ହେଡଲାଇନସ୍:

ଓଡିଶାରେ ମୋଦିଙ୍କୁ ଅଭୂତପୂର୍ବ ଜନସମର୍ଥନ ,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କେବଳ ମୋଦିଙ୍କ ଉପରେ ଇର୍ଷାର ପ୍ରତିଫଳନ  :- ଧର୍ମେନ୍ଦ୍ର ପ୍ରଧାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ତିତଲି ପ୍ରସଙ୍ଗ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

 

 ତିତଲି କ୍ଷତିଗ୍ରସ୍ତ ଅଂଚଳରେ ସରକାର ନୁହେଁ ପ୍ରଥମେ ପହଁଚିଥିଲା ବିଜେପି

 ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ ତଳେ ତିତଲି ଧ୍ୱସଂ ନଜାଣି ଗୋପାଳପୁରରେ ଉତ୍ସବ ମନାଉଥିଲା ସରକାର

 ମୋଦି ଏସଡିଆରଏଫର କେନ୍ଦ୍ର ଓ ରାଜ୍ୟର ଭାଗକୁ ୬୦-୪୦ ବଦଳରେ ୯୦-୧୦ କରି ଓଡିଶାକୁ ଲାଭ ପହଁଚାଇଛି

 ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାହାନା ବନାଇଛନ୍ତି

ଭୁବନେଶ୍ୱର –ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭୂତପୂର୍ବ ଜନସମର୍ଥନ ରହିଛି ବୋଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରୁ ସ୍ପଷ୍ଟ ହେଉଛି । ସେହିପରି କେନ୍ଦ୍ର ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ କେବଳ ମୋଦିଙ୍କ ଉପରେ ଇର୍ଷାନ୍ୱିତ ବକ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀଙ୍କ ତିତଲି ପ୍ରସଙ୍ଗ ବକ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରୁ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ୧ ଏପ୍ରିଲରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଆ ଭାଷା ଓ ସଂସ୍କୃତିର ପ୍ରମୁଖ ପୀଠ ପାରଳାଖେମୁଣ୍ଡିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଭାରତୀୟ ଜନତା ପାର୍ଟି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପାର ଜନସମର୍ଥନ ମାଲକାନଗିରି ଜିଲ୍ଲା, ଗଜପତିର ଆର. ଉଦୟଗିରି ଭଳି ଉପାନ୍ତ ଅଂଚଳ, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକାଶ, କଲ୍ୟାଣକାରୀ ଯୋଜନା ବିଶେଷ କରି ଗରିବ ମାନଙ୍କୁ କେନ୍ଦ୍ର ସରକାରଙ୍କ ୫ ବର୍ଷରେ ଅନେକ ଯୋଜନା ଗୁଡିକ ଉପରେ ଲୋକମାନଙ୍କର ବିଶ୍ୱାସ ହୋଇଛି ବୋଲି ସେ କହିଛନ୍ତି ।

ନବୀନ ପଟ୍ଟନାୟକ ବାତ୍ୟା ପରିଦିନ ଗୋପାଳପୁର ସମୁଦ୍ରକୂଳରେ ନିଜ ଅଧିକାରୀମାନଙ୍କୁ ଲଗାଇ ତିତଲିକୁ ନିୟନ୍ତ୍ରଣ କରିଦେଲେ ବୋଲି କହି ଉତ୍ସବ ମନାଉଥିଲେ । ତେବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ ତଳେ ବସବାସ କରୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କୁ ଜଣାନଥିଲା । ଗଣମାଧ୍ୟମର ସୂଚନା ପାଇବା ପରେ ଭାରତୀୟ ଜନତା ପାର୍ଟି ସେହି ଅଂଚଳକୁ ପ୍ରଥମେ ଯାଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତ୍ୟା ତିତଲିରେ ବିଶେଷ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଆର.ଉଦୟଗିରି ଅଂଚଳକୁ ସେ ଗତକାଲି ଯାଇଥିବା ବେଳେ ସେଠାରେ ତିତିଲି ଅବସ୍ଥା ପରର ଦୃଶ୍ୟ ପୂର୍ବ ପରି ଦେଖିବାକୁ ପାଇଥିଲେ । ବର୍ତମାନ ସୁଦ୍ଧା ମଧ୍ୟ ସେହି ଅଂଚଳରେ ରାଜ୍ୟ ସରକାର ଘର, ରାସ୍ତା, ପିଇବା ପାଣି ସମସ୍ୟାର ସମାଧାନ କରିନାହାନ୍ତି ବୋଲି ସେ ଲୋକମାନଙ୍କ ପାଖରୁ ଜାଣିବାକୁ ପାଇଥିବା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ନୈସର୍ଗିକ ଦୁର୍ବିପାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ ପ୍ରେରଣା ହୋଇ ରହିଛି । ପୂର୍ବରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଏସଡିଆରଏଫର ଟଙ୍କାର ୬୦ ପ୍ରତିଶତ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟକୁ ୪୦ପ୍ରତିଶତ ଦେବାକୁ ପଡୁଥିଲା । ତେବେ ନରେନ୍ଦ୍ର ମୋଦିଙ୍କ ସମୟରେ ଏହି ଭାଗ ବଢାଯାଇ ୯୦ ପ୍ରତିଶତ କରାଯାଇଥିବା ବେଳେ ଏବେ ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ଦେବାକୁ ପଡୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ତିତଲିର ଅନେକ ଦିନ ପରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପତ୍ର ମାଧ୍ୟମରେ ଜଣାଇନଥିଲେ । ସେ କହିଛନ୍ତି ଯେ କେନ୍ଦ୍ରରୁ ଅନେକ ଟଙ୍କା ଆସିଛି । ଟଙ୍କାର ଅଭାବ ନାହିଁ, କ୍ରିୟାନ୍ୱୟନର ଅଭାବ । ଅନେକ ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ଥିଲାବେଳେ ମଧ୍ୟ ଏନଡିଆରଏଫ୍ର ଟଙ୍କା ଅଣତିତଲି ଅଂଚଳରେ ଖର୍ଚ୍ଚ ହେଉଥିବା ପ୍ରମାଣ ମିଳିଛି । ଯାଜପୁର ଜିଲ୍ଲାରେ କୋର୍ଟ ମାମଲାରେ ଏନଡିଆରଏଫ୍ ଟଙ୍କାକୁ ବନ୍ଦ କରାଯାଇଛି । ତିତଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ଆସ୍କା ଡିଭିଜନ ପାଣିରେ ବୁଡି ଯାଇଥିଲା । ତେବେ ଏଥିପାଇଁ କଣ ପ୍ରଧାନମନ୍ତ୍ରୀ ଦାୟୀ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ, ଲମ୍ବା ସମୟ ଧରି ଜଳ ସମ୍ପଦ ବିଭାଗର ନିଜ ଦାୟିତ୍ୱରେ ରହିବା ପରେ ମୁଖ୍ୟମନ୍ତ୍ରୀ ନିଜ ଅପାରଗତା ଦେଖାଇଲେ । ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାହାନା ବନାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇର୍ଷା କରି ଓଡିଶାରେ କେନ୍ଦ୍ରର କୌଣସି ଗରିବ କଲ୍ୟାଣ ଯୋଜନା ଲାଗୁ କରୁନାହାନ୍ତି । ଏଥର ନିର୍ବାଚନରେ ଜନଆକ୍ରୋଶ ସ୍ପଷ୍ଟ ଭାବେ ଦେଖାଗଲାଣି । ପରିବର୍ତନର ପଦଧ୍ୱନି ଯୋରରେ ଶୁଣାଗଲାଣି । ମୁଖ୍ୟମନ୍ତ୍ରୀ ସେହି ଭୟ ଓ ଡରରେ ରହି ନକଲି ଓଡିଆମାନଙ୍କୁ ଧରି ସାଂକେତିକ ପ୍ରଚାର କରୁଛନ୍ତି । ସମ୍ମୁଖ ସମ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସାହସ ନାହିଁ । ଏଥର ଗଣତନ୍ତ୍ରରେ ସତ୍ୟର ବିଜୟ ହେବ । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଭଲ ପାଇବାର ଯେଉଁ ଲକ୍ଷଣ ଦେଖାଯାଇଛି ତାହା ଭୋଟରେ ପରିବର୍ତନ ହେବ । ଡବଲ ଇଞ୍ଜିନର ସରକାର ଲାଗିବ । କେନ୍ଦ୍ର ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ । 

 

 

 

0
0
0
s2sdefault