ହେଡଲାଇନସ୍:

ମହକିଲେ କୁସୁମ, ଝାଉଁଳିଲେ ଯୋଗେଶ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୁନ୍ଦରଗଡ ବିଧାନସଭା ଆସନରେ ବଜାୟ ରହିଲା ପରମ୍ପରା 

ତଳସରାରେ ବିଜେପିର ପ୍ରଥମ ବିଜୟ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  : ସୁନ୍ଦରଗଡରେ ମହକିଛନ୍ତି କୁସୁମ | ଫୁଟିଛି ଫୁଲ | ଝାଉଁଳି ଯାଇଛନ୍ତି ଯୋଗେଶ | ସୁନ୍ଦରଗଡ଼ ବିଧାନସଭାରେ ବାଜି ମାରିଲେ କୁସୁମ ଟେଟେ। ବିଜେପି ପ୍ରାର୍ଥୀ ଭାବେ ସେ  ବିଜେଡିର ଯୋଗେଶ କୁମାର ସିଂଙ୍କ ଠାରୁ ୭୨୫୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୪୪ ରାଉଣ୍ଡ ସୁଦ୍ଧା ଶ୍ରୀମତୀ ଟେଟେ ୮୨୮୫୩ ଭୋଟ ପାଇଥିବା ବେଳେ ଯୋଗେଶ ୭୫୫୯୪ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ଅମିତା ବିଶ୍ବାଳ ୧୨୦୪୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ଏଥିରେ  ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଉପଜିଲ୍ଲାପାଳ ଡୋଳାମଣି ପଟେଲ କହିଛନ୍ତି।  ଯୋଗେଶ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ପରେ ତତ୍କାଳୀନ ବିଜେଡି ନେତ୍ରୀ କୁସୁମଙ୍କୁ ଦଳ ଶେଷ ମୁହୂର୍ତ୍ତରେ ନିରାଶ କରିଥିଲା। ଏହା  ପରେ କୁସୁମ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ସୁନ୍ଦରଗଡ଼ ବିଧାନସଭାର ପ୍ରାର୍ଥୀ ଭାବେ ଯୋଗେଶଙ୍କ ପାଇଁ କଡ଼ା ଆହ୍ବାନ ସୃଷ୍ଟି କରିଥିଲେ। କୁସୁମଙ୍କ କୋହ ଆଉ ଆଖିର ଲୁହ  ତାଙ୍କୁ ବିଜୟର ମୁକୁଟ ପିନ୍ଧାଇଲା ବୋଲି ଲୋକଙ୍କ ଭିତରେ ଚର୍ଚା । ଅନ୍ୟପଟେ ସୁନ୍ଦରଗଡ଼ ବିଧାନସଭାରେ ଏଯାବତ ଜଣେ ବି ପ୍ରାର୍ଥୀ ହ୍ୟାଟ୍ରିକ କିମ୍ବା ତୃତୀୟ ଥର ପାଇଁ ଜିତିବାର ପରମ୍ପରା ନଥିବାରୁ ୨ ଥର ବିଧାୟକ ଥିବା ଯୋଗେଶଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି କୁହାଯାଉଛି। ତଳସରା ବିଧାନସଭାରେ ବିଜେପି ପ୍ରଥମଥର ପାଇଁ ଖାତା ଖୋଲିଛି। ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ୧୫୬୪୪ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଷ୍ଟିଫେନ ୱିଲସନ୍ ସୋରେଙ୍ଗଙ୍କ ଠାରୁ ବିଜୟୀ ହୋଇଛନ୍ତି। ବିଜେପିର ଶ୍ରୀ ଭୋଇ ୫୯୫୦୪ ଭୋଟ୍ ପାଇଥିବା ବେଳେ ବିଜେଡିର ଶ୍ରୀ ସୋରେଙ୍ଗ ୪୩୮୬୦ ଓ କଂଗ୍ରେସର ୩ ଥରର ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ୩୯୮୦୬ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଚାଲି ଯାଇଛନ୍ତି। 

0
0
0
s2sdefault