ହେଡଲାଇନସ୍:

ଏଥର ସାଂସଦଙ୍କ ପରୀକ୍ଷା, ପ୍ରତି ଦି ମାସରେ ଥରେ ହେବ ପରଫରମାନ୍ସ ଅଡିଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସଂସଦ ମାନଙ୍କୁ ପତ୍ର ଲେଖିଲେ ନବୀନ

 ଭୁବନେଶ୍ୱର,: ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରିବାପାଇଁ  ଦଳର ସଭାପତି  ନବୀନ ପଟ୍ଟନାୟକ ଏକ ପତ୍ର ଲେଖି ଦଳର ସାଂସଦ ମାନଙ୍କୁ ପରାମର୍ଶ ଦେଇଥିବା  ବୋଲି ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି |
 ସଭାପତି ନିଜ ପତ୍ର ମାଧ୍ୟମରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସପ୍ତଦଶ ଲୋକସଭା ତଥା ରାଜ୍ୟସଭା ସଦସ୍ୟ ଭାବରେ ଓଡ଼ିଶାରୁ ନିର୍ବାଚିତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ ସମସ୍ତ ସାଂସଦମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମର ନିରନ୍ତର ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଜଣାଇ ରାଜ୍ୟବାସୀ ଆମକୁ ଲଗାତାର ପଞ୍ଚମଥର ସେବା କରିବାର ସୁଯୋଗ ଦେବା ସହିତ ଲୋକସଭାରେ ମଧ୍ୟ ବିଜୁ ଜନତା ଦଳକୁ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି ବୋଲି ସୂଚାଇ ସଭାପତି କହିଛନ୍ତି ଯେ, ଏଣିକି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ସର୍ବାଧିକ । ନିର୍ବାଚନ ପରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ସହିତ ମତ ବିନିମୟ କରିବା ଅବସରରେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ଉତ୍‍ଥାପନ କରିବା ପାଇଁ ସାଂସଦମାନଙ୍କର ରହିଥିବା ଆଗ୍ରହ ଓ ପ୍ରତିବଦ୍ଧତା ତାଙ୍କୁ ବେଶ୍‍ ଆନନ୍ଦିତ କରିଛି ବୋଲି ସଭାପତି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଗତ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରଥମଥର ପାଇଁ ଏକ ତୃତୀୟାଂଶ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ କରିବା ପାଇଁ ଏକ ଦୃଢ଼ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରିଥିଲା । ରାଜ୍ୟବାସୀ ମଧ୍ୟ ଏହି ନିଷ୍ପତ୍ତିକୁ ବିପୁଳ ସମର୍ଥନ ଦେଇ ଦଳ ପାଇଁ ଏକ ଐତିହାସିକ ସଫଳତା ଆଣିଦେଲେ । ଚଳିତ ଲୋକସଭାରେ ଆମ ମହିଳା ସାଂସଦମାନେ ସେମାନଙ୍କ ପ୍ରଥମ ପଦାର୍ପଣରେ ଓଡ଼ିଶାବାସୀଙ୍କର ସ୍ୱାର୍ଥ ସମ୍ବଳିତ ପ୍ରସଂଗ ଯେଭଳି ଉତ୍‍ଥାପନ କଲେ, ତାହା ତାଙ୍କୁ ବେଶ୍‍ ପ୍ରଭାବିତ କରିଛି ବୋଲି ସଭାପତି ଉଲ୍ଲେଖ କରିଛନ୍ତି ।
ଏଥରର ଲୋକସଭା ଏବଂ ରାଜ୍ୟସଭାରେ ନବାଗତ ଏବଂ ଅଭିଜ୍ଞ ସଦସ୍ୟମାନଙ୍କର ଏକ ସୁନ୍ଦର ସନ୍ତୁଳନ ରହିଛି ଯାହା ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ୱାର୍ଥ ସହିତ ରାଜ୍ୟର ସାମଗ୍ରିକ କଲ୍ୟାଣ ଏବଂ ସ୍ୱାର୍ଥ ସମ୍ବଳିତ ପ୍ରସଂଗ ପାଇଁ ସମାଧାନ ଖୋଜିବାରେ ବେଶ୍‍ ଦକ୍ଷତାର ସହିତ କାର୍ଯ୍ୟ କରିପାରିବ । ଉଭୟ ଗୃହରେ ଦଳ ତରଫରୁ ସାଂସଦମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି ଏବଂ ଲୋକସଭା ତଥା ରାଜ୍ୟସଭାରେ ବିଭିନ୍ନ ପଦପଦବୀରେ ମଧ୍ୟ ନିଯୁକ୍ତି ମିଳିଛି । ସାଂସଦ ତଥା ପଦାଧିକାରୀ ଭାବରେ ନିଜ ଦାୟିତ୍ୱ ନିର୍ବାହ, ବିଭିନ୍ନ ପ୍ରସଂଗ ସଂସଦରେ ଉପସ୍ଥାପନ ସହିତ ନିଜ ଅଞ୍ଚଳ ଗସ୍ତ କରି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ସାଂସଦମାନେ କିଭଳି ଉଦ୍ୟମ କରୁଛନ୍ତି, ସେ ସଂପର୍କରେ ଅଗଷ୍ଟ ମାସରୁ ଆରମ୍ଭ କରି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ଲିଖିତାକାରରେ ତାଙ୍କୁ ଅବଗତ କରାଇବା ପାଇଁ ସଭାପତି ଲିଖିତ ପତ୍ରରେ ସୂଚାଇଛନ୍ତି ।
ସେ ଏହାର ନିୟମିତ ସମୀକ୍ଷା କରି ସାଂସଦମାନଙ୍କୁ ବିଭିନ୍ନ ପ୍ରସଂଗରେ ପରାମର୍ଶ ଦେବା ସହିତ ଆମେ କିଭଳି କାର୍ଯ୍ୟ କଲେ ରାଜ୍ୟର ସ୍ୱାର୍ଥ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିଜକୁ ପୂର୍ଣ୍ଣପ୍ରାଣରେ ଉର୍ତ୍ସଗ କରିପାରିବା ସେ ଦିଗରେ ସେ ନିର୍ଦ୍ଧିଷ୍ଟ ମତାମତ ରଖିବେ ବୋଲି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏ ଅବସରରେ ପ୍ରକାଶ କରିବା ସହତ ସାଂସଦମାନେ ନିଜ ଉଦ୍ୟମରେ ସଫଳ ହୁଅନ୍ତୁ ଏବଂ ଓଡ଼ିଶାର ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହୁଅନ୍ତ ବୋଲି କାମନା କରିଛନ୍ତି ।

0
0
0
s2sdefault