-
ଏପ୍ରିଲ -ଜୁନ, ୨୦୨୦ ମଧ୍ୟରେ , ପାର୍ସଲ ଟ୍ରେନ ଗୁଡିକ ଦ୍ୱାରା ୬୧୬୦ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ
-
୩୧ ଟନ୍ ଔଷଧ ଓ ୨୦ ଟନ୍ ଚିକିତ୍ସା ଉପକରଣ ପରିବହନ କରାଯାଇଛି l
-
୪୩୪୫ ଟନ୍ ର ଆମ୍ବ ସହିତ ୪୩୭୬ ଟନ୍ ର ଫଳ ପରିବହନ କରାଯାଇଛି l
-
ଦେଶର ବିଭିନ୍ନ ସ୍ଥାନକୁ ୮୨୪ ଟନ୍ ମାଛ, ୨୧୦ ଟନ୍ ଦୁଗ୍ଧ ଜାତ ଦ୍ରବ୍ୟ ଓ ଅଣ୍ଡା ଏବଂ ୬୭୩ ଟନ୍ ର ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ
-
୫୨୪୦ ଟନ୍ ର ପାର୍ସଲ ବାହାର ରାଜ୍ୟରୁ ଆସିଛି l
ଭୁବନେଶ୍ୱର (ଶାସକ ପ୍ରଶାସକ) : ସାଧାରଣତଃ ପାର୍ସଲ ପରିବହନର ସିଂହ ଭାଗ ନିୟମିତ କୋଚିଂ ଟ୍ରେନ୍ ଗୁଡିକ ମାଧ୍ୟମରେ କରାଯାଇ ଥାଏ l ଲକ୍ ଡାଉନ୍ ସମୟରେ ନିୟମିତ କୋଚିଂ ଟ୍ରେନ ଗୁଡିକର ଚଳାଚଳ ବନ୍ଦ ଥିବା କାରଣରୁ ଏକ ନୂତନ ପରିକଳ୍ପନା ସ୍ୱରୁପ ଟାଇମ ଟେବୁଲ ଟ୍ରେନର ଚଳାଚଳ ଆରମ୍ଭ କରାଗଲା l ବିଶ୍ୱ ମହାମାରୀ କୋଭିଡ-19 ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ଜନସାଧାରଣ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ର ଅଭାବର ସମ୍ମୁଖୀନ ନ ହୁଅନ୍ତି , ସେଥିପାଇଁ ଅନବରତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସୁନିଶ୍ଚିତ କରିବା ନିମନ୍ତେ ଏହି ବ୍ୟବସ୍ଥା କରାଯାଇଥିଲା l
ଏହି ସମୟାବଧିରେ, ଫଳ ଓ ପନିପରିବା, ଦୁଗ୍ଧ, ରନ୍ଧନ ତୈଳ, ତେଜରାତି ସାମଗ୍ରୀ, ଔଷଧ ଓ ମେଡିକାଲ ଉପକରଣମାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE) ଚିନି ଓ ଲୁଣ ଇତ୍ୟାଦି ଭଳି ଜରୁରୀ ସାମଗ୍ରୀଗୁଡିକୁ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ ନିମନ୍ତେ ପାର୍ସଲ ଟ୍ରାଫିକ ଏକ ପସନ୍ଦଯୋଗ୍ୟ ଉପାୟ ରୂପେ ଉଭା ହୋଇଥିଲା l
ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ, ଅର୍ଥାତ ଏପ୍ରିଲ ରୁ ଜୁନ, ୨୦୨୦ ମଧ୍ୟରେ, ପୂର୍ବ ତଟ ରେଳପଥ ଏହାର ସ୍ୱତନ୍ତ୍ର ପାର୍ସଲ ଟ୍ରେନ ଗୁଡିକ ଦ୍ଵାରା ୬୧୬୦ ଟନ୍ ର ଅତ୍ୟାବଶ୍ୟକ ସାମଗ୍ରୀକୁ ମିଶାଇ ୭୦୦୦ ଟନ ର ପାର୍ସଲ ପରିବହନ କରିଛି l ଏହି ସମାୟାବଧିରେ 31 ଟନ୍ ର ଔଷଧ ଓ ୨୦ ଟନ୍ ର ମେଡିକାଲ ଉପକରଣ ପରିବହନ କରିଥିଲା l ଏହା ମଧ୍ୟରେ ଅନେକ ଜୀବନ ରକ୍ଷାକାରୀ ଔଷଧ ଓ ପରୀକ୍ଷାଗାରଗୁଡିକ ନିମନ୍ତେ ପଠାଯାଉଥିବା ନମୁନା ଅନ୍ତର୍ଭୁକ୍ତ l
ଖାଦ୍ୟ ସାମଗ୍ରୀର ଅନବରତ ଯୋଗାଣ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ପାର୍ସଲ ଟ୍ରେନ୍ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା l ପୂର୍ବ ତଟ ରେଳପଥ ର ଅଧିକାର କ୍ଷେତ୍ରରୁ ୨୧୦ ଟନ ଦୁଗ୍ଧ /ଦୁଗ୍ଧ ଜାତ ଉତ୍ପାଦ ଏବଂ ଅଣ୍ଡା ବୋଝେଇ କରାଯାଇଥିଲା ଓ ପରିବହନ କରାଯାଇଥିଲା l ଶୁଖିଲା ଦୁଗ୍ଧ ଗୁଣ୍ଡ ଓ ରନ୍ଧନ ତୈଳ ମଧ୍ୟ ପୂର୍ବ ତଟ ରେଳପଥ ରେ ଗ୍ରହଣ କରାଯାଇଥିଲା l
ଏହି ସମୟରେ କୃଷକ ମାନଙ୍କର ଉତ୍ପନ୍ନ ଉତ୍ପାଦକୁ ବଜାରକୁ ପଠାଇବା ଏକ ଆହ୍ୱାନ ରୂପେ ଉଭାହୋଇ ଭୀଷଣ ଜଟିଳ ରୂପ ଧାରଣ କରିଥିଲା l ଏପରି ଏକ ପରୀକ୍ଷାର ମୁହୂର୍ତ୍ତରେ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପୂର୍ବ ତଟ ରେଳପଥ ଆଗେଇ ଆସିଥିଲା l ୪୩୭୬ ଟନର ଫଳ ଓ ପନି ପରିବା ସୁରକ୍ଷିତ ରୂପେ ଓ ଯଥା ସମୟରେ ବିଭିନ୍ନ ବଜାରଗୁଡିକ ପର୍ଯ୍ୟନ୍ତ ପରିବହନ କରାଯାଇପାରିଥିଲା l ଏଥିରେ ଆନ୍ଧ୍ର ପ୍ରଦେଶରୁ ଦିଲ୍ଲୀକୁ ପଠାଯାଇଥିବା ୪୩୪୫ ଟନର ଆମ୍ବ ଅନ୍ତର୍ଭୁକ୍ତ l୮୨୪ ଟନ୍ ର ମାଛ ମଧ୍ୟ ଉପକୂଳ ଅଂଚଳ ର ଖାଉଟି କେନ୍ଦ୍ର ଗୁଡିକୁ ପରିବହନ କରାଯାଇଥିଲା l ଏହା ବ୍ୟତୀତ,୬୭୩ ଟନ୍ ର ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଥିଲା l
ଏହି ସମାୟାବଧିରେ, ପୂର୍ବ ତଟ ରେଳ ପଥ ଅଧିକାର କ୍ଷେତ୍ରରେ ୫୨୪୦ ଟନ୍ ର ପାର୍ସଲ ଗ୍ରହଣ କରାଯାଇଛି l ଏହି ଆସିଥିବା ସାମଗ୍ରୀ ମଧ୍ୟରେ ମେଡିକାଲ ଉପକରଣ, ଔଷଧ, ସୁତାବ୍ୟାଗ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, କୁକୁଡ଼ା ଅଣ୍ଡା, ଦୁଗ୍ଧ ଇତ୍ୟାଦି ଅନ୍ତର୍ଭୁକ୍ତ l