ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପଜିଟିଭ୍ ସଂଖ୍ୟା ମୁଖ୍ୟତଃ ସହରାଞ୍ଚଳ ଓ ବ୍ଳକ ମୁଖ୍ୟାଳୟ ଏବଂ କିଛି ଗ୍ରାମାଞ୍ଚଳର ପଞ୍ଚାୟତରୁ ଆସୁଛି।
ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ଆସନ୍ତା ୨୦/୭/୨୦୨୦ ତାରିଖ ସକାଳ ୫ ଘଣ୍ଟା ଠାରୁ ୩୧/୭/୨୦୨୦ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର(ଏନ୍ ଏ ସି) ସମେତ ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଓ କତଲ କଇଠା ପଞ୍ଚାୟତ , କାଶୀନଗର ବ୍ଳକ ଅନ୍ତର୍ଗତ ରାଣିପେଣ୍ଠ ଓ ହାଡୁଭାଙ୍ଗି ପଞ୍ଚାୟତ , ଗୁମ୍ମା ବ୍ଳକ ଅନ୍ତର୍ଗତ ଆଶ୍ରୟଗଡ଼ ଓ ଝାମି ପଞ୍ଚାୟତ , ରାୟଗଡ ବ୍ଳକ ଅନ୍ତର୍ଗତ କାରଡା ସିଂ ଓ ନାରାୟଣପୁର ପଞ୍ଚାୟତ , ନୂଆଗଡ ବ୍ଳକ ଅନ୍ତର୍ଗତ କେ. ଝାଲାର ସିଂ ପଞ୍ଚାୟତ , ଆର୍ .ଉଦୟଗିରି ଅନ୍ତର୍ଗତ ଶବରପଲ୍ଲୀରେ ପଞ୍ଚାୟତ , ମୋହନାବ୍ଳକ ଅନ୍ତର୍ଗତ ପିଣ୍ଡିକ ପଞ୍ଚାୟତ କୁ ଲକ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ଅନୁପମ ସାହା।
ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା :- ପନିପରିବା , ତେଜରାତି ଜିନିଷ , କ୍ଷୀର , ଫଳ , ମାଛ , ମାଂସ ଓ ଅଣ୍ଡା ଇତ୍ୟାଦି ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବରୁ ଲକ୍ ଡାଉନ୍ ସମୟରେ ଯେଉଁ ସବୁ କଟକଣା ଥିଲା ସେଭଳି କଟକଣା ରହିବ। ଏତଦବ୍ୟତୀତ କଣ୍ଟେନମେଣ୍ଟ ଜୋନରେ ଲାଗୁ ହୋଇଥିବା ନିୟମ ଗୁଡିକ ପୂର୍ବ ଭଳି ବଳବତ୍ତର ରହିବ। ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କ ଦ୍ଵାରା ଲାଗୁ ହୋଇଥିବା ସଟଡାଉନ୍ ନିୟମ ବଳବତ୍ତର ରହିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି।