ହେଡଲାଇନସ୍:

ଯାହା କହୁଛି କହୁଥାଉ ଏକଜିଟ ପୁଲ, ଫଳାଫଳ ବନାଇପାରେ ଫୁଲ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  କିଏ ଜିତିବ ଓ ସରକାର ଗଢ଼ିବ, ଦୁଇ ରାତି ପହିଲେ ଇଭିଏମ କହିବ 

ବାରିପଦା-  ମୁଖ୍ୟ ନିର୍ବାଚନ କମିଶନର ୨୦୧୯ ମାର୍ଚ୍ଚ ୧୦ ରବିବାର ଭାରତରେ ୭ ପର୍ଯ୍ୟାୟରେ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇଥିଲେ ଓ ଏହି ମହାସମର ଗତ ମେ ୧୯ରେ ଶେଷ ହୋଇଥିଲା । ଇଭିଏମ ମଧ୍ୟରେ ପ୍ରାର୍ଥୀମାନଙ୍କର ଭାଗ୍ୟ ବନ୍ଦ ହୋଇ ରହିଥିବା ବେଳେ ମେ ୨୩ ଗୁରୁବାର ରାତି ପାହିଲେ ଇଲେକ୍ଟେ୍ରାନିକ୍ସ ଭୋଟିଂ ମେସିନ କିଏ ଜିତିବ ଓ ସରକାରକାର ଗଢ଼ିବ ରାହା ନିର୍ଣ୍ଣୟ କରିବ । ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଉକ୍ତ ନିର୍ବାଚନୀ ମହାକୁମ୍ଭର ହାରଜିତର ଫଳାଫଳକୁ ନେଇ ଚାଲିଛି ଆକଳନ, ସର୍ଭେ ଓ ଅଙ୍କକଷା ଥମିବାର ନାମ ଧରିନାହିଁ । ଗତ ମେ ୧୯ରେ ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସାମନାକୁ ଆସିବାରେ ଲାଗିଛି ଭବିଷ୍ୟତ ବାଣୀ ବା ଏକଜିଟ ପୋଲ । ଫଳରେ ମୁଣ୍ଡ ଟେକି ଉଠିଛି ନୂଆ ଏକ ବିବାଦ । ମୟୂରଭଞ୍ଜବାସୀ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ଉକ୍ତ ଏକଜିଟ ପୋଲକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଖୋଜିବାରେ ଲାଗିଛନ୍ତି କେଉଁ ସଂସ୍ଥା ପକ୍ଷରୁ  କେଉଁ ଦିନ, କେତେବେଳେ, କେଉଁଠାରେ ଏବଂ କେତେଜଣକୁ ନେଇ ଜନମତ ସର୍ଭେ କରିବା ପରେ  ନିର୍ବାଚନରେ ହାରଜିତକୁ ନେଇ ଜାରି କଲେ ଭବିଷ୍ୟତବାଣୀ ବା ଏକଜିଟ ପୋଲ । 

            ନିର୍ବାଚନର ତୃତୀୟ ପର୍ଯ୍ୟାୟରେ କେଉଁଝର ଲୋକସଭା ଆସନ ସହ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ  ହୋଇଥିବା ବେଳେ ୪ର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ମୟୂରଭଞ୍ଜ ଲୋକସଭା ସହ ଜିଲ୍ଲାର ରାଇରଙ୍ଗପୁର, ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା ଏବଂ ବାଲେଶ୍ୱର ଲୋକସଭା ସହ ସାମିଲ ଥିବା ବଡ଼ସାହି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ  ହୋଇଥିଲା । ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ଲୋକସଭା କ୍ଷେତ୍ର ନିମନ୍ତେ ୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ୯ଟି ବିଧାନସଭା ଆସନରୁ ମୋଟ ୭୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତ୍ତୀର୍ଣ୍ଣ ହୋଇଥିଲେ । ଏମାନଙ୍କର ଭାଗ୍ୟ ଇଭିଏମରେ ସିଲ ହୋଇ ରହିଥିବା ବେଳେ ବିଭିନ୍ନ ବୈଦୁ୍ୟତିକ, ପ୍ରିଣ୍ଟ ଓ ସାମାଜିକ ଗଣମାଧ୍ୟମରେ କେଉଁ ଆସନରେ କେଉଁ ଦଳରୁ କିଏ ଜିତିବ ତାହାକୁ ନେଇ ଏକ ଏକଜିଟ ପୋଲର ତାଲିକା ପ୍ରକାଶ କରିବା ପରେ ଏହାକୁ ଜିଲ୍ଲାବାସୀ ଭିନ୍ନ ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ବଡ଼ ଧରଣ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବିଷୟକୁ ନେଇ ବିଭିନ୍ନ ଖଟି, ହାଟବଜାରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକଜିଟ ପୋଲରେ ଏହାର ଉଲଟା ଦେଖିବାକୁ ମିଳିଛି । ଜିଲ୍ଲାରେ ୯ଟି ବିଧାନସଭା କ୍ଷେତ୍ର ସହ ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡ଼ି କଡ଼ା ମୁକାବିଲାର ସମ୍ମୁଖୀନ ହେଉଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଥି ସହିତ ମୟୂରଭଞ୍ଜ ଲୋକସଭା ଆସନକୁ ବିଜେଡ଼ି ନିକଟରୁ ବିଜେପି ଛଡ଼ାଇ ନେବାର ସମ୍ଭାବନା ଅଧିକ ରହିଥିବା ସମୟରେ ମୋରଡ଼ା, ବାଙ୍ଗିରିପୋଷି, ବାରିପଦା ଓ ଉଦଳା ଆସନରେ ବିଜେଡ଼ି- ବିଜେପି ମଧ୍ୟରେ ସିଧାସଳଖ ଭେବେ ଏବଂ ଯଶୀପୁର ଆସନରେ ଏସୟୁସିଆଇ, ବିଜେଡ଼ି ଓ ବିଜେପି ମଧ୍ୟରେ ; କରଞ୍ଜିଆରେ ବିଜେପି, ବିଜେଡ଼ି ଓ କଂଗ୍ରେସ ; ରାଇରଙ୍ଗପୁରରେ ବିଜେପି, ବିଜେଡ଼ି ଓ ଜେଏମଏମ; ବଡ଼ସାହିରେ ବିଜେପି, କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ସାରସକଣାରେ ବିଜେପି, ବିଜେଡ଼ି, ଜେଏମଏମ ଓ ସ୍ୱାଧୀନ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ବଡ଼ସାହି, ରାଇରଙ୍ଗପୁର, କରଞ୍ଜିଆ ଓ ସାରସକଣା ଏହି ୪ ଆସନରେ ବିଜେଡ଼ି ପ୍ରାର୍ଥୀ ଜିତିବାର ସମ୍ଭାବନା କ୍ଷୀଣ ଥିବା ବେଳେ ଅନ୍ୟ ୫ଟି ଆସନରେ ପ୍ରାର୍ଥୀମାନଙ୍କ ହାରଜିତ ୫୦/୫୦ରେ ରହିଛି  ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ମାତ୍ର ଜିଲ୍ଲାରେ ୯ଟି ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟ ୭୦ ପ୍ରତିଶତରୁ ଅଧିକ ବିଜେଡ଼ି ହାତେଇବାର ଆଶାବାନ୍ଧି ଥିବାରୁ ସମସ୍ତ ଆସନକୁ ପୁଣି ଥରେ ନିଜ ଦଖଲକୁ ନେବ ବୋଲି ଆଶାବାଦୀ ହୋଇପଡ଼ିଛି । ତେବେ ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ  ପରିବର୍ତ୍ତନ ସପକ୍ଷରେ ଜନାଦେଶ ରହିଛି ଏବଂ ବିଜେପି ସପକ୍ଷରେ ଅନ୍ତସ୍ରୋତ ଚାଲିଥିବା ବେଳେ ଯୁବ ଓ ଶିକ୍ଷିତ ଗୋଷ୍ଠୀ ବିଜେପି ମୁହାଁ ହୋଇପଡ଼ିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏକଜିଟ ପୋଲରେ ଅଧିକାଂଶ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଜିତିବାର ସମ୍ଭାବନାର ବାର୍ତ୍ତା ଦେଇଛି । ତେବେ ୨୦୦୪, ୨୦୦୯ ଓ ୨୦୧୪ ଭଳି ୨୦୧୯ର ଏକଜିଟ ପୋଲ ସୁପର ଫ୍ଲପ ସାବ୍ୟସ୍ତ ହେଉଛି ଅଥବା ସତ୍ୟରେ ପରିଣତ ହେଉଛି, ତାହା ମେ ୨୩ ମତଗଣନାର ଫଳାଫଳ ଘୋଷଣା ପ୍ରମାଣିତ କରାଇଦେବ । ଯାହା କହୁଛି କହୁଥାଉ ଏକଜିଟ ପୁଲ, ଫଳାଫଳ ସମସ୍ତଙ୍କୁ ଫୁଲ ବନାଇପାରେ |

0
0
0
s2sdefault