ହେଡଲାଇନସ୍:

ପଦ୍ମ ମୋହ ତୁଟାଇ ଶଙ୍ଖ ଫୁଙ୍କିଲେ  ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶରତ ଦାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ବିଜୁ ଜନତା ଦଳ ସଭାପତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ-ସଭାପତି ଶରତ ଦାସଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ତଥା ଭଦ୍ରକ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଜୟଦେବ ବାରିକ, ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ତଥା ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ ମହାନ୍ତିଙ୍କ ସମେତ ଭଦ୍ରକ ସଂସଦୀୟ କ୍ଷେତ୍ରର ହଜାରରୁ ଉର୍ଧ୍ଵ  ବିଜେପି କର୍ମୀ ଆଜି ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ସେନାପତି, ଜୀବନ ଦାସ, ବୁଦ୍ଧଦେବ ପାତ୍ର, ନରେନ୍ଦ୍ର ଲେଙ୍କା, ଏସ୍‍କେ. ହବିବ୍‍, ମାନସ ମହାନ୍ତି, ଖଗେଶ୍ୱର ନାୟକ, ସଂଜୟ ମହାପାତ୍ର, ଶ୍ରୀରାମ ପୁହାଣ, ରୁପାଲି ନାୟକ, ସଂଗ୍ରାମ ଜେନା, ଲାଲମୋହନ ନାୟକ, ଶେଖର ଶଙ୍ଖୁଡ଼ା, ସତ୍ୟପ୍ରିୟ ପଣ୍ଡା, ତାରାକାନ୍ତ ମହଲା, ଗଜାନନ ପଣ୍ଡା, ଉମାକାନ୍ତ ମହାନ୍ତି ପ୍ରମୁଖ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ଶରତ ଜଣେ ଭଲ ସଂଗଠକ । ସେ ତାଙ୍କର ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଭଦ୍ରକ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଦଳରେ ଯୋଗ ଦେବା ଅବସରରେ ଶରତ ଦାସ କହିଥିଲେ ଯେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତା’ର ନୀତି ଓ ଆଦର୍ଶକୁ ଭୁଲି ଗଲାଣି । ବିଜେପିର ବଡ଼ ବଡ଼ ନେତାଙ୍କ ପକେଟରେ ଦଳ ରହିଛି । ଯେଉଁ ଦଳକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରତିଷ୍ଠା  କରି ଦେଶ ପାଇଁ ସମର୍ପି ଦେଇଥିଲେ, ସେହି ଦଳ ବର୍ତ୍ତମାନ ବ୍ୟକ୍ତି ପାଇଁ ସମର୍ପିତ ହୋଇଯାଇଛି । ଯେତେଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କଲେ ମଧ୍ୟ ଏଠାକାର ଭୋଟରମାନଙ୍କ ମଧ୍ୟରେ କୌଣସି ପ୍ରଭାବ ପଡିବାର ନାହିଁ । କାରଣ ଭୋଟରମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିସାରିଲେଣି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଗରିବ କଲ୍ୟାଣ ଯୋଜନା ଯୋଗୁ ବହୁ ଜନସାଧାରଣ ଉପକୃତ ହୋଇପାରିଛନ୍ତି । ଯାହାଫଳରେ ଆଜି ମୁଁ ବିଜେଡିରେ ମିଶିବାକୁ ବାଧ୍ୟ ହେଲି ।

ସୂଚନାଯୋଗ୍ୟ, ଶ୍ରୀ ଦାସ ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଭଦ୍ରକ ସାଂସଦ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ୨ଲକ୍ଷ ୧୮ ହଜାର ଭୋଟ ପାଇଥିଲେ ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

 

 

 

 

 

 

 

0
0
0
s2sdefault