ହେଡଲାଇନସ୍:

ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ - ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

 ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି

 ବିଜେପିର ୮ ଲୋକସଭା ଏବଂ ୨୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ ଓଡିଆ ଲୋକଙ୍କୁ କୃତଜ୍ଞତା ଜଣାଇଲେ

 ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଓଡିଶାବାସୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ କରି ବିଜେପିକୁ ଅଭୂତପୂର୍ବ ଜନଆଶୀର୍ବାଦ କରିଛନ୍ତି

 ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭାବରେ ମୋଦିଙ୍କ ପାଇଁ ଓଡିଶାବାସୀ ୮ ଜଣ ସାଂସଦ ପଠାଇଛନ୍ତି

 ନୂଆ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଓଡିଶା ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରଣ କରିବା କାମରେ ଲାଗନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୨୪ – ଓଡିଶାରେ ଭାରତୀୟ ଜନତା ପାର୍ଟିକୁ ଏକ ବଡ ରାଜନୀତି ସମୂହ ଭାବେ ଓଡିଶାର ଜନସାଧାରଣମାନେ ଆଶୀର୍ବାଦ କରିଛନ୍ତି । ବିଜେପିର ୮ ଜଣ ଲୋକସଭା ପ୍ରତିନିଧିଙ୍କୁ ସାଂସଦ ଭାବେ ଦିଲ୍ଲୀ ପଠାଇବା ଏବଂ ୨୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ ଓଡିଆ ଲୋକଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଏପରି ମତ ରଖିବା ସହ ପ୍ରଜାତନ୍ତ୍ରରେ ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ସେ ମୁଣ୍ଡପାତି ସ୍ୱୀକାର କରୁଥିବା କହିଛନ୍ତି । ଏହାସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି । ରାଜ୍ୟର ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ଶ୍ରୀ ପ୍ରଧାନ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଲୋକସଭା ଓ ଓଡିଶାର ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ଘୋଷିତ ହୋଇସାରିଛି । ଓଡିଶାରେ ସଫଳ ନିର୍ବାଚନ ପାଇଁ ଶ୍ରୀ ପ୍ରଧାନ ଓଡିଶାର ଜନସାଧାରଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି ଯେ ପ୍ରଜାତନ୍ତ୍ରର ମତକୁ ମୁଣ୍ଡପାତି ସ୍ୱୀକାର କରିବାର ଆବଶ୍ୟକତା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଗତ ୨୦୧୪ ନିର୍ବାଚନ ତୁଳନାରେ ଚଳିତ ୨୦୧୯ ନିର୍ବାଚନରେ ଓଡିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ କରି ରାଜ୍ୟ ବିଜେପି ଉପରେ ଏକ ଅଭୂତପୂର୍ବ  ଜନଆଶୀର୍ବାଦ କରିଛନ୍ତି । ଗତ ୨୦୧୪ ନିର୍ବାଚନରେ ଓଡିଶାରୁ ବିଜେପି ନେତା ଜୁଏଲ ଓରାମ କେବଳ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ଚଳିତ ଥର ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭାବରେ ମୋଦିଙ୍କ ପାଇଁ ଓଡିଶାବାସୀ ୮ ଜଣ ସାଂସଦ ପଠାଇଛନ୍ତି । ଓଡିଶାର ପାଖାପାଖି ୧ କୋଟି ଲୋକଙ୍କ ସମର୍ଥନ କରାଣରୁ ଏହା ସମ୍ଭବ ହୋଇପାରିଛି । ବିଜେପି ଏକ ପ୍ରମୁଖ ଦଳ ଭାବେ ଓଡିଶା ଲୋକସଭା ନିର୍ବାଚନରେ ସାମ୍ନାକୁ ଆସିଥିବା ବେଳେ ଏହି ସମର୍ଥନ ପାଇଁ ଓଡିଆ ଲୋକଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତିା  ବିଜେପିର ପରାଜୟ ସ୍ଥାନରେ ମଧ୍ୟ ବିଜେପିକୁ ଅଭୁତପୂର୍ବ ଜନସମର୍ଥନ ମିଳିଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତିା

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶା ବିଧାନସଭାରେ ୨୩ ଜଣ ବିଜେପି ପ୍ରାର୍ଥୀ ଜିତିବା ନେଇ ଦେଖାଯାଇଥିବା ବେଳେ ଦଳର ଆଶାନୁଯାୟୀ ପ୍ରଦର୍ଶନ ହୋଇନାହିଁ କିନ୍ତୁ ଖେଳୁଆଡ ମନୋବୃତି ନେଇ ଆମେ ଏହାକୁ ସ୍ୱୀକାର କରୁଛୁ । ଜନମତକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କ ଆସ୍ଥା ହାସଲ କରିଥିବାରୁ ପୁନର୍ବାର ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି ଓଡିଆ ଲୋକମାନେ ତାଙ୍କ ଦାୟିତ୍ୱ ପୂରଣ କରିଛନ୍ତି । ଓଡିଶାର ଉପକୂଳ ଅଂଚଳ ସାମୁଦ୍ରିକ ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏବେ କେନ୍ଦ୍ର କିମ୍ବା ରାଜ୍ୟ ଓଡିଆ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାର ସମୟ । ଓଡିଶାକୁ ଏକବିଂଶ ଶତାବ୍ଦୀରେ ଏକ ଅଗ୍ରଣୀ ଅଂଚଳ ଭାବେ ପୂରା କରିବା ପାଇଁ ଓଡିଆ ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରା କରିବାକୁ ହେବ । ନୂଆ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଓଡିଶା ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା କାମରେ ଲାଗନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

 

0
0
0
s2sdefault