ଶେଷ ନିଶ୍ୱାସ  ଥିବା ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରୁଥିବି- ନବୀନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୋର ଶେଷ ନିଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରୁଥିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଠାକୁରମୁଣ୍ଡା ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି । ସେହିପରି ମା’ମାନେ ବିକାଶ କ୍ଷେତ୍ରରେ ହେଉଛନ୍ତି ଡ଼ବଲ ଇଞ୍ଜିନ । ମିଶନ ଶକ୍ତି ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି କାର୍ଯ୍ୟକରିଚାଲିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମାଜର ସମସ୍ତ ବର୍ଗଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧାସୁଯୋଗ ସରକାର ଯୋଗାଇ ଦେଉଥିବା ବେଳେ ମା’ମାନଙ୍କ କ୍ଷେତ୍ରରେ ଏହା ଡବଲ ୧୦ ଲକ୍ଷ ଟଙ୍କା ମିଳୁଛି । ସେହିପରି କୃଷି ଓ କୃଷକର ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାରେ ୪୦ ଲକ୍ଷ କୃଷକଙ୍କୁ ସାମିଲ କରାଯାଇଥିବା ସମୟରେ କେନ୍ଦ୍ର ସରକାର ଉକ୍ତ ଯୋଜନାକୁ ବନ୍ଦ କରିଦେବା ନିମନ୍ତେ ଚକ୍ରାନ୍ତ ଚଳାଇଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ଏଥିରେ ସଫଳ ହେବାକୁ ଦେବେ ନାହିଁ । ଓଡ଼ିଶାରେ ବିଜେଡ଼ି ସରକାର ଆସିଲେ ଯୋଜନାରେ ସାମିଲ ହୋଇପାରିନଥିବା ଅବଶିଷ୍ଟ କୃଷକମାନଙ୍କୁ ସର୍ବପ୍ରଥମେ ସାମିଲ କରାଇ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ କେନ୍ଦୁଝର ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଓ କରଞ୍ଜିଆ ବିଧାନସଭା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମଙ୍କୁ ଆଶୀର୍ବାଦ କରି ସେମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ଆଣିବାକୁ ଆହ୍ୱାନ ଦେଇଥିଲେ । ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରନର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ନବଉତ୍କଳର ନିର୍ମାତା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଜନସାଧାରଣଙ୍କୁ ନମସ୍କାର ଜଣାଇବା ସହ ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଖାତର ନକରି ମୁଣ୍ଡଫଟା ଖରାରେ ହଜାର ହଜାର ଜନସାଧାରଣ ସଭାରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେଉଁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଓ କରଞ୍ଜିଆ ବିଧାନସଭା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ପ୍ରମୁଖ ସେମାନଙ୍କୁ ଜିତାଇ ଆଣିବା ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କ ନିକଟରୁ ଆଶୀର୍ବାଦ ସହ ଭୋଟ ଭିକ୍ଷା କରିଥିଲେ । ସେହିପରି କରଞ୍ଜିଆ ବିଧାୟକ ବିଜୟ କୁମାର ନାଏକ, ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ସାହୁ, ଠାକୁରମୁଣ୍ଡା ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ 

0
0
0
s2sdefault