାନ୍ତି,ନୁଆଁଖାଇ କୁ ମଧ୍ୟ ମାସ ବ୍ୟାପି ଅନ୍ୟ ଦିନରେ ଲଗ୍ନ ଅନୁସାରେ ପାଳନ କରିଥାନ୍ତି, ତେଣୁ କୋହଳ ନୀତିରେ ପଦକ୍ଷେପ ନେବାକୁ ଅନୁରୋଧ।"
ଅଶୋକ କୁମାର ମହାପାତ୍ର, ପୁରୁଣାଵସ୍ତି ଝାରସୁଗୁଡ଼ା
"ଗଣେଶ ପୂଜା ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ବ । ଏହି ପୂଜା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପିର ପୁର୍ନବିଚାର କରିବା ଆବଶ୍ୟକ।କରୋନା ପରିସ୍ଥିତିକୁ ଆଖି ଆଗରେ ରଖି କଟକଣାକୁ କୋହଳ କରିବା ଉଚିତ।
ସେହିପରି ନୁଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ଏହି ପର୍ବର ଅନେକ ମହତ୍ଵ ରହିଛି । ତେଣୁ ଏହା ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ପୁନଃବିଚାରର ଆବଶ୍ୟକତା ରହିଛି। କରୋନା କଟକଣାକୁ ପାଳନ କରି ନୁଆଖାଇ ଭେଟଘାଟ ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ ।
ଏଥିରେ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବେ ଓ ଜନସାଧାରଣ ନିଜ ପରମ୍ପରା ପାଳନରୁ ବିରତ ହେଵେ । ଏହା ଦ୍ଵାରା କେହି ଲାଭବାନ ହେବେ ବୋଲି ମୁଁ ଭାବୁନାହିଁ।"