ହେଡଲାଇନସ୍:

 ରେମୁଣା ଆସନ, କିଏ କିଣିବ ଭୋଟରଙ୍କ ମନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ନେଇ ଚର୍ଚ୍ଚା 

ବାଲେଶ୍ୱର,(ଉଜ୍ଜ୍ୱଳଚନ୍ଦ୍ର  କର): ଚଳିତ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟ ନିର୍ବାଚନୀ ରଣାଙ୍ଗନରେ ପରିଣତ ହୋଇଥିବା ବେଳେ ରେମୁଣାରେ ମଧ୍ୟ ରାଜନୀତି ଅଙ୍କକଷା ଜୋର ଧରିଥିବା ଦେଖିବାକୁ ମିଳିଛି । ଚତୁର୍ଥ ପର୍ଯ୍ୟାୟରେ ସାମିଲ ହୋଇଥିବା ବାଲେଶ୍ୱର ଜିଲ୍ଲାରେ ନିର୍ବାଚନୀ ପ୍ରକୃତ୍ୟ  ଆରମ୍ଭ ହୋଇଥିବା ବେଳେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ଏହାରି ଭିତରେ ପ୍ରମୁଖ ଦଳମାନଙ୍କ ପକ୍ଷରୁ ପ୍ରାର୍ଥିତ୍ୱ ଘୋଷଣା ପରେ ପ୍ରାର୍ଥୀମାନେ ନିଜ ନିଜର ରଣନୀତି ପ୍ରସ୍ତୁତ ସହ ପ୍ରଚାର ପ୍ରତି ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି ।ଏଥର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ରେମୁଣା ବିଧାନସଭା ଆସନରେ ପୁନର୍ବାର ବିଜେପିରୁ ପ୍ରାର୍ଥୀ ହେଉଥିବା ବେଳେ ବିଜୁ ଜନତା ଦଳ ନୂଆ ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରେ ବାଜି ଲଗାଇଛି । କଂଗ୍ରେସ ଦଳରୁ ମଧ୍ୟ ନୂଆ ପ୍ରାର୍ଥୀ ଭାବେ ପ୍ରତାପ ସେଠୀଙ୍କୁ ମୈଦାନରେ ଉତାରିଛି । 

୨୦୦୯ ମସିହାରେ ନବଗଠିତ ରେମୁଣା ନିର୍ବାଚନମଣ୍ଡଳୀର ପ୍ରଥମ ନିର୍ବାଚନରେ ବିଜେଡିରୁ ସୁଦର୍ଶନ ଯେନା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଦଳୀୟ ଟିକଟରୁ ବଂଚିତ ଗୋବିନ୍ଦ ଚନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ସମ୍ମାନ ଜନକ ୨୫ ହଜାର ୧୨୪ ଖଣ୍ଡ ଅର୍ଥାତ ୨୧.୩୮ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିଜେପିରୁ ଗିରିଧାରୀ ଦାସ ମାତ୍ର ୧୪ ହଜାର ୫୫୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୪ ମସିହା ନିର୍ବାଚନରେ ବିଜେପି ଗୋବିନ୍ଦଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା । ଏଥିରେ ସେ ଚମତ୍କାର  ପ୍ରଦର୍ଶନ ସହ ୭୦ ହଜାର ୯୭୩ ଖଣ୍ଡ ଅର୍ଥାତ ୪୭.୬୩ ପ୍ରତିଶତ ଭୋଟ ପାଇ ବିଜୟ ଲାଭ କରିଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ୨୦୧୪ ମସିହାର ବିଧାୟକ ସୁଦର୍ଶନ ଯେନା । ସେ ମାତ୍ର ୫୭ ହଜାର ୧୪୪ ଖଣ୍ଡ ଅର୍ଥାତ ୩୮.୩୫ ପ୍ରତିଶତ ଭୋଟ ପାଇଥିଲେ । ତେବେ ଗତ ଦୁଇ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ହାରାହାରି ମାତ୍ର ୧୩ ହଜାର ଲେଖାଏଁ ଭୋଟ ପାଇବାକୁ ସକ୍ଷମ ହୋଇଥିଲେ । ଚଳିତ ନିର୍ବାଚନରେ ବିଧାୟକ ଶ୍ରୀ ଦାସ ପୁନର୍ବାର ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ବିଗତ ପାଂଚ ବର୍ଷ ଧରି ରେମୁଣା ନିର୍ବାଚନମଣ୍ଡଳୀରେ ସମାଗ୍ରିକ ଉନ୍ନତି ସହିତ ସଂଗଠନର ଦକ୍ଷତା ଓ ଜନ ସମ୍ପର୍କ ବୃଦ୍ଧି କରିବାରେ ସେ ସଫଳ ହୋଇଥିବା ଶ୍ରୀ ଦାସ ଦାବି କରିଛନ୍ତି । ଏହା ସହିତ କେନ୍ଦ୍ରର ମୋଦୀ ସରକାରଙ୍କ ବିକାଶର ନାରା ତାଙ୍କୁ ଏଥର ନିଶ୍ଚିତ ସଫଳତା ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ରେମୁଣା ନିର୍ବାଚନମଣ୍ଡଳୀ ଗଠିତ ହେବା ପରେ ଅନୁଷ୍ଠିତ  ଦୁଇଟି ଯାକ ନିର୍ବାଚନରେ ବିଜୁ ଜନତା ଦଳ ସୁଦର୍ଶନ ଯେନାଙ୍କୁ ପ୍ରାର୍ଥୀ କରିଥିଲେ । ୨୦୦୯ରେ ସେ ବିଜୟୀ ହୋଇଥିବା ବେଳ ୨୦୧୪ ମସିହାରେ ପରାଜୟ ବରଣ କରିଥିଲେ । ତେବେ ତାଙ୍କ ହ୍ରାସମାନ ଭାବମୂର୍ତ୍ତି ଯୋଗୁଁ ଦଳ ଚଳିତ ନିର୍ବାଚନରେ ନୂତନ ଭାବେ ସୁଧାଂଶୁ ଶେଖର ପରିଡାଙ୍କୁ ପ୍ରାର୍ଥୀ କରିଛି । ଜଣେ ସଫଳ ବ୍ୟବସାୟୀ ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ପରିଡା ରାଜନୀତିରେ ନୂଆ ହୋଇଥିବା ସତ୍ତ୍ୱେ  ସ୍ୱଳ୍ପ ଦିନ ମଧ୍ୟରେ ସମଗ୍ର ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ନିକଟରେ ବେଶ ଆଦୃତ ହୋଇପାରିଛନ୍ତି । ରାଜ୍ୟରେ ବିଜୁ ଜନତା ଦଳର ୧୯ ବର୍ଷର ସୁଶାସନ, ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, ବିକାଶର ଧାରାକୁ ଆଧାର କରି ଏହି ଆସନକୁ ଦଖଲ କରିବାର ଆଶା ରଖିଛନ୍ତି ଶ୍ରୀ ପରିଡା । ଏହା ସହିତ ବାଲେଶ୍ୱର ସାଂସଦଙ୍କ ବିକାଶମୂଳକ କାର୍ଯ୍ୟ ମଧ୍ୟ ତାଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଥିବା ରେମୁଣା ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ତାଙ୍କୁ ବିଜୟର ରାସ୍ତା ଦେଖାଇବ ବୋଲି ସେ ଦାବି କରିଛନ୍ତି । ରେମୁଣାର ବିଗତ ଦୁଇଟି ନିର୍ବାଚନରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିବା କଂଗ୍ରେସ ଦଳ ଏଥର ପୁଣି ନୂତନ ପ୍ରାର୍ଥୀ ଭାବେ ପ୍ରତାପ ସେଠୀଙ୍କୁ ଚୟନ କରିଛି । ରେମୁଣାର ସ୍ଥାନୀୟ ବାସିନ୍ଦା ଭାବେ ଲୋକେ ତାଙ୍କୁ ବେଶ୍ ପସନ୍ଦ କରନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି । କଂଗ୍ରେସ ଦଳର ସଭାପତି ରାହୁଲ ଗାନ୍ଧୀଙ୍କ ଗରିବଙ୍କ ପାଇଁ ଯୋଜନା ସହିତ ରେମୁଣା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ତାଙ୍କର ମାଷ୍ଟର ପ୍ଲାନ ତାଙ୍କୁ ସଫଳତା ଆଣିଦେବ ବୋଲି ସେ ଦାବି କରିଛନ୍ତି । ସେ ରେମୁଣାବାସୀଙ୍କ ସହ ସବୁଦିନ ରହିଆସିଛନ୍ତି ତେଣୁ ଲୋକେ ତାଙ୍କୁ ଭୋଟ ଦେଇ ଜିତାଇବେ ବୋଲି ଶ୍ରୀ ସେଠୀ ଆଶା ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିର୍ବାଚନକୁ ରହିଲା ମାତ୍ର ୧୮ ଦିନ । ଏହାରି ଭିତରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରି ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ କେତେ ସଫଳ ହେଉଛନ୍ତି ତାହାର ଫଳାଫଳ ମେ ମାସ ୨୩ ତାରିଖରେ ବେଶ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

0
0
0
s2sdefault