ତିଆରି ହେଇ ପାରୁ ନାହିଁ ପ୍ରଧାନ ମନ୍ତ୍ରୀ ଆବାସ , ଠିକାଦାରଙ୍କୁ ଟଙ୍କା ଦେଇ ଦିବ୍ୟାଙ୍ଗ ହତାଶ
ନୂଆପଡା.(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା କୋମନା ବ୍ଲକ ପଲସିପାଣି ପଞ୍ଚାୟତର ଜଣେ ଦିବ୍ୟାଙ୍ଗ ଛୋଟେଲାଲ ସୁନାନୀ ପ୍ରଧାନ ମନ୍ତ୍ରୀ ଆବାସିକ ଗୃହ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ ପ୍ରଥମ କିସ୍ତିର ଟଙ୍କା ଦେଇ ହଇରାଣରେ ପଡିଛନ୍ତି । ନିଜର ସ୍ତ୍ରୀ ଓ ୩ ଟି ଛୁଆଙ୍କୁ ନେଇ ପର ଘରେ ଆଶ୍ରୟ ନେଇଛନ୍ତି ।
ପଲସିପାଣି ପଞ୍ଚାୟତର ଛୋଟେଲାଲ ସୁନାନୀ ଜଣେ ଦିବ୍ୟାଙ୍ଗ ଅଟନ୍ତି । ଏକ ବର୍ଷ ତଳେ ନିଜର ଆଖିର ଅପରେସନ୍ କରି ଭୂବନେଶ୍ୱରରୁ ଫେରୁଥିଲା ବେଳେ ଚଳନ୍ତା ଟ୍ରେନରୁ ଗଳି ପଡି ନିଜର ଦୁଇଟି ଯାକ ଗୋଡ ହରାଇଥିଲେ । ପ୍ରଧାନ ମନ୍ତ୍ରୀ ଆବାସିକ ଯୋଜନା ଅନ୍ତର୍ଗତ ୨୦୧୮-୧୯ ରେ ତାଙ୍କୁ ଏକ ଘର ତିଆରି କରିବା ପାଇଁ ଆଦେଶନାମା ମିଳିଥିଲା । ଆଦେଶନାମା ସହ ପ୍ରଥମ କିସ୍ତି ସ୍ୱରୂପ ୨୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା । ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଛୋଟେଲାଲ ଗୃହ ନିର୍ମାଣ ପାଇଁ ଜଣେ ସ୍ଥାନୀୟ ଠିକାଦାର ଗୁଣନିଧି ଶବରଙ୍କ ସାହାଯ୍ୟ ନେଇଥିଲେ ଓ ତାଙ୍କୁ ପ୍ରଥମ କିସ୍ତିରେ ପାଇଥିବା ୨୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଗୁଣନିଧି କେବଳ ଫାଉଣ୍ଡେସନ ପକେଇ ଦେଇ ଆଉ ଧରାଛୁଆଁ ଦେଉ ନଥିବାର ଅଭିଯୋଗ କରିଛନ୍ତି ଛୋଟେଲାଲ । ଫୋନ କଲେ ମଧ୍ୟ କୈାଣସି ଉତ୍ତର ଦେଉ ନାହାନ୍ତି । ଏନେଇ ସ୍ଥାନୀ ୟ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ । ନିଜର ସ୍ତ୍ରୀ ଘନକେଶି ସୁନାନୀ ବଡ ଝିଅ ସୁଭଦ୍ରା ସୁନାନୀ (୧୬) ମଝିଆ ପୁଅ ନବକୃଷ୍ଣ ସୁନାନୀ (୧୫) ଓ ସାନ ପୁଅ ବିକାଶ ସୁନାନୀ (୫) ଙ୍କୁ ନେଇ ଛୋଟେଲାଲ ନିଜର ଶ୍ୱଶୁର ଘର ଗ୍ରାମ ସିଲଭାରେ ଗାଁ ଲୋକେ ପ୍ରଦାନ କରିଥିବା ଗୋଟିଏ ଘରେ ଆଶ୍ରୟ ନେଇଛନ୍ତି । ଖାଉଟି କାର୍ଡରେ ମିଳୁଥିବା ଚାଉଳ ଓ ମାଗିଯାଚି ମିଳୁଥିବା ସ୍ୱଳ୍ପ ଟଙ୍କାରେ ବଡ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ନିଜ ଘର ଖଣ୍ଡିକ କିପରି ଶିଘ୍ର ତିଆରି ହେବ ସେଥି ପାଇଁ ଜାହାକୁ ଦେଖିଲେ ତାହାକୁ ନେହୁରା ହେଉଛନ୍ତି । ଏନେଇ ଆମ୍ଭର ସମ୍ବାଦଦାତା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଆମେ ଯଥା ଶିଘ୍ର ତାଙ୍କର ଘର କିପରି ନିର୍ମାଣ ହେଇ ପାରିବ ତାହାର ବ୍ୟବସ୍ଥା କରୁଛୁ ବୋଲି କହିଥିଲେ । ଛୋଟେଲାଲଙ୍କ ଦୁଃଖ କେବେ ସରିବ ଓ ଜିଲ୍ଲା ପ୍ରଶାସନ ତାଙ୍କର କିପରି ସହଯୋଗ କରିବ ତାହା ଏବେ ଦେଖିବାର ରହିଲା ।