ହେଡଲାଇନସ୍:

ନବୀନ ବାବୁ ଚୋର ଡକାୟତ, ଲମ୍ଫଟକାରୀ ସରକାର ଚଲାଉଛନ୍ତି : ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜରେ କେନ୍ଦ୍ରମନ୍ତ୍ରୀଙ୍କ ତୋଫାନୀ ନିର୍ବାଚନୀ ପ୍ରଚାର

ବିଜେପି ସରକାରକୁ ଆସିଲେ ଜଙ୍ଗଲ ଜମିରେ ରହୁଥିବା ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି ଓ ପଟ୍ଟା ଦିଆଯିବ-ଧର୍ମେନ୍ଦ୍ର ପ୍ରଧାନ

ମୟୂରଭଞ୍ଜ/ଯଶୀପୁର/ରାଇରଙ୍ଗପୁର/ସାରସକଣା/ବାଙ୍ଗିରପୋଷୀ/ଉଦଳା, – ବିଜେଡି ନିର୍ବାଚନ ପ୍ରଚାରରେ ମୋଦି ସରକାର ଆସିଲେ ଜଙ୍ଗଲରେ ରହୁଥିବା ଲୋକଙ୍କୁ ବାହାର କରିଦିଆଯିବ ବୋଲି ଅପପ୍ରଚାର କରୁଛି । ବିଜେପି ସରକାର ଓଡିଶାରେ ହେଲେ ଜଙ୍ଗଲ ଜମିରେ ରହୁଥିବା ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି ଓ ପଟ୍ଟା ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ନିର୍ବାଚନ ମଣ୍ଡଳିର ମହର୍ଦାପଳସା, ରାଇରଙ୍ଗପୁରର ବହଳଦା, ସାରସକଣାର ବିଜତଳା, ବାଙ୍ଗିରପୋଷୀର କୁଲିଆଣା ଓ ଉଦଳାର ଗୋପବନ୍ଧୁ ନଗର ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଆସିଲେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କର ସଂରକ୍ଷଣ ବନ୍ଦ ହୋଇଯିବ ବୋଲି ବିଜେଡି କହୁଥିବା ବେଳେ ଏହା ବନ୍ଦ ହେବ ନାହିଁ  ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଓବିସି ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥା କରୁନଥିବା ବେଳେ ରାଜ୍ୟରେ ଡବଲ ଇଞ୍ଜିନର ସରକାର ଲାଗିଲେ ଓବିସି ଓ ଆଦିବାସୀଙ୍କ ସଂରକ୍ଷଣ କରାଯିବା ସହ ଆର୍ଥିକ ପଛୁଆଙ୍କୁ ମଧ୍ୟ ସଂରକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ ।

ସେହିପରି ମୋଦି ସରକାର ଆସିଲେ ଓଡିଶାରେ ଭତା ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଥିବା ବେଳେ ମୋଦି ଆସିଲେ ଭତା ବନ୍ଦ ହେବ ନାହିଁ ବରଂ ଭତା ଟଙ୍କା ବଢିବ । ଏତଦବ୍ୟତିତ ମୋଦି ଆସିଲେ ଟଙ୍କିକିଆ ଚାଉଳ ଓଡିଶାରେ ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଥିବା ବେଳେ ରାଜ୍ୟରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଜପେୟୀଙ୍କ ସରକାରରେ ଏଠକାର ଛୋଟ ଲାଇନ ରାସ୍ତାକୁ ବଡ ଲାଇନରେ ପରିଣତ କରାଯାଇଥିଲା । ଶାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ବିଜେପି ସରକାର ଦେଇଥିବା ବେଳେ ଦୌପ୍ରଦୀ ମୁର୍ମୁ ଭଳି ଶାନ୍ତାଳୀ ମହିଳାଙ୍କୁ ମୋଦି ସମ୍ମାନିତ କରିଛନ୍ତି । ଆଦିବାସୀଙ୍କ ଚିନ୍ତା ବିଜେପି ସରକାର ହିଁ କରୁଛି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ଓଡିଶାକୁ ଆସିନଥିବା କହୁଥିବା ବେଳେ ନରେନ୍ଦ୍ର ମୋଦି ଏଠାକୁ ଆସି ରେଳ, ରାସ୍ତା, ପର୍ଯ୍ୟଟନ କଥା ଏହି ଜିଲ୍ଲାର ଚିନ୍ତା କରିଛନ୍ତି । ମୟୂରଭଞ୍ଜର ବିକାଶ ମୋଦି ହିଁ କରିପାରିବେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୨ ସୁଦ୍ଧା ଭାରତବର୍ଷର ସବୁ ଗରିବଙ୍କର ସ୍ଥାୟୀ ପଟ୍ଟା ଥିବା ସହ ପକ୍କା ଛାତ ମଧ୍ୟ ଥିବ । ଯେଉଁ ଘରେ ୨୪ ଘଂଟା ବିଜୁଳି, ପାଣି, ଏଲପିଜି ଗ୍ୟାସ୍ ଲାଇନ ସୁବିଧା ଥିବ । ବିଜେପି ସରକାର ହେଲେ ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି ଓ ପଟ୍ଟା ଦେବା ଡବଲ ଇଞ୍ଜିନ ସରକାର ଦେବ, ପେସା ଆଇନକୁ କଡାକଡି କରାଯିବ ସେହିପରି ଏଠାକାର ବାଦାମ ପାହାଡ-ଗୋରୁମଇଷାଣୀ ରେଳ ଲାଇନଳକୁ ମୋଦି ପୂର୍ଣ୍ଣାଙ୍ଗ କରିପାରିବୋ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରିଷ୍ଠ  ନେତା ଡା. ଦାମୋଦର ରାଉତ ଅଭିଯୋଗ କରିଥିଲେ ଯେ ମୟୁରଭଞ୍ଜ ଜିଲ୍ଲାରେ ଯେତେ ଜାଗା ଓ ପରିବାର ନାହିଁ ୫ ବର୍ଷରେ ତାଠୁ ଅଧିକ ଗଛ ଲାଗିଛି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲା କଲେ କି ନାହିଁ? ଏଥିପାଇଁ ଦଣ୍ଡ ଦିଆଯିବ କି ନାହିଁ ?

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ପରିବର୍ତନ ହୋଇଥିବା ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ତାଙ୍କର ୧୯ ବର୍ଷର ଶାସନରେ ଏ ଅଂଚଳରେ ଶୁଦ୍ଧ ପିଇବା ପାଣି ପାଇପରେ ଆସୁନାହିଁ, ୨୪ ଘଂଟା ବିଜୁଳି ନାହିଁ, ସରକାରୀ ସ୍କୁଲରେ ଶିକ୍ଷକ ଓ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଜଳସେଚନର ସୁବ୍ୟବସ୍ଥା ନାହିଁ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ପ୍ରକୃତିରେ ଭରପୁର ଯେଉଁ ଶିମିଳିପାଳ ଦିନେ ସ୍ୱୟଂ ସମ୍ପନ୍ନ ଥଲା, ଆଜି ତାହାକୁ ଦରିଦ୍ର କରିବାରେ ଏବଂ ମୌଳିକ ସୁବିଧା ନକରି ଓଲଟା ଦୁିର୍ନୀତିରେ ପେଶି ଦେଇଥିବାର ପରିବର୍ତନ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଅଂଚଳର ଯୁବକମାନେ କାମ ନପାଇ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଯୁବକର ରୋଜଗାର ପାଇଁ ସରକାର ସବାଇ ଘାସରୁ ଟୋପି ବନାଯିବାର କାରଖାନା କରିପାରିଲେ ନାହିଁ । ଏ ଅଂଚଳର ଗାମୁଛାକୁ ବିଶ୍ୱରେ ପହଁଚାଇପାରିଲେ ନାହିଁ । ଏଥିରେ ମୋଦି କଣ କଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ଏଥିରେ ଏ ସରକାରକୁ ଯୋଗ୍ୟ କୁହାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ୩୩ ବର୍ଷ ହେବ ମୟୂରଭଞ୍ଜର ଭାଇ ଭଉଣୀମାନେ ସୁବର୍ଣ୍ଣରେଖାର ସ୍ୱପ୍ନ ଦେଖୁଛନ୍ତି । ହେଲେ ଏ ଯାଏଁ ସୁବର୍ଣ୍ଣରେଖାର ପାଣିମାଡିଲା ନାହିଁ । ବିସ୍ଥାପିତମାନଙ୍କୁ କ୍ଷତିଗ୍ରସ୍ତ ଭାବେ ଘୋଷଣା ନକରାଯିବା ସହ ସେମାନଙ୍କୁ କ୍ଷତିପୂରଣ ମିଳିଲାନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ ଓଡିଶାର ପରିଚୟ ବୋଲି କହୁଛନ୍ତି । ଓଡିଶାର ପରିଚୟ ନବୀନ ବାବୁଙ୍କ ପାଇଁ ନୁହେଁ ବରଂ ଶିମିଳିପାଳ, ଛଉ ନାଚ, ଶ୍ରୀରାମ ଚନ୍ଦ୍ର ଭଞ୍ଜ, ମହାପ୍ରଭୁ ଜଗନ୍ନାଥ ପାଇଁ । ଯେତେବେଳେ ମୁଣ୍ଡ ଖରାପ ହୁଏ ଏ ପ୍ରକାର ବାଚାଳାମୀ ଦେଖାଯାଏ ବୋଲି ସେ କହିଛନ୍ତି ।ଗୋଟିଏ ବର୍ଷରେ ନରେନ୍ଦ୍ର ମୋଦିଙ୍କ ୫ ବର୍ଷର କଲ୍ୟାଣକାରୀ ଯୋଜନା । ଅନ୍ୟପଟେ ୧୯ ବର୍ଷର ନବୀନ ବାବୁଙ୍କର ପ୍ରତୀରଣା, ଦୁର୍ନୀତି, ଠକାମୀ ଓ ମିଛ ଶାସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି ।

ମୋଦି ଘର ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ଓ ଶୌଚାଳୟ ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି । ବାର୍ଧକ୍ୟ ଭତାରେ ମଧ୍ୟ ପିସି କାରବାର ହେଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ନବୀନ ବାବୁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ସେହିପରି ନରେନ୍ଦ୍ର ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ନବୀନ ବାବୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ଚନ୍ଦ୍ରବାବୁ, ପାକିସ୍ତାନ ପ୍ରଧାନମନ୍ତ୍ରୀ, ମମତା ବାନାର୍ଜୀ, ଚନ୍ଦ୍ରବାବୁଙ୍କ ପରି ନବୀନ ପଟ୍ଟନାୟକ ମୋଦିଙ୍କ ରେଳ ଇଞ୍ଜିନକୁ ଠେଲି ପକାଇ ଦେବାକୁ ଚାହୁଁଛନ୍ତି । ମହାପ୍ରଭୁ ରତ୍ନଭଣ୍ଡାର ଚାବୀ ହଜାଇ ଦିଲ୍ଲୀ ଶାସନ ଚାବି କାଠି ରଖିବା କଥା କହୁିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ ଚୋର ଡକାୟତ, ଲମ୍ଫଟକାରୀ ସରକାର ଚଲାଉଛନ୍ତି । ଡବଲ ଇଞ୍ଜିନ ସରକାର ହେଲେ ଖଣି ମାଫିଆ, ଚିଟଫଣ୍ଡ ଚୋର, ଗୁଣ୍ଡାମାନଙ୍କୁ ଜେଲ୍ ପଠାଯିବ । ଏତଦବ୍ୟତିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଥିଲେ ।

 

 

 

 

0
0
0
s2sdefault