ହେଡଲାଇନସ୍:

ଜାତୀୟ ସମ୍ମାନ-ପ୍ରାପ୍ତ ନିରଞ୍ଜନଙ୍କୁ ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ନିଜର ଉତ୍କୃଷ୍ଟ ସେବା କାର୍ଯ୍ୟ ପାଇଁ ଜାତୀୟ ସମ୍ମାନ ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ନିରଞ୍ଜନ ବେହେରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ସୁଖମୟ ଜୀବନ କାମନା କରିଥିଲେ ।   ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାହା  ନିରଞ୍ଜନଙ୍କ ଭଳି ଅନ୍ୟ ଭିନ୍ନକ୍ଷମ ଭାଇଭଉଣୀ ମାନେ ମଧ୍ୟ ଲୋକଲୋଚନକୁ ଆସି ତାଙ୍କର  ସମାଜ ଓ ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ କାମନା କରିଥିଲେ ।

  କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା ପ୍ରାରମ୍ଭିକ ସୂଚନା ଦେଇ ନିରଞ୍ଜନ ତାଙ୍କର ଏହି ଶିକ୍ଷା ଗ୍ରହଣ କରିବା ପରେ ଭିନ୍ନକ୍ଷମ ଭାଇଭଉଣୀଙ୍କ ସର୍ବାଙ୍ଗୀନ ଉନ୍ନତି ସେବାରେ କିଭଳି କାର୍ଯ୍ୟରତ ଥିଲେ ଏବଂ ଜାତୀୟ ସମ୍ମାନ ପାଇବା ପାଇଁ ତାଙ୍କର କେଉଁ କାର୍ଯ୍ୟ ଯୋଗୁଁ ତାଙ୍କୁ ମନୋନୀତ କରାଗଲା ଓ କିଭଳି , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

      ନିରଞ୍ଜନ ବେହେରା  ତାଙ୍କର ସମ୍ବର୍ଦ୍ଧନା ଜ୍ଞାପନର ପ୍ରତ୍ୟୁତ୍ତରରେ ସେ କହିଥିଲେ ଯେ , ଆଜି ମୋତେ ଯେଉଁ ଜାତୀୟ ସମ୍ମାନ ମିଳିଛି , ଏହା ମୋର ନୁହେଁ ଏହା ମୋର ଭିନ୍ନକ୍ଷମ ଭାଇଭଉଣୀଙ୍କ । ପ୍ରକୃତରେ ସିସିଡି ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରାଜୁ ଏବଂ ପଦ୍ମାରାଜ ମେଡମଙ୍କ ଯୋଗୁଁ ସମ୍ଭବ ହୋଇଛି । ସେମାନେ ଯଦି ମୋତେ ଆଣି ଫୋକ୍ସ ଦେଇ ନ ଥାନ୍ତେ , ତା ହେଲେ ଆଜି ମୁଁ ଏହି ଜାତୀୟ ସମ୍ମାନ ପାଇବାର ଅଧିକାରୀ ହୋଇ ନ ଥାନ୍ତି । ଆମର ଯେଉଁ ଶକ୍ତି ଅଛି , ତାହା ପ୍ରକୃତରେ କିଭଳି ବିକଶିତ ହୋଇପାରିବ , ସେହି ଉଦ୍ଦେଶ୍ୟ ମୋର ଭିନ୍ନକ୍ଷମ ଭାଇଭଉଣୀଙ୍କ ଉନ୍ନତି ପାଇଁ ମୁ ମୋର କାମ ଜାରି ରଖିଲି । ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇ ସେମାନେ ଯେମିତି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ  ସେହି ଉଦ୍ଦେଶ୍ୟ ନେଇ ମୁଁ କାମ କଲି ଓ କରୁଛି ମଧ୍ୟ ବୋଲି କହିଥିଲେ ।

   ଏହି ଅବସରରେ ସିସିଡି ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରାଜୁ , କହିଥିଲେ ଯେ  ଜିଲ୍ଲାରେ  ଭିନ୍ନକ୍ଷମ ବ୍ୟକ୍ତିମାନେ ବସବାସ କରୁଥିବା ଅଞ୍ଚଳକୁ ଆମ ଅନୁଷ୍ଠାନ ପକ୍ଷରୁ ଚିହ୍ନଟ କରାଯାଇ  ସେଠାରେ ସେମାନଙ୍କ ଜୀବିକା ପାଇଁ ଫୋକସ ଏରିଆ ଭାବେ ଗ୍ରହଣ କରି କାର୍ଯ୍ୟ ଜାରୀ ରଖିଲୁ । ସେମାନଙ୍କୁ ସଶକ୍ତ କରାଇ  ସେମାନଙ୍କ ଆତ୍ମ ନିର୍ଭରଶୀଳ ହେବାପାଇଁ ସମବାୟ ବ୍ୟାଙ୍କ ବ୍ୟବସ୍ଥା ମଧ୍ୟ କଲୁ , ଯେଉଁଥିରେ କି ଭିନ୍ନକ୍ଷମ ଭାଇଭଉଣୀ ମାନେ ଅନ୍ୟ ଉପରେ ନିର୍ଭର ନ ହୋଇ ନିଜେ ସ୍ୱାଧୀନ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ । 

   ଏଠାରେ ସୂଚନା ଯୋଗ୍ୟ ଯେ ,  ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତ ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଦିନରେ ନିରଞ୍ଜନ ବେହେରାଙ୍କୁ  ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ କାର୍ଯ୍ୟରତ ତଥା ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ତଥା ତାଙ୍କର ଉତ୍କୃଷ୍ଠ ସେବା କାର୍ଯ୍ୟ ପାଇଁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ  ଉପ-ରାଷ୍ଟ୍ରପତି ଏମ-ଭେଙ୍କେୟା ନାଇଡୁ ଏହି ଜାତୀୟ ସମ୍ମାନ ସହ ଏକ ଲକ୍ଷ ଟଙ୍କା ତାଙ୍କୁ ପ୍ରଦାନ କରିଥିଲେ ।

   କେବଳ ଗଜପତି ଜିଲ୍ଲା ନୁହେଁ ,  ସମଗ୍ର ଓଡିଶାରେ ଭନ୍ନକ୍ଷମ ଭାଇଭଉଣୀ ମାନଙ୍କୁ  ସେମାନଙ୍କ ଅଧିକାର ନ୍ୟାୟ ଦେଇ ସଶକ୍ତି କରାଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଭଳି ଉଲ୍ଲେଖନୀୟ  ତଥା ଉତ୍କୃଷ୍ଠ ସେବା କାର୍ଯ୍ୟର  ଅବଦାନ ଯୋଗୁଁ ତାଙ୍କ ପାଇଁ  ଆଜି ଆଣିଦେଇଛି ଏହି ଜାତୀୟ ସମ୍ମାନ ।

ନିରଞ୍ଜନ ବେହେରା  ପାରଳାଖେମୁଣ୍ଡି ସ୍ଥିତ ଓଡିଆ ପାରଳା ସାହି ବାସିନ୍ଦା । ସେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ରହିଥିବା ସହ ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ"ର  ସଭାପତି ଦାୟିତ୍ୱରେ ଅଛନ୍ତି ।

 

0
0
0
s2sdefault