ନୂଆଖାଇ ଭେଟଘାଟ ଉପରେ ମଧ୍ୟ କଟକଣା!
ଝାରସୁଗୁଡ଼ା:(ସୁଭାଷ ସହାରେ) ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ ଉପରେ କଟକଣା ଲାଗୁ କରିବା ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ। ଏହା ନେଇ ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ ନେଇ ବର୍ତ୍ତମାନ ପରିସ୍ଥିତିରେ ସରକାରୀ ଆଭିମୁଖ୍ୟକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି।
ଏହି ବିଜ୍ଞପ୍ତି ଅନୁଯାୟୀ ଯେ କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ପାଳନ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ମିଳିବ ନାହିଁ। ଲୋକେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏପରି ଗହଳିପୂର୍ଣ୍ଣ କାର୍ଯ୍ୟକ୍ରମ କରିପାରିବେ ନାହିଁ। କୋରୋନା ପ୍ରଭାବକୁ ନେଇ ସରକାର ଏଥର ଏସବୁ କାର୍ଯ୍ୟକ୍ରମ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇପାରିବ ନାହିଁ। ଲୋକଙ୍କ ମଧ୍ୟରେ ସଂକ୍ରମଣ ଯେପରି ନ ବ୍ୟାପେ, ଏଥିପାଇଁ ସରକାର ଏହି ପଦକ୍ଷେପ ନେବାକୁ ବାଧ୍ୟ। ବିଜ୍ଞପ୍ତି ଅନୁସାରେ ନୂଆଖାଇ ଦିନ ଏହିପରି କାର୍ଯ୍ୟକ୍ରମ କରିବାକୁ କଟକଣା ଅଛି। କିନ୍ତୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୂଆଁଖାଇ ପର୍ବଦିନ ବ୍ୟତୀତ ପର ପର ଅନେକ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ ଏବଂ ଏହାକୁ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ଅନୁଷ୍ଠାନ ପ୍ରଭୃତି ହଜାର ହଜାର ସଂଖ୍ୟାରେ କାର୍ଯ୍ୟକ୍ରମ କରିଥାଆନ୍ତି।ଅତଏବ ଲୋକ ଯଦି ଏପରି କାର୍ଯ୍ୟକ୍ରମ ନୂଆଁଖାଇ ପର୍ବ ପରେ ପାଳନ କରନ୍ତି, ତାହା ନେଇ ପ୍ରଶାସନର କିପରି ଆଭିମୁଖ୍ୟ ରହିବ, ତାହା ବିଚାରଯୋଗ୍ୟ।
ଜିଲ୍ଲା ପ୍ରଶାସନ ଏହି ପର୍ବଗୁଡ଼ିକୁ ପାରିବାରିକ ସ୍ତରରେ ଏବଂ ତାହା ମଧ୍ୟ କେବଳ ତାତ୍କାଳିକ ସମ୍ବନ୍ଧ ଥିବା ପରିବାରର ସଦସ୍ୟ ମାନଙ୍କ ଭିତରେ ପାଳନ କରିପାରିବେ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା ମନ୍ଦିରରେ ପୂଜାବିଧିରେ କେବଳ ପୂଜକ ଓ ସମ୍ବନ୍ଧିତ ପଦବୀରେ ଥିବା ବ୍ୟକ୍ତିହିଁ ଉପସ୍ଥିତ ରହି ପାରିବେ ବୋଲି ସୂଚନା ଦିଆଯାଇଛି।
କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ଏ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।