କଂଗ୍ରେସକୁ ଜବର ଝଟକା : ହାତର ସାଥ ଛାଡିଲେ ରମୁ, ସଦଳବଳେ ଯୋଗ ଦେଲେ ବିଜେଡିରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଶାସକ ପ୍ରଶାସକ): ଅଶାନ୍ତି ଓ ଅସନ୍ତୋଷର ବାରୂଦ ଗଦା ଉପରେ ବସିଥିବା ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡିଶା ପ୍ରଦେଶ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା | କଂଗ୍ରେସ ସହ ପ୍ରାୟ ୪ ଦଶନ୍ଧିରୁ ଉର୍ଧ୍ଵ କାଳର ସମ୍ପର୍କକୁ ଛିନ୍ନ କରି ଦଳର ଟାଣୁଆ ନେତା, ଦଳର ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ ରହିଆସିଥିବା ତଥା ପିସିସି ସଭାପତିଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତିର ପ୍ରତିବାଦ କରି ଦଳୀୟ ଟିକେଟ ଫେରାଇଥିବା ବିଦାୟୀ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ର(ରମୁ) ସଦଳବଳେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି |

   ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୁରୀ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପାତ୍ର, ନିମାପଡ଼ାର ସ୍ମୃତି ପ୍ରକାଶ ନନ୍ଦ ଓ ପ୍ରତାପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା କଂଗ୍ରେସର ଉପ-ସଭାପତି ଅଶ୍ୱିନୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ପୂର୍ଣ୍ଣେଶ ସେନାପତି, ନିମାପଡ଼ା ଏନ୍‍ଏସି ପୂର୍ବତନ ସଭାପତି ବିଭୂତି ଭୂଷଣ ସ୍ୱାଇଁ, ବ୍ଲକ ପୂର୍ବତନ ସଭାପତି ଶ୍ରୀମତୀ ଅମିତା ସ୍ୱାଇଁ, ଜିଲ୍ଲା ସାଧାରଣ ସଂପାଦକ ଧର୍ମେନ୍ଦ୍ର ସାହୁ, କୃଷକ ସେଲ୍‍ ଅଧ୍ୟକ୍ଷ ପ୍ରଦୀପ୍ତ ସାମନ୍ତରାୟ, ବ୍ଲକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସେଠୀ, ଜିଲ୍ଲା କଂଗ୍ରେସ ସଂପାଦକ ଅସମତ ବକ୍ସ, ରମେଶ ପ୍ରଧାନ, ଜିଲ୍ଲା କୃଷକ ସେଲ୍‍ ଉପ-ସଭାପତି ଭୀମସେନ ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।  

ଦଳରେ ଯୋଗ ଦେବା ଅବସରରେ ସତ୍ୟବ୍ରତ ପାତ୍ର କହିଥିଲେ ଯେ ମୁଁ ଚାରି ଚାରିଜଣ ପିସିସି ସଭାପତିଙ୍କ ସହିତ କାମ କରିଛି । ସାରା ରାଜ୍ୟରେ କଂଗ୍ରେସ କିଭଳି ସଂଗଠିତ ହୋଇପାରିବ ସେଥିପାଇଁ ଦିନରାତି କାମ କରୁଥିଲି । କିନ୍ତୁ ରାଜ୍ୟ କଂଗ୍ରେସରେ ଯେଭଳି ଅଂହକାର ମନୋଭାବ ନେଇ କାର୍ଯ୍ୟ ଚାଲିଛି, ସେଥିରେ ଅତିଷ୍ଠ  ହୋଇ ଆଜି ମୋ ସହିତ ୭୦୦ରୁ ଉର୍ଧ୍ଵ  କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛୁ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, କଟକ-ସଦର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଓ ମାନ୍ୟବର ସଭାପତିଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

 

0
0
0
s2sdefault