ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳ ଛାଡ଼ିଲେ ବିଜେପି ମୁଖପାତ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବିଜେଡିରେ ଯୋଗ ଦେଲେ ବିଶ୍ୱସୁନ୍ଦର ଓ ବିଶ୍ୱଜିତ

ଭୁବନେଶ୍ୱର: ୨୦୧୪ ସାଧାରଣ ନିର୍ବାଚନରେ ଆଠଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱସୁନ୍ଦର ମିଶ୍ର ଏବଂ ବିଜେପି ରାଜ୍ୟ ମୁଖପାତ୍ର ବିଶ୍ୱଜିତ ମହାନ୍ତି  ତାଙ୍କର ଶତାଧିକ ସମର୍ଥକ ଓ କର୍ମୀଙ୍କ ସହ ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାଉନ୍‍ସିଲର ମନୋରଞ୍ଜନ ଦାନ, ଗୁରୁଡ଼ିଝାଟିଆ ସରପଞ୍ଚ ପ୍ରଜ୍ଞାଂଶୁ ରଞ୍ଜନ ମହାପାତ୍ର, ଆଠଗଡ଼ ଜୋନ୍‍ ୧ ବିଜେପି ପ୍ରାର୍ଥୀ ନିମାଇଁ ଚରଣ ରାଉତ, ବିଜେପି ମିଡିଆ ସେଲ୍‍ର ପ୍ରଭଞ୍ଜନ ସେଠୀ, ୱାର୍ଡ ନଂ୨ କଂଗ୍ରେସର ବନିତା ବେହେରା, କଖଡ଼ି ବିଜେପି ସଭାପତି ମାନସ ରଞ୍ଜନ ଦଳେଇ, ଜେନାପଦା କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ବିଜେପି ମଣ୍ଡଳ ସଭାପତି ହେମନ୍ତ କୁମାର ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ତରଣୀସେନ ପତି ଓ ସ୍ୱପ୍ନେନ୍ଦୁ କୁମାର ଦାସଙ୍କ ନେତୃତ୍ୱରେ ୩୦୦ରୁ ଉର୍ଧ୍ଵ  ବିଜେପି କର୍ମୀ ଯାଜପୁର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ବିପୁଳ ଭୋଟ୍‍ରେ ଜିତାଇବା ଲକ୍ଷ୍ୟରେ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ  ଭାବେ ମିଶିଛନ୍ତି । ଅନ୍ୟପକ୍ଷରେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଗଠନ ନେତା କେନ୍ଦ୍ରାପଡ଼ାର ଶ୍ରୀ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ୬୦ରୁ ଊଦ୍ଧ୍ୱର୍ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ବିଜେପି ଓ କଂଗ୍ରେସର ବହୁ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ।

ଦଳରେ ଯୋଗଦେବା ଅବସରରେ ଶ୍ରୀ ବିଶ୍ୱସୁନ୍ଦର ମିଶ୍ର କହିଥିଲେ ଯେ ଆମଭଳି ବରିଷ୍ଠ ନେତାଙ୍କୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଗୁରୁତ୍ୱ ଦେଉନାହାନ୍ତି । ଗରିବର ଦଳ ଓ ଗରିବଙ୍କ ବିକାଶ ହେଲା ବିଜେପିର ଲକ୍ଷ୍ୟ ବୋଲି କହୁଥିବା ବେଳେ ପ୍ରକୃତରେ କୁବେର ଓ ଲକ୍ଷ୍ମୀଙ୍କ ପୁତ୍ରମାନଙ୍କ ସନ୍ଧାନରେ ଦଳ ରହୁଛି । ସେହିପରି ଶ୍ରୀ ବିଶ୍ୱଜିତ ମହାନ୍ତି କହିଥିଲେ, ମୁଁ ବିଶେଷକରି କଟକର ବିକାଶ ଚାହୁଁଛି ଏବଂ ବିଜୁ ଜନତା ଦଳ କଟକର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆଜି ବିଜେଡିରେ ଯୋଗ ଦେଇଛି । ବିଧାୟକ ଦେବଶିଷ ସାମନ୍ତରାୟଙ୍କ ଉଦ୍ୟମରେ କଟକ ସହରର ବହୁମୁଖି ବିକାଶ ଘଟିଛି । ଏ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ମୁଁ ମୋର ସମସ୍ତ ଶକ୍ତି-ସାମର୍ଥ୍ୟ ଲଗାଇବି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଠଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଆଜି ଯେଉଁମାନେ ବିଜେଡିରେ ଯୋଗ ଦେଇଛନ୍ତି, ସେମାନେ ବିଗତ ଦିନର ଜଣେ ଜଣେ ଲଢ଼ୁଆ ଯୋଦ୍ଧା । ବହୁ ଘାତ-ପ୍ରତିଘାତ ସହ୍ୟ କରି ବିଜେପିରେ ବିତସ୍ଫୃହ ହୋଇଯାଇଥିଲେ । ସେଭଳି ଦଳକୁ ପ୍ରତ୍ୟାଖ୍ୟାନ କରି ଆଜି ବିଜେଡିରେ ଯୋଗ ଦେଇଥିବାରୁ ଆମେ ସମସ୍ତେ ସେମାନଙ୍କୁ ସ୍ୱାଗତ କରୁଛୁ ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସ,  ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

 

0
0
0
s2sdefault