ହେଡଲାଇନସ୍:

ସୁଶାନ୍ତ ସିଂହ : ମାଟିର ଚାହେତା, ପାର୍ଟିର ଆସେଟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ,  ହାତରେ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗ   

ସୋହେଲା (ଶାସକ ପ୍ରଶାସକ): ଜଣେ ଡ୍ରାଇଭରଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ବି ସେତେ ସ୍ୱଚ୍ଛଳ ନୁହେଁ | ସାଧାରଣ ମଣିଷ ଭଳି ସଂସାର ବୋଝ | ହେଲେ ତା ଭିତରେ ଲୋକଙ୍କ ସେବା କରିବାର ପ୍ରବଳ ଇଛା | ଆଉ ଲୋକଙ୍କ ପ୍ରତି ମନରେ ରହିଥିବା  ନିରୋଳା ଭଲ ପାଇବାକୁ ସମ୍ବଳ ଭାବେ ଗ୍ରହଣ କରି ଲୋକଙ୍କ ସେବା କରିବା ଭିତରେ ସେ କେତେବେଳେ ଯେ ଲୋକଙ୍କ ହୃଦୟ ଭିତରେ ସ୍ଥାନ ପାଇସାରିଛି ସେ ନିଜେ ବି ବୁଝି ପାରିନି | ମଣିଷର ସେବା କରିବାର ଇଛାଶକ୍ତି ଆଉ ଅନ୍ୟକୁ ସାହାଯ୍ୟ କରିବାର ମାନସିକତା ଭିତରେ ସେଇ ସାଧାରଣ ମଣିଷଟା ରାଜନୀତିରେ ପାଦ ଦେଇ କେତେବେଳେ କମ ବୟସରେ ପାଲଟି ଯାଇଛି ପଶ୍ଚିମ ଓଡିଶାର ହେବି ୱେଟ ନେତା । ଆଉ ବଡ଼ବଡ଼ ନେତା ବି ହାର ମାନିଛନ୍ତି ସେଇ ସାଧାରଣ ମଣିଷଟିର ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ଆଗରେ | ସେବା ଆଉ ଲୋକଙ୍କୁ ଭଲ ପାଇବା ନିରର୍ଥକ ଯାଏନି, ଏହା ଧ୍ରୁବ ସତ୍ୟ ସେ ପ୍ରମାଣିତ କରିଦେଇଛି ନିଜ ଅଦମ୍ୟ ନିଷ୍ଠା ଆଉ ଉଦଯୋଗ ବଳରେ | ମାଟି ପାଇଁ ପ୍ରତିବଦ୍ଧତା, ଲୋକଙ୍କ ପାଇଁ ଭଲ ପାଇବା ଓ ପାର୍ଟି ପାଇଁ ଆନୁଗତ୍ୟ ସେ ସାଧାରଣ ମଣିଷଟିକୁ କରିଦେଇଛି  ମାଟିର ଚାହେତା ଓ ପାର୍ଟିର ଆସେଟ  |

 ଆମେ ଏଠି ଯେଉଁ ସାଧାରଣ ମଣିଷଟା କଥା କହୁଛୁ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଦ୍ଵିତୀୟ ଥର ପାଇଁ କ୍ୟାବିନେଟରେ ସ୍ଥାନ ପାଇଁ ଗୁରୁତ୍ୱପୁର୍ଣ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଶାନ୍ତ ସିଂହ  |  ୧୯୭୩ ମସିହା ଜୁନ ୧୭ ତାରିଖରେ ପିତା ତେଜରାଜ ସିଂହ ଓ ମାତା ସୁରେଶ୍ୱରୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ସୁଶାନ୍ତ । ବାପା ତେଜରାଜ ବିଜେପୁର ବ୍ଲକରେ ସରକାରୀ ଡ୍ରାଇଭର ଭାବରେ କାମ କରୁଥିବାବେଳେ ମାଆ ସୁରେଶ୍ୱରୀ ଜଣେ ସୁଗୃହିଣୀ ଥିଲେ । ସୁଶାନ୍ତଙ୍କ ଜନ୍ମ ପରେ ସୁଦୀପ୍ତ ଓ ସୁବ୍ରତ ଦୁଇ ଭାଇ ଜନ୍ମ ଗ୍ରହଣ କରିଥିଲେ । ମାଆବାପା ଆର ପାରିକୁ ଚାଲିଯିବା ପରେ ସୁଶାନ୍ତ ତାଙ୍କ ଦୁଇଭାଇଙ୍କ ସହ ବିଜେପୁର ଛାଡି ବରଗଡ ଜିଲା ସୋହେଲା ବ୍ଲକ ବାଉଁସେନମୁରା ଗ୍ରାମରେ ରହୁଛନ୍ତି । ଶିକ୍ଷା ଦିଗରେ ସେ ବଲାଙ୍ଗିର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାସ କଲାପରେ ଝାରସୁଗୁଡା କଲେଜରେ ଯୁକ୍ତ ତିନି ପାଠ ପଢ଼ିଥିଲେ । ହେଲେ ପରିସ୍ଥିତି ଏପରି ହୋଇଥିଲା ଯେ ସେ ପରୀକ୍ଷା ବି ଦେଇ ପାରିନଥିଲେ |  ଛାତ୍ର ଜୀବନରୁ ସମାଜ ସେବା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ଚାଷ କାମ ସାଂଗକୁ ସମାଜସେବା କରିବା ପାଇଁ ସେ ବେଶ ପସନ୍ଦ କରୁଥିଲେ । ଏହା ବ୍ୟତୀତ ସେ ସମୟ ପାଇଲେ ପୁସ୍ତକ ପଢ଼ିବା ତାଙ୍କର ନିଶା ଥିଲା । କଲେଜରେ ପାଠ ପଢ଼ୁଥିବାବେଳେ ସେତେବେଳେ ଜନତା ଦଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶ ସୁଶାନ୍ତଙ୍କୁ ଆକର୍ଷଣ କରିଥିଲା । ରାଜନୀତି ଜଗତରେ ପାଦ ଦେବା ପାଇଁ ସୁଶାନ୍ତ ରାଜନୀତି ଗୁରୁଭାବରେ ପୂର୍ବତନ ବିଧାୟକ ସ୍ୱର୍ଗତ ଡାକ୍ତର ମୁରାରୀ ପ୍ରସାଦ ମିଶ୍ର ଓ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାନୁଥିଲେ । ୨୦୦୯ରେ ପ୍ରଥମ ଥର ପାଇଁ ରାଜନୀତିରେ ଯୋଗଦେଇଥିବା ସୁଶାନ୍ତ ବିଜେଡି ଦଳରୁ ଟିକେଟ ଆଣି ଭଟଲି ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିଥିଲେ । ସେତେବେଳେ ସେ କଂଗ୍ରେସ ଦଳର ଟାଣୁଆ ନେତା ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ୪ହଜାର ୯୮୧ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ସେହି ଦିନଠାରୁ ଆଉ ସେ ପଛକୁ ଫେରି ନାହାନ୍ତି । ଯୁବ ବିଧାୟକ ସୁଶାନ୍ତ ସିଂହ ମାଆ,ମାଟି,ଚାଷୀ,ଗରିବ,ଖଟିଖିଆ ଓ ଦୁଃଖୀରଙ୍କିଙ୍କ ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ୨୦୧୪ରେ ପୁଣି ବିଜେଡି ଦଳ ପକ୍ଷରୁ ତାଙ୍କୁ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଇଥିଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ଛାଡି ସ୍ୱାଧୀନପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଯୁବନେତା ସୁଶାନ୍ତ ମିଶ୍ରଙ୍କୁ ୩୭ହଜାର ୬୦୫ଭୋଟରେ ପରାସ୍ତ କରି ଦ୍ୱିତୀୟ ଥର ବିଧାୟକଭାବେ ସୁଶାନ୍ତ ସିଂହ ବିଜୟଶ୍ରୀ ମଣ୍ଡିତ ହୋଇଥିଲେ  । ସୁଶାନ୍ତ କଠୋର ପରିଶ୍ରମ ଓ ଲୋକପ୍ରିୟତା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇ ଶକ୍ତି ଓ ଶ୍ରମ ବିଭାଗ ମନ୍ତ୍ରୀଭାବରେ ଦାୟିତ୍ୱ ଦେଇଥିଲେ । ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ସେଠାରେ ଅନୁଷ୍ଠିତ ଉପ ନିର୍ବାଚନରେ ସୁଶାନ୍ତଙ୍କ ନିର୍ବାଚନ ପରିଚାଳନା ସର୍ବୋପରି ସାଙ୍ଗଠନିକ ଦକ୍ଷତା କାରଣରୁ ପ୍ରତିପକ୍ଷଙ୍କ ବ୍ୟୁହ ଭେଦ କରି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଏଥର ୨୦୧୯ରେ ପୁଣି ସୁଶାନ୍ତ ସିଂହ ଭଟଲି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟଙ୍କୁ ୨୩ହଜାର ୩୩୨ଭୋଟରେ ହରାଇ ବିଧାୟକ ଭାବେ ନିର୍ବାଚିତ ହେବ ସହ ହ୍ୟାଟ୍ରିକ ଅର୍ଜ୍ଜନ କରି  ଭଟଲି ରାଜନୀତି ଇତିହାସରେ ରେକର୍ଡ କରିଥିଲେ  । ଚଳିତ ଥର ସୁଶାନ୍ତ ନିଜେ ଭଟଲି ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ସହିତ ପଶ୍ଚିମ ଓଡିଶାର ପଦ୍ମପୁର,ବିଜେପୁର,ଟିଟିଲାଗଡ,ପାଟଣାଗଡ,ଧର୍ମଗଡ,କୁଚିଣ୍ଡା ଓ ଜୁନାଗଡ ଏପରି ୭ଟି ବିଧାନସଭା ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସୁଶାନ୍ତ ଭଟଲି ଆସନରୁ ବିଜୟୀ ହୋଇଥିବାବେଳେ ଦାୟିତ୍ୱ ନେଇଥିବା ଉକ୍ତ ୭ଟି ଆସନରେ ସବୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଥର ସୁଶାନ୍ତ ସିଂହଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ  ଗ୍ରାମ୍ୟ ଉନ୍ନୟନ ଶ୍ରମ ଓ ଇଏସଆଇ ମନ୍ତ୍ରୀ ଭାବରେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଅକ୍ଲାନ୍ତ ପରିଶ୍ରମ ଓ ସଚ୍ଚୋଟ ପଣିଆଁ ଯୋଗୁଁ ଆଜି ସୁଶାନ୍ତ ସିଂହ ଜଣେ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି । ସୁଶାନ୍ତ ସିଂହଙ୍କୁ ପୁନର୍ବାର ମନ୍ତ୍ରୀ ପଦ ଦେଇ ଓଡିଶାବାସୀଙ୍କ ସେବା କରିବା ପାଇଁ  ମୁଖ୍ୟମନ୍ତ୍ରୀ ପୁଣିଥିରେ ସୁଯୋଗ ପ୍ରଦାନ କରିଥିବାରୁ ସୋହେଲା ଅଂଚଳରେ ଓ ସମଗ୍ର ଭଟଲି ନିର୍ବାଚନ ମଣ୍ଡଳୀରେ ଖୁସିର ମାହୋଲ | ଆଉ ଏଠି ପାଇଁ ଅଂଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି କୃତଜ୍ଞତା । 

 

0
0
0
s2sdefault