ହେଡଲାଇନସ୍:

  ସୌମ୍ୟ ବାବୁଙ୍କୁ ପ୍ରାଇସ ମିଳିଲା, ରାଜ୍ୟସଭାର ପ୍ରେଷ୍ଟିଜ୍ ଓ ପକେଟ ଗରମ କରିବାର ପଇସା ମିଳିଲା:- ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଟକ-ଭୁବନେଶ୍ୱର-ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳର ବ୍ୟବସ୍ଥା କରାଯିବ

 ଓଡିଶାର ଚୌଦ୍ୱାର ସମେତ ୧୫ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ

 ଆଗାମୀ ୨ ବର୍ଷ ଭିତରେ ଓଡିଶାର ସବୁ ସରକାରୀ ପଦବୀକୁ ପୂରଣ କରାଯିବ

 ହଜାର କୋଟି ଟଙ୍କାରେ ପୁନରୁଦ୍ଧାର କରି ବିଶ୍ୱସ୍ତରର ଉତ୍ପାଦନ  ପେଣ୍ଠସ୍ଥଳି ଚୌଦ୍ୱାରକୁ ବନାଯିବ

 ବାଙ୍କିକୁ ବିକାଶର ପ୍ରୟୋଗଶାଳା କରାଯିବ

 ବାଙ୍କି ଅଂଚଳର ପନିପାରିବାକୁ କେବଳ ଓଡିଶା ନୁହେଁ ବିଶ୍ୱ ବଜାରକୁ ପଠାଇବାର ବ୍ୟବସ୍ଥା କରାଯିବ

 ଖଣ୍ଡପଡାବାସୀଙ୍କୁ ପାନୀୟ ଜଳର ସୁବିଧା ଯୋଗାଯିବା ସହ ଏଠାକାର ନୀଳମାଧବ ପୀଠର ବିକାଶ କରାଯିବ

 ନରେନ୍ଦ୍ର ମୋଦିଙ୍କୁ ଇର୍ଷା କରିବା ଛଡା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନ୍ୟ କୌଣସି ଯୋଜନା ନାହିଁ

 ଆମ ସରକାର ଆସିଲେଲୋକଙ୍କୁ ୫ କେଜି ଚାଉଳ. ଅଧ କେଜି ଲେଖାଏଁ ଡାଲି ଓ ଲୁଣ ମୋଟ ୧ ଟଙ୍କାରେ ମିଳିବ 

ଭୁବନେଶ୍ୱର/ଜଟଣୀ/କଟକ-ଚୌଦ୍ୱାର/ବାଙ୍କି/ଖଣ୍ଡପଡା – ଓଡିଶାରେ ବିଜେପି ସରକାର ହେଲେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ସହ ଅଧକେଜି ଲେଖାଁଏ ଡାଲି ଓ ଲୁଣ ମୋଟ ୧ ଟଙ୍କାରେ ଦିଆଯିବ ବୋଲି ବଡ ନିର୍ବାଚନୀ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଟକ-ଚୌଦ୍ୱାର, ବାଙ୍କି, ଜଟଣୀ ଓ ଖଣ୍ଡପଡାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଟଙ୍କାକିଆ ଚାଉଳ ମିଳୁଛି । ଯେଉଁଥିରୁ ନରେନ୍ଦ୍ର ମୋଦି ବଜାରରେ ମିଳୁଥିବା ୩୨ ଟଙ୍କା ଚାଉଳରୁ ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି । ନବୀନ ବାବୁ ୧୯ ବର୍ଷ ସରକାରରେ ପରଘର ତିଅଣରେ ଅତିଥି ସତ୍କାର  କଲେ ବୋଲି ସେ କହିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ସରକାରକୁ ଆସିଲେ ସର୍ବପ୍ରଥମେ ଓଡିଶାର ପ୍ରମୁଖ ଶିଳ୍ପ କେନ୍ଦ୍ର ଚୌଦ୍ୱାରକୁ ଶ୍ରୀଗଣେଶ କରାଯିବ । ଏ ଅଂଚଳର ଶିଳ୍ପାଂଚଳକୁ ହଜାର କୋଟି ଟଙ୍କାରେ ପୁନରୁଦ୍ଧାର କରିବିଶ୍ୱସ୍ତରର ଉତ୍ପାଦନ  ପେଣ୍ଠସ୍ଥଳି ଚୌଦ୍ୱାରକୁ ବନାଯିବ, ଚୌଦ୍ୱାର ଓଟିଏମ ସହ ଟିଟାଗଡ ପେପର ମିଲ୍କକୁ ପୁନଃଉଦ୍ଧାର କରାଯିବାର ଯୋଜନା କରାଯିବ, କଟକ-ଭୁବନେଶ୍ୱର-ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳର ବ୍ୟବସ୍ଥା କରାଯିବ ।

ସେହିପରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଯୋଗାଇ ଦିଆଯିବ, ଘରକୁ ୨୪ ଘଂଟା ପାଣି ଓ ବିଜୁଳି ଯୋଗାଇବା ସହ ଓଡିଶାର ଚୌଦ୍ୱାର ସମେତ ୧୫ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ, ୬୦ ବର୍ଷରୁ ଅଧିକ ଶ୍ରମିକଙ୍କ ପାଇଁ ୩ ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯିବ, ଯୁକ୍ତ ୨ ପାସ କରିଥିବା ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ସବୁ ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସଏସଜିଙ୍କ ପାଇଁ ଋଣଛାଡ କରାଯିବ, ଅଙ୍ଗନବାଡି ଦିଦିଙ୍କ ମାସିକ ଦରମା ୧୫ ହଜାର ଟଙ୍କା ଓ ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରାଯିବ, ଆଗାମୀ ୨ ବର୍ଷ ଭିତରେ ଓଡିଶାର ସବୁ ସରକାରୀ ପଦବୀକୁ ପୂରଣ କରାଯିବ, ସବୁ ଜିଲ୍ଲାରେ ବିଇଡି କଲେଜ୍ ତିଆରି କରାଯିବ, କୋଷ୍ଟାଲ ହାଇୱେର ୪୧୫ କିମି ରାସ୍ତାକୁ ଅଗାଧିକାର ଭିତିରେ କରାଯିବ, ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏତଦବ୍ୟତିତ ଓଡିଶାରେ ମୋଦିଙ୍କ ଅନୁଯାୟୀଙ୍କ ସରକାର ହେଲେ ବାଙ୍କିକୁ ବିକାଶର ପ୍ରୟୋଗଶାଳା କରାଯିବ, ବାଙ୍କିର ପନିପାରିବା ସଂରକ୍ଷଣ କରି ରଖିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ, ଯୁବକଙ୍କ ପାଇଁ ରୋଜଗାର ବ୍ୟବସ୍ଥା କରାଯିବ, ପନିପାରିବାକୁ କେବଳ ଓଡିଶା ନୁହେଁ ବିଶ୍ୱ ବଜାରକୁ ପଠାଇବାର ବ୍ୟବସ୍ଥା କରାଯିବ, ବାଙ୍କି ମେଡିକାଲର ଆଧୁନିକୀକରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ଖଣ୍ଡପଡାବାସୀଙ୍କୁ ପାନୀୟ ଜଳର ସୁବିଧା ଯୋଗାଯିବା ସହ ଏଠାକାର ନୀଳମାଧବ ପୀଠର ବିକାଶ କରାଯିବ, ଓଡିଶାର ପୂଜାରୀ ବନ୍ଧୁଙ୍କ ପାଇଁ ଯୋଜନା କରି ମାସିକ ଦରମା ଦିଆଯିବାର ବ୍ୟବସ୍ଥା କରାଯିବ, ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଜଳସେଚନ ବ୍ୟବସ୍ଥା କରାଯିବ, ଗ୍ରାମୀଣ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଅଂଚଳରେ ଶୁଦ୍ଧ ପାନୀୟ ଜଳ ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ମହାନଦୀ ଅଂଚଳରେ ଚାଷର ସୁବ୍ୟବସ୍ଥା ନାହିଁ, ବାଙ୍କିରେ ସମବାୟ ବିଭାଗର ଶୀତଳ ଭଣ୍ଡାର ନାହିଁ, ୨୪ ଘଂଟା ବିଜୁଳି ନାହିଁ, ପରିଶ୍ରମୀ ଅଂଚଳର ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତିା

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କୁ ଇର୍ଷା କରିବା ଛଡା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନ୍ୟ କୌଣସି ଯୋଜନା ନାହିଁ । ମୋଦିଙ୍କ ଲୋକପ୍ରିୟତା କାରଣରୁ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ଲାଗୁ କଲେ ନାହିଁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଓଡିଆ ଚାଷୀଙ୍କ ତାଲିକା ପଠାଇଲେ ନାହିଁ । ରାଜ୍ୟ ସରକାର ସ୍ୱାମୀ ମରୁ ପଛେ ସଉତୁଣି ବିଧବା ହେଉ ନୀତି ଆପଣାଇଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ପ୍ରଚାରରେ କାଳିଆ ଯୋଜନାକୁ ବିଜେପି ବନ୍ଦ କରିଦେଲା ବୋଲି କହି ବୁଲୁଛନ୍ତି । କାଳିଆରେ ବଜେଟରେ ଟଙ୍କାର ବ୍ୟବସ୍ଥା ନାହିଁ, ତାଲିକା ନାହିଁ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସୌମ୍ୟ ବାବୁ ବୁଲି ବୁଲି ଚାଷୀ ମାନଙ୍କର ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନ୍ସନ କଥା କହୁଥିଲୋ  କିନ୍ତୁ ଚାଷୀଙ୍କ ପରିବର୍ତେ ସୌମ୍ୟ ବାବୁଙ୍କୁ ପ୍ରାଇସ ମିଳିଲା, ରାଜ୍ୟସଭାର ପ୍ରେଷ୍ଟିଜ୍ ଓ ପକେଟ ଗରମ କରିବାର ପଇସା ମିଳିଲା । ମାତ୍ର ଓଡିଶାରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ମିଳିଲା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଥିଲେ |

0
0
0
s2sdefault