ହେଡଲାଇନସ୍:

ଏକଜିଟ ପୋଲ ରିପୋର୍ଟ ସତ୍ତ୍ୱେ ବାଙ୍ଗିରିପୋଷି ଉପରେ ସମସ୍ତଙ୍କ ନଜର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାକା-ପୁତୁରା ଲଢେ଼ଇରେ ହାରଜିତକୁ ନେଇ ଚାଲିଛି ଅଙ୍କକଷା

ବାରିପଦା(୦୪/୦୪)-  ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ଓଡ଼ିଶା ବିଧାନସଭାର ୨୯ ନମ୍ବର ବାଙ୍ଗ୍ରିପୋଷି(ସଂ) ବିଧାନସଭା କ୍ଷେତ୍ର ଉପରେ ରହିଛି ମୟୂରଭଞ୍ଜବାସୀଙ୍କ ନଜର । ଗତ ଏପ୍ରିଲ ୨୯ରେ ଶେଷ ହୋଇଥିବା ଚତୃର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣରେ ନିର୍ବାଚନ ମଣ୍ଡଳୀରେ ୮୦.୮ ପ୍ରତିଶତ ମତଦାନ ହୋଇଥିଲା । ତେବେ ନିର୍ବାଚନ ମଣ୍ଡଳୀର ୧୦୪ ନମ୍ବର ବୋଥ କଖାରୁଶୋଳ ବୋଥରେ ସାନି ମତଦାନ ହେବାର ନିଷ୍ପତ୍ତି ନିଆଯାଇଛି । ୮୭୬ ଭୋଟର ଥିବା ବାଙ୍ଗିରିପୋଷି ବ୍ଲକର କଖାରୁଶୋଳ ବୋଥରେ ଏପ୍ରିଲ ୨୯ ଚତୃର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ଇଭିଏମ ଓ ଭିଭିପେଟ ଇଲେକ୍ଟେ୍ରାନିକ୍ସ ଭୋଟିଂ ମେସିନରେ ଗଡ଼ବଡ଼ ହୋଇଥିଲା । ମତଦାତାମାନେ ଇଭିଏମରେ ଯେଉଁ ବଟନ ଦବାଇଲେ ଭୋଟ ବିଜେଡ଼ିର ଶଙ୍ଖ ଚିହ୍ନକୁ ଚାଲିଯାଉଥିବାର ଅଭିଯୋଗ ହୋଇଥିଲା । ଫଳରେ ମତଦାନ କେନ୍ଦ୍ରରେ ଲ-ଆଣ୍ଡ ପରିସ୍ଥିତି ଉପୁଜିଥିଲା । ତେଣୁ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଉକ୍ତ ମତଦାନ କେନ୍ଦ୍ରରେ ରି-ପୋଲିଂ ନିମନ୍ତେ ନିର୍ବାଚନ କମିଶନଙ୍କୁ ଜଣାଇବା ପରେ ପୁନଃ ମତଦାନର ନିଷ୍ପତ୍ତି ନିଆଯାଇଛି । ତେବେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ  କାକା-ପୁତୁରା ମଧ୍ୟରେ ହୋଇଥିବା ଘମାଘୋଟ ଲଢ଼ାଇର ହାରଜିତ୍ ଉପରେ ସମସ୍ତଙ୍କ ନଜର ରହିଛି । ରାଜନୀତି ମଇଦାନରେ ଅବତ୍ତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ସୁଗଦା ମୁର୍ମୁ  ନୂଆ ଚେହେରା ହୋଇଥିବା ବେଳେ ସମ୍ପର୍କରେ  ବିଜେଡ଼ି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପୁତୁରା ଅଟନ୍ତି  ଏବଂ ଉଭୟ କାକା-ପୁତୁରା ଉଭୟ ପ୍ରଥମେ ଜେଏମଏମ ଓ  ପରେ ବିଜେଡ଼ିରେ ମିଶିଥିଲେ । ପରବର୍ତ୍ତୀ ସମୟରେ କାକା ସୁଦାମଙ୍କ ଡ଼ାହାଣ ହାତ ବୋଲି କୁହାଯାଉଥିବା ପୁତୁରା ସୁଗଦା ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇ କାକା ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି । ସେହିପରି  ଜେଏମଏମ(କଂଗ୍ରେସ-ଜେଏମଏମ ମେଣ୍ଟ)ରୁ ଜେଏମଏମର ଜିଲ୍ଲା ସଭାପତି ଫାଗୁ ହାଁସଦାଃ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ନୂଆ ହୋଇଥିବା ବେଳେ ପୂର୍ବରୁ ବିଧାୟକ ପ୍ରାର୍ଥୀ ଭାବେ ଅନ୍ୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାରେ ଅଭିଜ୍ଞତା ରହିଅଛି । ଏବେ ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ହାରଜିତ୍କୁ ନେଇ କଳ୍ପନାଜଳ୍ପନା ଚାଲିଛି ।

         ୨୦୦୪  ନିର୍ବାଚନଠାରୁ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଖଲରେ ରହିଆସିଛି । ଗତ ୨୦୧୪ ନିର୍ବାଚନରେ ଉକ୍ତ ଆସନରୁ ଝାମୁମୋର ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡି ଦଳ ତ୍ୟାଗ କରି ବିଜେଡ଼ି ଟିକଟରେ  ୫୮.୬୩ ପ୍ରତିଶତ ହାରରେ ୬୨,୪୦୬ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ପୁରୁଷୋତ୍ତମ ନାଏକଙ୍କୁ ୩୧,୫୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ସମୟରେ ଶ୍ରୀନାଏକ ୨୦.୧୧ ପ୍ରତିଶତ ହାରରେ ୩୦,୮୭୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ସୁନ୍ଦର ମୋହନ ସିଂ ୧୭.୧୫ ପ୍ରତିଶତ ହାରରେ ୨୬,୩୨୭ ଖଣ୍ଡ ଓ ଜେଏମଏମ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଅଜେନ ମୁର୍ମୁ ୧୫.୨୫ ପ୍ରତିଶତ ହାରରେ ୨୩,୪୧୧ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ନିଜ ଦଖଲକୁ ନେବ ବୋଲି ଆଶାବାନ୍ଧି ବସିଛି । ନିର୍ବାଚନ ପରେ ବିଜେଡ଼ି ଶିବିରରେ ହୋଇଥିବା ଅଙ୍କକଷା ଆଧାରରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମାର୍ଣ୍ଡି ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଆକଳନ କରିଥିଲେ । ବର୍ତ୍ତମାନ ଏହା ୧୦ ହଜାର ତଳକୁ ଖସି ଆସିଛି । ସେହିପରି ବିଜେପି ଶିବିର ନିର୍ବାଚନ ମଣ୍ଡଳୀରେ ପ୍ରଥମ ବିଜୟର ସ୍ୱାଦ ଚାଖିବା ନିମନ୍ତେ ଆଶାବାଦୀ ହୋଇପଡ଼ିଛି । ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀମୁର୍ମୁ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚନକୁ ଜିତିବେ ବୋଲି ଆକଳନ କରିଥିବାର ଜଣାପଡ଼ିଛି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ଲିଭାଉଥିବା ମହାନ୍ତ, ମୁଣ୍ଡାରୀ ଓ ଭୂମିଜ ସମ୍ପ୍ରଦାୟର ଭୋଟ ବିଜେପି ଝୁଲାରେ ପଡ଼ିଥିବାର ବିଜେପି ସମର୍ଥକମାନେ ଆଶା କରିଛନ୍ତି ।  ସେହିପରି ସୁଦାମଙ୍କର ସମ୍ପର୍କୀୟ ବନ୍ଧୁ ଜେଏମଏମ ବିଧାୟକ ପ୍ରାର୍ଥୀ ଶ୍ରୀହାଁସଦାଃ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଜେଏମଏମ ଓ କଂଗ୍ରେସ ଭୋଟ ନେଇ ବିଜୟୀ ହେବେ ବୋଲି ଆଶାବାଦୀ ରହିଛନ୍ତି ।

             ତେବେ ୨୯ନଂ ବାଙ୍ଗିରିପୋଷି(ସଂ) ବିଧାନସଭା କ୍ଷେତ୍ରରେ ବିଜେଡ଼ି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ସୁଦାମ ଓ ବିଜେପି ପ୍ରାର୍ଥୀ ସୁଗଦା ମଧ୍ୟରେ ୫୦/୫୦ରେ ଲଢେ଼ଇ ହୋଇଥିବାର ଜଣାପଡ଼ିଛି । ତେବେ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀକୁ ଜିତାଇବାରେ ନିର୍ଣ୍ଣାୟକ ଭୂମିକା ଲିଭାଇ ଆସୁଥିବା  ଶାମାଖୁଣ୍ଟା ବ୍ଲକରେ ଭୋଟର ବିଜେଡ଼ିଠାରୁ ମୁହଁ ଫେରାଇ ନେଇ ଏକ ପରିବର୍ତ୍ତନ ସପକ୍ଷରେ ରହିଥିବାର ସମ୍ଭାବନା ଅଧିକ ଦେଖାଦେଇଛି । ସେହିପରି କୁଳିଅଣା ବ୍ଲକ ବିଜେଡ଼ିର ହାତ ଛାଡ଼ି ବିଜେପି ମୁହାଁ ହୋଇଥିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଣି ସୁଦାମଙ୍କ ନିଜସ୍ୱ ବ୍ଲକ ବାଙ୍ଗିରିପୋଷିରେ ଫଳାଫଳ  ମଧ୍ୟ ନୈରାଶ୍ୟ ଜନକ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ନିର୍ବାଚନ ମଣ୍ଡଳୀରେ ଭୋଟର ବିଜେଡ଼ିର ହାତ ଛାଡ଼ିବାର ମୁଖ୍ୟ କାରଣ ନେତା ଜନତାଙ୍କ ସହିତ ନଥିବାର କୁହାଯାଉଛି । ନିର୍ବାଚନ ମଣ୍ଡଳୀରେ ବିକାଶ ପାଗଳ ହୋଇ ଏଣେତେଣେ ବୁଲୁଥିବାର କୁହାଯାଉଛି ।  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଆଦି ବିପର୍ଯ୍ୟସ୍ତ ହୋଇପଡ଼ିଛି । ମାଫିଆ ରାଜ ଚାଲିଛି । ତେଣୁ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ୧୫ ବର୍ଷ ଭୋଟ ଦେଇ ଜିତାଇ ଆଣିବା ପରେ ବର୍ତ୍ତମାନ ପରିବର୍ତ୍ତନ ସପକ୍ଷରେ ଜନମତ ସୃଷ୍ଟି ହୋଇଥିବାର କୁହାଯାଉଛି । ତେବେ ନିର୍ବାଚନ ମଣ୍ଡଳୀରେ ମେ ୨୩ରେ ହାତୀ କାହା ମୁଣ୍ଡରେ ଢ଼ାଳିବ ସୁନା କଳସର ପାଣି ତାହାକୁ ସମସ୍ତେ ଅନାଇ ବସିଛନ୍ତି । 

 

 

0
0
0
s2sdefault