ହେଡଲାଇନସ୍:

"ସ୍ୱଚ୍ଛ ସମାଜ ଗଢିବା--ସୁରକ୍ଷିତ ଦେଶ ବନାଇବା"  ଶିଶୁ ଅଧିକାର ପାଇଁ ଆମେ ଲଢିବା ସମ୍ପର୍କିତ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସ୍ୱଚ୍ଛ ସମାଜ ଗଢିବା--ସୁରକ୍ଷିତ ଦେଶ ବନାଇବା ଏବଂ ଶିଶୁ ମାନଙ୍କ ଅଧିକାର ପାଇଁ ଆମେ ଲଢ଼ିବା ସମ୍ପର୍କିତ ଏକ ସ୍ୱଚ୍ଛତା ଅଭିଯାନ ଅବସରରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଚାଇଲ୍ଡ ଲାଇନ ଆନୁକୂଲ୍ୟରେ କୋଲକାତା ସ୍ଥିତ ଚାଇଲ୍ଡ ଲାଇନ ଇଣ୍ଡିଆ ଫାଉଣ୍ଡେସନର ପ୍ରାୟୋଜିତରେ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

     ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ସୁଧୀର ସାବତଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମାନେ ଦେଶର ଭବିଷ୍ୟତ , ସେମାନେ ସବୁ ଦିଗରୁ ସେମାନଙ୍କ ଅଧିକାର ପାଇବା ସହ କିଭଳି ସୁରକ୍ଷିତ ରହିବେ , ଏହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । 

 ଏତଦ୍ ବ୍ୟତୀତ  ସମଗ୍ର ସହର କିଭଳି ସଫାସୁତୁରା ରହିବ , ଆମର ବର୍ଜ୍ୟବସ୍ତୁ କିଭଳି ଠିକ ଭାବେ  ପରିଚାଳନା ହେବ , ସୁସ୍ଥ ସମାଜ ଓ ସ୍ୱଚ୍ଛ ଭାରତ କିଭଳି ଗଠନ ହୋଇପାରିବ ଏବଂ ସର୍ବୋପରି  ଆମର ସ୍ୱଚ୍ଛଭାରତ ଅଭିଯାନ କିଭଳି ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ କହିଥିଲେ । ଆପଣ ମାନେ ହିଁ ତାର ଭବିଷ୍ୟତ , ତେଣୁ ସମସ୍ତ ପିଲା  ଏଥିପ୍ରତି ସଚେତନ ହୋଇପାରିଲେ ସେମାନେ ଆଗାମୀ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ସମଗ୍ର ଜିଲ୍ଲା ତଥା ରାଜ୍ୟ ତଥା ଭାରତକୁ ସ୍ୱଚ୍ଛତା ଆଡକୁ ଆଗେଇ ନେବାରେ ସହାୟକ ହୋଇପାରିବେ ବୋଲି କହିଥିଲେ ।

    ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ଦୌରା-ଜର୍ଜ  ବିଶ୍ବଜିତ ଦାସ ଉପସ୍ଥିତ ରହି "ସ୍ୱଚ୍ଛତା ହିଁ ଭଗବାନ" ଏହା ମହାତ୍ମାଗାନ୍ଧୀଙ୍କ ଏକ ବଡ ବାର୍ତ୍ତା ଥିଲା । ଆପଣ ମାନଙ୍କ ହାତରେ ହିଁ ଏହି ସ୍ୱଚ୍ଛତାର ବାର୍ତ୍ତା ଜିଲ୍ଲାବ୍ୟାପୀ ପହଞ୍ଚି ତାହା ଅନ୍ୟ ବାହାର ଜିଲ୍ଲାକୁ ଯାଇପାରିବ । ସାରା ଭାରତରେ ଗଜପତି ଜିଲ୍ଲା ଏକ ସ୍ୱଚ୍ଛ ଜିଲ୍ଲା ଭାବେ ଯେଭଳି  ବିବେଚିତ ହୋଇ ମାନ୍ୟତା ଲାଭ କରିବ  ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

    ପରେ ପରିମଳ ଓ ପରିବେଶ ସ୍ୱଚ୍ଛ ରଖି ସୁସ୍ଥ ସମାଜ ଗଢିବା ,  ଶିଶୁ ଯୌନ-ନିର୍ଯାତନା ରୋକି  ଏ ଦିଗରେ  ସୁରକ୍ଷିତ ଦେଶ ବନାଇବା ଏବଂ ଶିଶୁ ମାନଙ୍କୁ ସେମାନଙ୍କ ଅଧିକାର ଯୋଗାଇଦେବା  ଏବଂ ସୁସ୍ଥ ସମାଜ ଓ ଦେଶ ଗଢିବା ପ୍ରଭୃତି ସଚେତନତା ମୂଳକ ପ୍ଲା-କାର୍ଡ ଓ ସ୍ଲୋଗାନ ଦେଇ ଏକ ସଚେତନତା  ମାରାଥନ ପଦଯାତ୍ରା ବାହାରିଥିଲା ।

 ଏହାକୁ ଜିଲ୍ଲାପାଳ ଅନୁପମ ସାହା ଏବଂ  ଜିଲ୍ଲା ଦୌରାଜର୍ଜ ବିଶ୍ବଜିତ ଦାସ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ଧର୍ମୀ ମାରାଥନ ପଦଯାତ୍ରାରେ ପାରଳାଖେମୁଣ୍ଡି ସହରରେ ଥିବା ପ୍ରିୟଦର୍ଶନୀ କନଭେଣ୍ଟ ସ୍କୁଲ , ବିକାଶ ବିଦ୍ୟା ନିକେଟନ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ  ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । 

ଏହି ସମସ୍ତ କାର୍ଯ୍ୟକ୍ରମରେ ଡିସିପିୟୁ ଅଧିକାରୀ ଅରୁଣ କୁମାର ତ୍ରପାଠୀ , ସିଡବ୍ଲୁସି-ଅଧ୍ୟକ୍ଷା ପ୍ରମୋଦ କୁମାର ରାଉଳ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼  . ବୃଷକେତୁ ଦାସ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ରାଓ , ଜିଲ୍ଲା ଜୁଭେନାଇଲ୍ ଜଷ୍ଟିସ ବୋର୍ଡର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ଚାଇଲ୍ଡ ଲାଇନର ସଂଯୋଜକ ନାଗେଶ୍ବର ଚୌଧୁରୀ , ଜିଲ୍ଲା ୱାନ ଷ୍ଟପ ସେଣ୍ଟରର ଅନିତା ମିଶ୍ର ଏବଂ କେଶ ୱାର୍କର ମଞ୍ଜୁଲତା ଚୌଧୁରୀ ପ୍ରମୁଖଙ୍କ ସମେତ ଜିଲ୍ଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା ମାନେ ଯୋଗଦେଇ ସମସ୍ତ କାଯ୍ୟକ୍ରମକୁ ପରିଚାଳନା  କରିଥିଲେ ।

 

0
0
0
s2sdefault