ହେଡଲାଇନସ୍:

 କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ସଚେତନତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା

• ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ ବୋଲି ମୋର ଦୃଢ ବିଶ୍ୱାସ

• କରୋନା ଟୀକା ତିଆରି ହେବା ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର

• ଲକ୍ ଡାଉନରେ ଥିବା ଜିଲ୍ଲାର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀ ମାନଙ୍କୁ ସହଯୋଗ କରିବା ଦରକାର

• ସଂଯମତା ଓ ଆବେଗର ନୂଆ ରାସ୍ତାର ବଡ଼ ଉଦାହରଣ ହେଲା ଚଳିତବର୍ଷର ରଥଯାତ୍ରା

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ । ଏହାକୁ ଧ୍ୟାନରେ ରଖି ସମସ୍ତଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାର ଆବ୍ୟକତା ରହିଛି । ଓଡିଆରେ ଏକ ଉକ୍ତି ଅଛି ଖା, ଭୁଞ୍ଜ ଓ ଗିଳ । ଲୋକଙ୍କ ଠାରେ ତିନୋଟି ଶବ୍ଦର ପ୍ରୟୋଗ ତିନି ପ୍ରକାରର ପ୍ରତିକ୍ରିୟା ପରିଲକ୍ଷିତ ହୁଏ । ତେଣୁ କେଉଁ ସମୟରେ କେଉଁ ଶବ୍ଦ ପ୍ରୟୋଗ କରାଯିବ ସେଥିପ୍ରତି ସଚେତନ ହେବା ଦରକାର ।

ବିଶେଷ ଭାବରେ ଯେଉଁମାନେ ନିୟମ ପାଳନ କରେଇବା ଦାୟିତ୍ୱରେ ଅଛନ୍ତି ତଥା ବ୍ୟବସ୍ଥାରେ ଥିବା ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସାମାଜକୁ ବୁଝାଇବା କାମରେ ଲାଗିବାର ଆବଶ୍ୟକତା ରହିଛି ।

ବ୍ୟବସ୍ଥାରେ ଥିବା ଅଧିକାରୀମାନେ ଲୋକଙ୍କୁ ଏହପରି ଏକ କଠିନ ସମୟରେ ବୁଝାଇବା ସହ ପରାମର୍ଶ ଦେବା ଦରକାର । ଏହା ସେମାନଙ୍କ ପାଇଁ ବଡ଼ ଦାୟିତ୍ୱ ହେବା ଦରକାର । କାରଣ ଥରେ ସମାଜରେ ଅବିଶ୍ୱାସ ଏବଂ ଅସନ୍ତୋଷର ବାତାବରଣ ତିଆରି ହେଲେ ମୂଳ କଥାକୁ ଭୁଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର । ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମୁନିସିପାଲଟିରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଏହି ଅଞ୍ଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀମାନଙ୍କୁ ସହଯୋଗ କରିବା ଦରକାର  ।

ଅତୀତରେ ଓଡ଼ିଆ ଜାତି ବିପତ୍ତି ସମୟରେ ଅସୀମ ସାହାସ ଓ ଧୈର୍ଯ୍ୟ ଦେଖାଇ ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପ୍ରେରଣା ସମସ୍ତଙ୍କ ସାଥୀରେ ରହିଛି । ସଂଯମତା ଓ ଆବେଗର ନୂଆ ରାସ୍ତାର ବଡ଼ ଉଦାହରଣ ହେଲା ଚଳିତବର୍ଷର ରଥଯାତ୍ରା । ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ ବୋଲି ଦୃଢ ବିଶ୍ୱାସ ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି  ।

 

0
0
0
s2sdefault