ହେଡଲାଇନସ୍:

  ବାରିପଦା ନିର୍ବାଚନ ମଣ୍ଡଳୀ : ବାସ୍ତବତାକୁ ସ୍ବପ୍ନ ଯାଉଛି ବଳି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଇଭିଏମରେ ସିଲ  ୭ ବିଧାୟକ ପ୍ରାର୍ଥୀଙ୍କ ଆଶା, ହାରଜିତକୁ ନେଇ ଚାଲିଛି ଜୋରଦାର ଅଙ୍କକଷା

ବାରିପଦା()-ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲ ବଜାଇବା ପରେ ଏପ୍ରିଲ ୨୯ରେ ଓଡ଼ିଶା ବିଧାନ ସଭା କ୍ଷେତ୍ର ତଥା ମୟୂରଭଞ୍ଜ ଜିଲ୍ଲାର ୩୩ ନଂ ବାରିପଦା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହୋଇଥିବା ସମୟରେ ମତଦାନ ହାର ୭୬ ପ୍ରତିଶତ ରହିଥିଲା । ଇଭିଏମ ମଧ୍ୟରେ ବିଜଦ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଭାଜପା ପ୍ରାର୍ଥୀ ପ୍ରକାଶ ସୋରେନ, କଂଗ୍ରେସ ପ୍ରାର୍ଥୀ ଦଶରଥ ସିଂ, ଜେପିପି ପ୍ରାର୍ଥୀ ଚନ୍ଦ୍ର ମୋହନ ମୁର୍ମୁ, ବିଏସପି ପ୍ରାର୍ଥୀ ସରୋଜିନୀ ସୋରେନ, ଆପ୍ ପ୍ରାର୍ଥୀ ବିଶ୍ୱନାଥ ହେମ୍ବ୍ରମ, ଓ ସ୍ୱାଧୀନ ପ୍ରାର୍ଥୀ ଶିବ ପ୍ରସାଦ ସିଂ ପ୍ରମୁଖ ମୋଟ ୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇ ରହିଛି । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ଆସନ୍ତା ୨୩ରେ ହେବାକୁ ଯାଉଥିବା ବେଳେ ହାରଜିତ୍କୁ ନେଇ ପ୍ରାର୍ଥୀ, ରାଜନୈତିକ ଦଳ ଓ ସମର୍ଥକମାନଙ୍କ  ମଧ୍ୟରେ ଅଙ୍କକଷା ଜୋର ଧରିଥିବାର ପରିଲକ୍ଷିତ ହୋଇଛି ।  ବାରିପଦା ନିର୍ବାଚନ ମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ହୋଇଥିବା ଫଳରେ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ । ତେଣୁ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜଦ ଓ କଂଗ୍ରେସ-ଜେଏମଏମ ମେଣ୍ଟ ନିର୍ବାଚନ ମଣ୍ଡଳୀକୁ ନିଜ ଦଖଲରେ ରଖିବାପାଇଁ ସମସ୍ତ ରଣକୌଶଳ ସହ ପ୍ରାଣମୂର୍ଚ୍ଛା କସରତ ଚଳାଇଥିଲେ ।  ଯାହାଫଳରେ ଜିଲ୍ଲା ରାଜନୀତିରେ ଘଡ଼ିକେ ଘୋଡା  ଛୁଟିବାରେ ଲାଗିଥିଲା । ରାଜନୈତିକ ଦଳଗୁଡ଼ିକରେ ଦଳ ବଦଳ, ଡ଼ାଳ ଡ଼ିଆଁ ଓ ଘର ବାହୁଡ଼ା ପର୍ବ ରାଜନୈତି ସମୀକରଣକୁ ମଧ୍ୟ ବଦଳାଇ ଦେଉଥିଲା । 

             ବାରିପଦା ନିର୍ବାଚନ ମଣ୍ଡଳୀକୁ ଶାସକ ବିଜଦ ନିଜ ଦଖଲକୁ ନେଇ ହେଟ୍ରିକ୍ କରିବାର ଆଶା ବାନ୍ଧିଛି । ବିଜଦ ଶିବିରରେ ଏଥି ନିମନ୍ତେ ଆରମ୍ଭ ହୋଇଥିବା ଅଙ୍କକଷା ଆଧାରରେ ବିଧାୟକ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ୧୦ରୁ ୧୨ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ଆକଳନ କରୁଛନ୍ତି । ବାରିପଦା ପୌରପରିଷଦରୁ ସର୍ବାଧିକ ୮ରୁ ୧୦ ହଜାର ଅଧିକ ଭୋଟ ବିଜଦ ଖାତାକୁ ଆସୁଥିବା ବେଳେ ଖୁଣ୍ଟା ବ୍ଲକରୁ ୩ ହଜାର, ବାରିପଦା ବ୍ଲକରୁ ୨ ହଜାରରୁ ଅଧିକ ଓ ବଡ଼ସାହି ବ୍ଲକର ୯ଟି ପଞ୍ଚାୟତରେ ଭୋଟ ୫୦/୫୦ ଭୋଟ ପଡ଼ିଥିବାର ଆଶା ବାନ୍ଧିଛନ୍ତି । କିନ୍ତୁ, ବାରିପଦା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଖଲ କରିବା ଏତେ ସହଜ ନୁହେଁ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡ଼ି ନିର୍ବାଚନ ମଣ୍ଡଳୀକୁ ହାତଛଡ଼ା କରିବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାର ମୁଖ୍ୟ କାରଣ ଟିକଟ ଚୟନ ବୋଲି କୁହାଯାଉଛି । ୨୦୦୯ ଓ ୨୦୧୪ରେ ସାନନ୍ଦ ମାର୍ଣ୍ଡି ବିଜେଡ଼ି ଟିକଟରୁ ନିର୍ବାଚିତ ହେବା ସଙ୍ଗେସଙ୍ଗେ ବିଧାନସଭାର ଉପବାଚସ୍ପତି ଭାବେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଦୀର୍ଘ ୧୦ ବର୍ଷ ବାନ୍ଧି ହୋଇଥଲେ ବି  ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରଖିଥିବା ବେଳେ ତାଙ୍କୁ ଟିକଟରୁ ବଞ୍ଚିତ କରାଗଲା |  ୨୦୧୪ ନିର୍ବାଚନ ସମୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଲୋକପ୍ରିତା ହରାଇଥିବା କାରଣରୁ ଦଳୀୟ ଟିକଟରୁ ବାଦ ପଡ଼ିଥିବା ତଥା ବାରିପଦା ନିର୍ବାଚନ ମଣ୍ଡଳୀରେ ନିଜସ୍ୱ ସଙ୍ଗଠନ ନଥିବା ପୂର୍ବତନ  ମନ୍ତ୍ରୀ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଇବା ବିଜଦ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଦଳୀୟ କିଛି ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି  । ସେହିପରି ଟିକଟରୁ ବାଦ ପଡ଼ିଥିବା ବାରିପଦା ବିଧାୟକ ସାନନ୍ଦ ଓ ତାଙ୍କ ସମର୍ଥକମାନେ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ସେମାନଙ୍କୁ ଅଣଦେଖା କରାଯିବା ଦଳ ଓ ପ୍ରାର୍ଥୀ ଉଭୟଙ୍କ ନିମନ୍ତେ ଘାତକ ସାବ୍ୟସ୍ତ ହୋଇଥିବା କୁହାଯାଉଛି  । ଏଥି ସହିତ ଟିକେଟରୁ ବଂଚିତ ଅନ୍ୟ ନିର୍ବାଚନ ମଣ୍ଡଳୀର ଏକ ବିଜଦ ବିଧାୟକ ଶ୍ରୀମତୀ ହେମ୍ବ୍ରମଙ୍କ ବିରୋଧରେ ଏବଂ ଭାଜପା ସପକ୍ଷରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ପ୍ରଭାବିତ କରାଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନା ହେଉଛି | ଏହା  ବିଜଦ ପାଇଁ ଆତ୍ମଘାତି ସାବ୍ୟସ୍ତ ହୋଇଥିବା ବେଳେ ଶ୍ରୀମତୀ ହେମ୍ବ୍ରମଙ୍କ ସମର୍ଥକମାନେ ଏକଲା ଚଲୋ ନୀତି ୨୦୧୯ ନିର୍ବାଚନର ଫଳାଫଳକୁ ବିଶେଷ ଭାବେ ପ୍ରଭାବିତ କରାଇବା ସହ ଶ୍ରୀମତୀ ହେମ୍ବ୍ରମଙ୍କ ପ୍ରତି ଜନସମର୍ଥନ ହ୍ରାସର ମୁଖ୍ୟ କାରଣ ହୋଇଥିବା ବେଳେ ରାଜନୀତିରେ ନିଜ ନିଜର ପତିଆରା ଜାହିର କରାଇବା ନିମନ୍ତେ ସୃଷ୍ଟି ହୋଇଥିବା ଅଦୃଶ୍ୟ ପ୍ରତିଯୋଗିତା ଅନ୍ୟ ଏକ କାରଣ ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

                 ସେହିପରି ଭାଜପା ଶିବିର ଦଳୀୟ ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନଙ୍କ ବିଜୟକୁ ସମ୍ପୂର୍ଣ୍ଣ ଭାବେ ଆଶାବାଦୀ  ରହିଛନ୍ତି । ଶିବିରରେ ଚାଲିଥିବା ଅଙ୍କକଷା ଓ ଆକଳନ ଅନୁସାରେ ବାରିପଦା ପୌରପରିଷଦରୁ ୨ ହଜାରରୁ ଅଧିକ ଭୋଟ ସହ ବାରିପଦା ବ୍ଲକରୁ ୩ରୁ ୪ ହଜାର, ଖୁଣ୍ଟା ବ୍ଲକରୁ ୫ରୁ ୭ ହଜାର ଓ ବଡ଼ସାହି ବ୍ଲକର ୯ଟି ପଞ୍ଚାୟତରୁ ୩ରୁ ୪ ହଜାର ଏହିପରି ମୋଟ ୧୫ରୁ ୧୭ ହଜାର ଅଧିକ ଭୋଟ ବ୍ୟବଧାନରେ ବିଜଦ ପ୍ରାର୍ଥୀଙ୍କୁ ହରାଇ ବାରିପଦା ନିର୍ବାଚନ ମଣ୍ଡଳୀକୁ ଦଖଲ କରିବେ ବୋଲି ଆଶାବାଦୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଭାଜପା ସପକ୍ଷରେ ଏକ ଅନ୍ତସ୍ରୋତ ପ୍ରବାହିତ ହୋଇଥିବାର ପରିଲକ୍ଷିତ ହୋଇଥିଲା । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବୋଥରେ ଭାଜପାର କର୍ମୀ ଓ ଏଜେଣ୍ଟମାନଙ୍କୁ ଦେଖିବାକୁ ମିଳିନଥିବା ବେଳେ ଭୋଟର ଭ୍ରମର ଭଳି ପଦ୍ମର ମହମହ ବାସ୍ନା ପ୍ରତି ଆକୃଷ୍ଟ ହୋଇ ଘୁରିବୁଲୁଥିବାର ଦେଖିବାକୁ ମିଳିଥିଲା ବୋଲି ଚର୍ଚ୍ଚା  । ଏହା ଭାଜପା ପ୍ରାର୍ଥୀ ଶ୍ରୀସୋରେନଙ୍କ ନିମନ୍ତେ ଏକ ଶୁଭ ସଙ୍କେତ ବୋଲି କୁହାଯାଇଛି । 

          ତେବେ ଭାଜପା ଓ ବିଜଦ ମଧ୍ୟରେ ହାରଜିତର ନିର୍ଣ୍ଣୟ ହେବାକୁ ଯାଉଥିବା ବେଳେ ପଛରେ ପଡ଼ିଯାଇନାହିଁ କଂଗ୍ରେସ । ୨୦୧୯ ନିର୍ବାଚନରେ କଂଗ୍ରେସ ସହ ଝାମୁମୋ ମେଣ୍ଟ ହୋଇଥିବା କାରଣରୁ କଂଗ୍ରେସ ଓ ଝାମୁମୋ ଭୋଟ ଏତ୍ରିତ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଦଶରଥ ସିଂଙ୍କୁ ବିଧାୟକ ଭାବେ ଜିତାଇବାରେ ସମ୍ଭାବନା ରହିଛି ବୋଲି କଂଗ୍ରେସ ଶିବିର ଆଶାବାଦୀ ରହିଛନ୍ତି । 

            ଏହି ତିନି ପ୍ରମୁଖ ରାଜନୈତିକ ଦଳ ସହ ତାଳ ଦେଇ ଜନସାଧାରଣ ମଧ୍ୟ ଅଙ୍କକଷି ଚାଲିଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଖଟିମାନଙ୍କରେ ଚାଲିଥିବା ଅଙ୍କକଷାର ଫଳାଫଳର ଆଧାର ବିଜଦ ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମଙ୍କୁ ପଛରେ ପକାଇ ଦେଇଛି ଭାଜପା ପ୍ରାର୍ଥୀ ଶ୍ରୀସୋରେନ । ନିର୍ବାଚନରେ ରାଜ୍ୟ ସରକାରୀ କର୍ମଚାରୀମାନେ ବିଜଦ ବିପକ୍ଷରେ ରହିଥିବା କାରଣରୁ ଜନସାଧାରଣଙ୍କ ଆକଳନ ଆସନ୍ତା ମେ ୨୩ରେ ମତଗଣନା ଫଳାଫଳ ସହ ସମାନ ହେବାର ସମ୍ଭାବନା ଅଧିକ ରହିଥିବାର ପୂର୍ବାନୁମାନ କରାଯାଇଛି । ହେଲେ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଙ୍କକଷା ଜୋର ଧରିଥିବା ବେଳେ ଫଳ କିଛି ବି ଅପ୍ରତ୍ୟାଶିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ | 

0
0
0
s2sdefault