ହେଡଲାଇନସ୍:

ତୃଷିତ ରହିଲା ନୟନ , ହେଲାନି ନବ ଯୌବନ ଦର୍ଶନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାପ୍ରଭୂଙ୍କ ନେତ୍ରୋତ୍ସବ ଓ ନବ ଯୌବନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ 

କରୋନା କଟକଣା କୋଟି କୋଟି ଜଗନ୍ନାଥ ପ୍ରେମୀମାନଙ୍କୁ ହତାଶ କରାଇ ଦେଇଛି

ଉଚ୍ଚତମ ନ୍ୟାୟାଳୟ ନିଷ୍ପତ୍ତି ପୂର୍ବରୁ ରଥଯାତ୍ରା ବନ୍ଦ କରାଯିବା ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ

ବାରିପଦା(ଦିଲ୍ଲୀପ ମହାନ୍ତି )-ସମଗ୍ର ସୃଷ୍ଟିର ଆଧାର ଜଗତକର୍ତ୍ତା ପରଂବ୍ରହ୍ମ ପରମାତ୍ମା ମହାପ୍ରଭୂ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ରୂପରେ ହରି ବଳଦେବ ଜୀଉ  ବାରିପଦାରେ ପ୍ରତ୍ୟେକ ଦିନ କିଛି ସମୟ ନିମନ୍ତେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମାନବଗହଣରେ ବିଜେ ହୋଇଥିବାରୁ ମାନବୀୟ ଲୀଳାରେ ତାଙ୍କର ଦୈନନ୍ଦିନ ନୀତି ଓ ପୂଜାର୍ଚ୍ଚନା ପରିଚାଳିତ ହୋଇଆସୁଛି । ପ୍ରାତଃ ସମୟର ନିଦ୍ରାଭଙ୍ଗଠାରୁ ଆରମ୍ଭ ହୋଇ ଦନ୍ତ ଶୋଧନ, ସ୍ନାନ, ଭୋଜନ ଆଦି ସମସ୍ତ ଆଙ୍ଗିକ କର୍ମଗୁଡ଼ିକ ସମ୍ପାଦିତ ହୋଇଥାଏ ରାତ୍ରି ବିଶ୍ରାମ ପର୍ଯ୍ୟନ୍ତ । ମହାପ୍ରଭୂଙ୍କ ଯାତ୍ରାମାନଙ୍କ ମଧ୍ୟରେ ସ୍ନାନଯାତ୍ରା ଆଦ୍ୟଯାତ୍ରା ଭାବେ ପାଳିତ ହୋଇଥାଏ । ସ୍ନାନଯାତ୍ରା ପରେ ମହାପ୍ରଭୂ ଅଣସର ଗୃହରେ ପ୍ରବେଶ କରି ବାଉଁଶ ତାଟିର ଆବରଣ ମଧ୍ୟରେ ରହିଥିବା ବେଳେ ଗୋପନରେ ସମସ୍ତ ସେବାକର୍ମ ସମ୍ପନ୍ନ କରାଯାଇଥାଏ । ଷୋଡ଼ଶ ଦିବସରେ ମହାପ୍ରଭୂଙ୍କ ନେତ୍ରୋତ୍ସବ ପାଳିତ ହୋଇଥାଏ ଓ ଏହାକୁ ଦର୍ଶନଲାଭ କରୁଥିବା ଭକ୍ତମାନେ ଭବସାଗରରୁ ପାର ହୋଇ ଶ୍ରୀହରିଙ୍କର ଦେବଦୁର୍ଲଭ ସ୍ଥାନକୁ ଅର୍ଥାତ୍ ବୈକୁଣ୍ଠ ପ୍ରାପ୍ତି ହେଉଥିବାର ବିଶ୍ୱାସ କରାଯାଏ । କିନ୍ତୁ କରୋନାକୁ ନେଇ ଦ୍ୱିତୀ୍ୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ପରିଚାଳନା କମିଟି ଏବଂ ପ୍ରଶାସନିକ କଟକଣା ଭକ୍ତମାନଙ୍କୁ ଏଥିରୁ ବଞ୍ଚିତ କରାଇଦେଇଛି । 

ବାରିପଦାରେ  ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ରା ଓ ଭଉଣୀ ସୁଭଦ୍ରାଙ୍କ ସହିତ ଅଣସର ନୀତି ଜୁନ ୧୯ ଶୁକ୍ରବାର ସମାପନ ହୋଇଥିଲା । ଉକ୍ତ ଦିବସରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି ୭ରୁ ୯ ମଧ୍ୟରେ ଅଧିବାସ ନୀତି ସମ୍ପନ୍ନ ହୋଇଥିଲା । ଏହାର ପରବର୍ତ୍ତି ଦିନ ଅର୍ଥାତ୍ ଆଜି ଶନିବାର ପୂର୍ବାହ୍ନ ସାଢେ଼ ୭ ମଧ୍ୟରେ ନେତ୍ରଲାଗି, ୧୧ଟାରୁ ପ୍ରତିଷ୍ଠା  ଓ ନେତ୍ର ଉତ୍ସବ ପୂଜା ସମାପନ ହୋଇଥିଲା । ସେହିପରି ଅପରାହ୍ନ ୫ରୁ ସନ୍ଧ୍ୟା ୭ ମଧ୍ୟରେ ଅବକାଶ ନୀତି ସହିତ ନେତ ବନ୍ଧନ ଆଦି ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ରାତ୍ରି ସାଢେ଼ ୭ରୁ ୧୧ଟା ମଧ୍ୟରେ ମହାପ୍ରଭୂ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତେ । ଏହି ବେଶକୁ ଦର୍ଶନ କରିବା ନିମନ୍ତେ ଭକ୍ତମାନେ ମଧ୍ୟ ଚାତକପରି ଅନାଇ ବସିଥାନ୍ତି ।  ସେହିପରି ଜୁଲାଇ ୨୩ ମଙ୍ଗଳବାର ପୂର୍ବାହ୍ନ ୭ଟାରୁ ୧୦ଟା ମଧ୍ୟରେ କଳସ ସହିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପ୍ରତିଷ୍ଠା  ହେବା ପରେ ୧୧ଟା ମଧ୍ୟରେ ଶ୍ରୀଶ୍ରୀ ମା’ ଅମ୍ବିକା ଠାକୁରାଣୀଙ୍କ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ ସମ୍ପନ୍ନ ହେବ । ଅପରାହ୍ନ ୩ରୁ୪ଟା ମଧ୍ୟରେ ଚକାଛଡ଼ା, ୪ଟାରୁ ସାଢେ଼ ୪ ମଧ୍ୟରେ ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମାପନ ହେବା ପରେ ପରେ ମହାପ୍ରଭୂମାନଙ୍କୁ ଗୋଟି ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହେବେ ଏବଂ ରଥଖଳାରେ  ସାରାରାତି ଅବସ୍ଥାନ କରିବା ପରେ ଜୁଲାଇ ୨୪ ଓ ୨୫ରେ ରଥଟଣା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଆରମ୍ଭ ହୋଇଥାନ୍ତା । ମାତ୍ର ଗତ ଜୁନ ୧୭ରେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୂ ମନ୍ଦିର ପରିଚାଳନା କମିଟି ପକ୍ଷରୁ  ମହାପ୍ରଭୂଙ୍କ ରଥା ଯାତ୍ରା, ବାହୁଡ଼ାଯାତ୍ରା ଏବଂ ତତ୍ ସଂଲଗ୍ନ ଅନ୍ୟାନ୍ୟ ଉତ୍ସବ ଆଦିକୁ ମନ୍ଦିର ପରିସରରେ କେବଳ ସେବାୟତମାନଙ୍କ ଦ୍ୱାରା ଯଥାବିଧି ନୀତିକାନ୍ତି ସହ ସମ୍ପନ୍ନ କରାଯିବାର ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । 

 ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୂ ବିଜେଙ୍କ ମନ୍ଦିରରେ ସମସ୍ତ ନୀତିକାନ୍ତି, ବିଧି ବ୍ୟବସ୍ଥା, ପାର୍ବଣୀ ଆଦି ପୁରୀ ଶ୍ରୀମନ୍ଦିର ସହିତ ନିବିଡ଼ ସମ୍ପର୍କ ରହିଆସିଛି ।  ଏହି ସମ୍ପର୍କ ଆଜିର ନୁହେଁ । ମହାପ୍ରଭୂ ଶ୍ରୀଜଗନ୍ନାଥ ମୟୂରଭଞ୍ଜ ମହାରାଜାଙ୍କୁ ସ୍ୱପ୍ନାଦେଶ ହେବାର ପରିବର୍ତ୍ତୀ ସମୟରୁ ଯୋଡ଼ି ହୋଇଯାଇଛି । ଏହି ସମୟରେ ଶ୍ରୀକ୍ଷେତ୍ରଧାମ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ରଥ ଟଣା ଉପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ମାମଲାର ଚୁଡ଼ାନ୍ତ ରାୟ ଆସିନଥିବା ସମୟରେ ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୂ ମନ୍ଦିର ପରିଚାଳନା କମିଟି ରଥ ଟଣା ବନ୍ଦ ନିଷ୍ପତି ନେବାର ଅଧିକାର ଆସିଲା କେଉଁଠୁ । ପୁଣି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାମାଜିକ ଗଣମାଧ୍ୟମ ହ୍ୱାଟ୍ସଆପ୍ପରେ ଜାରି କରାଇଥିବା ଗଣମାଧ୍ୟମ ପ୍ରେସ ଇସ୍ତାହାରରେ ନଥିଲା ପତ୍ର ସଂଖ୍ୟା ଏବଂ କୌଣସି ବ୍ୟକ୍ତିର ସ୍ୱାକ୍ଷର । ଏଥି ସହିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୂ ବିଜେଙ୍କ ମନ୍ଦିରର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଥିବା ବେଳେ ମନ୍ଦିରର ସେବାୟତମାନଙ୍କୁ ଏ ବିଷୟରେ ଅନ୍ଧାର ମଧ୍ୟରେ ରଖାଯାଇଥିଲା । ତେବେ କଣ ମନ୍ଦିର ପରିଚାଳନା କମିଟିରେ ସଦସ୍ୟ ଭାବେ ସେବାୟତମାନଙ୍କୁ ସ୍ଥାନ ଦିଆଯାଇ ନାହିଁ । ସେହିପରି କମିଟିରେ କେଉଁମାନେ ସଦସ୍ୟ ରହିଛନ୍ତି , ଉକ୍ତ କମିଟି କିଏ କେଉଁ ଦିନ ଗଠନ କଲେ ତାହାକୁ ନେଇ ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଠିଛି । ଏ ବିଷୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ସହିତ ୯୪୩୭୨୨୪୯୨୫ରେ ଯୋଗାଯୋଗ କରିବା ପରେ ଏହା ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନା କମିଟି ବସି ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା ବୋଲି କହିଥିଲେ ।   

ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ମହାକାଳର ପ୍ରବାହରେ ଅନେକ ଘାତ ପ୍ରତିଘାତ ଓ ପରିବର୍ତ୍ତନ ଅତିକ୍ରମ କରି ବର୍ତ୍ତମାନ ମହାଜାତିର ମହୋତ୍ସବରେ ପରିଣତ ହୋଇଛି । ମନୁଷ୍ୟ ରଥାରୂଢ଼ ବାମନରୂପୀ ଭଗବାନ ଶ୍ରୀଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କଲେ ଜନ୍ମ-ମୃତୁ୍ୟ ଚକ୍ରରୁ ଚିରଦିନ ପାଇଁ ମୁକ୍ତ ହୋଇ ମୋକ୍ଷ ଲାଭ ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ଭଗବାନ ବଡ଼ଦାଣ୍ଡରେ ବର୍ଷରେ ଥରେ ଭକ୍ତମାନଙ୍କ ସହିତ ଲୀଳାଖେଳା ଖେଳା କରିବାକୁ ରତ୍ନ ସଂହାସନ ତ୍ୟାଗ କରି ଉହ୍ଲାଇ ଆସିଥାନ୍ତି ବଡ଼ଦାଣ୍ଡକୁ । କରୋନା ମୁକାବିଲାକୁ ନେଇ ଜାରି ହୋଇଥିବା କଟକଣା ଏବଂ ଉଚ୍ଚତମ ନ୍ୟାୟାଳୟର ରାୟ ଏଥିରେ ବାଧକ ସାଜିଛି । ତଥାପି ଭକ୍ତମାନେ ହାର ମାନି ନାହାନ୍ତି । ଉଚ୍ଚତମ ନ୍ୟାୟାଳୟରେ ରିଭୁ୍ୟ ପିଟିସନର ଫଳାଫଳ କଣ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ପୁରୀରେ ଭକ୍ତ ରାଜ ରାସ୍ତାକୁ ଉହ୍ଲାଇ ଆସିଥିବାର ଜଣାପଡ଼ିଛି ।

 

0
0
0
s2sdefault