ହେଡଲାଇନସ୍:

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ତ୍ରୀମୁଖୀ ଲଢ଼େଇ,ବିଷ୍ଣୁଙ୍କ ଶିବିରରେ ଶୁଭେଚ୍ଛୁଙ୍କ ଶୁଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ପାରାଦ୍ବୀପ-ରମେଶ ମହାନ୍ତି :ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବଢୁଥିବା ଦେଖିବାକୁ ମିଳିଲାଣି। ଅତୀତ ୨୦୦୯ମସିହାରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ପୁନଃଗଠିତ ହୋଇ ତିନୋଟି ବ୍ଲକ ତିର୍ତ୍ତୋଲ ବ୍ଳକର ୨୧ଟି,ବରିଡି ବ୍ଲକର ୨୧ଟି ଓ ରଘୁନାଥପୁର ବ୍ଲକର ୧୯ଟି ପଞ୍ଚାୟତକୁ ମିଶାଇ ସମୁଦାୟ ୬୧ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହେବା ସହିତ ଅନୁସୂଚୀତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି।ଏହି ନିର୍ବାଚନ ମଣ୍ଡଳୀର ସମୁଦାୟ ୩ଟି ବ୍ଲକର ୨ଲକ୍ଷ ୩୫ହଜାରରୁ  ଉର୍ଦ୍ଧ ଭୋଟର ଗଣତାନ୍ତ୍ରିକ ପଦ୍ଧତିରେ ମତଦାନ ସାବ୍ୟସ୍ତ କରି ଲୋକପ୍ରତିନିଧି ମାନଙ୍କୁ ନିର୍ବାଚିତ କରିବେ।ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରୀମୂଖି ପ୍ରତିଦ୍ୱନ୍ଦିତା ଜୋରଦାର ହେବାର ସମ୍ଭାବନା ଦେଖାଦେଇଛି।ଚଳିତ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ସାଂସଦ କୁଜଙ୍ଗ ଅଞ୍ଚଳର ବିଭୂ ପ୍ରସାଦ ତରାଇ ଏଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ବିଜେପି ଦଳ ପକ୍ଷରୁ ବିରିଡ଼ି ଅଞ୍ଚଳର ରମାକାନ୍ତ ଭୋଇଙ୍କ ନାମ ଦଳ ଘୋଷଣା କରିଛି।ସେହିପରି ବିଜେଡି ଦଳ ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ତଥା ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ବର୍ତମାନର ରାଜ୍ୟ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସ ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ତିର୍ତ୍ତୋଲରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି।ଏହି ତିନି ଦଳର ତିନି ଛାମୁଆ ନେତାଙ୍କ ମଧ୍ୟରେ ଯୋରଦାର ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ଦେଖାଦେଇଛି।ରାଜ୍ୟରେ ନବିନ ହାୱା ସହିତ ୧୯୯୦ମସିହାରୁ କ୍ରମାଗତ ଭାବେ ୨୦୦୯ପର୍ଯ୍ୟନ୍ତ ଜଗତସିଂହପୁର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବିଷ୍ଣୁଙ୍କ ବ୍ୟକ୍ତିତ୍ୱକୁ ନେଇ ତିର୍ତ୍ତୋଲ ବାସୀ ବିଜେଡି ମୁହାଁ ହୋଇଥିବା ବେଳେ କଂଗ୍ରେସ ଦଳର ସ୍ଥାନୀୟ ନେତାଙ୍କୁ ଅଣଦେଖା କରି କୁଜଙ୍ଗ ଅଞ୍ଚଳର ବିଭୂ ପ୍ରସାଦ ତରାଇଙ୍କୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ  କରାଯାଇ ଥିବାରୁ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି।ସେହିପରି କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଜନତା ବିଜେପି ଦଳ ପ୍ରତି ଆକୃଷ୍ଟ ହେଉଥିବା ବେଳେ ତିର୍ତ୍ତୋଲରେ ବିଜେପିର ନେତୃତ୍ୱ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରିନାହିଁ।ବିଜେପି ଦଳ ପକ୍ଷରୁ ବିରିଡ଼ି ଅଞ୍ଚଳର ରମାକାନ୍ତ ଭୋଇ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲର କେତେକ ଆଗଧାଡ଼ିର କର୍ମୀ ତାଙ୍କୁ ତୀବ୍ର ବିରୋଧ କରୁଥିବା କୁହାଯାଉଛି।ଅତୀତରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀଟି କଂଗ୍ରେସ ଦଖଲରେ ଥିଲା।୨୦୦୯ମସିହା ପରଠାରୁ କ୍ରମାଗତ ଭାବେ ବିଜେଡି ଦଖଲରେ ଥିବାରୁ ଏହା ବିଜେଡି ଦୁର୍ଗରେ ପରିଣତ ହୋଇଛି।ହେଲେ ବିଜେଡିରେ ଦଳୀୟ ମତଭେଦ ରହିଛି।ଯାହାକି ନିକଟ ଅତୀତରେ ବିଷ୍ଣୁ ଏବଂ ରାଜଶ୍ରୀ ମଧ୍ୟରେ ଦ୍ୱନ୍ଦ ଉଗ୍ରରୂପ ନେଇଥିଲା।ଏସବୁ ସତ୍ତ୍ୱେ ରାଜଶ୍ରୀ ଜଗତସିଂହପୁର ଲୋକସଭା ମଣ୍ଡଳୀରୁ ସାଂସଦ ଟିକଟ ପାଇବା ପରେ ମଧ୍ୟ ସେ କୁଆଡ଼େ ଚାହୁଁ ନଥିଲେ ବିଷ୍ଣୁ ତିର୍ତ୍ତୋଲରୁ ବିଧାୟକ ଟିକଟ ପାଆନ୍ତୁ ବୋଲି ଏନେଇ ସେ ନିଜ ସମର୍ଥକଙ୍କ ମାଧ୍ୟମରେ ବିଷ୍ଣୁଙ୍କୁ ତୀବ୍ର ବିରୋଧ କରିବା ସହିତ ବିଷ୍ଣୁଙ୍କ ବିରୋଧରେ କଡା ବିଷୋଦାଗାର କରିଥିବା ଚର୍ଚ୍ଚା ହେଉଥିଲା।ଏସବୁ ବିରୋଧ ସତ୍ତ୍ୱେ ବିଷ୍ଣୁ ଙ୍କର ଜିତାପଟ ହୋଇଥିଲା।ବିଷ୍ଣୁ ତିର୍ତ୍ତୋଲରୁ ବିଧାୟକ ଟିକଟ ପାଇ ପ୍ରମାଣିତ କରିଦେଇଛନ୍ତି ଯେ ଜଗତସିଂହପୁର ରାଜନୀତିରେ ବିଜେଡିର ସେ ଜଣେ ପ୍ରଭାବଶାଳୀ ଓ ଟାଣୁଆ ନେତା।ବିଷ୍ଣୁ ତିର୍ତ୍ତୋଲରୁ ବିଧାୟକ ଟିକଟ ପାଇବା ପରେ କର୍ମୀ ଓ ସାଧାରଣ ଭୋଟର ମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ପ୍ରକାଶ ପାଇବା ସହିତ ତାଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇଛି।ଯାହାକି ବିଷ୍ଣୁଙ୍କ ନେତୃତ୍ୱ ପ୍ରତି ଜନତା ଆସ୍ଥା ପ୍ରକଟ କରି ହଜାର ହଜାର କର୍ମୀ ବିଷ୍ଣୁଙ୍କ ଶିବିରରେ ଯୋଗ ଦେଇ ତାଙ୍କୁ ଶୁଭେଛା ଜଣାଇଥିବା ଦେଖିବାକୁ ମିଳୁଛି।ତେବେ ବିଜେଡି ପୂର୍ବପରି ତିର୍ତ୍ତୋଲ ଗଡ଼ ଦଖଲ କରିବାର ସମ୍ଭାବନା ନିଶ୍ଚିତ ହୋଇଥିବା କୁହାଯାଉଛି।ଦିର୍ଘଦିନ ଧରି ବିଷ୍ଣୁ ରାଜଶ୍ରୀଙ୍କ ମଧ୍ୟରେ ହୋଇଆସୁଥିବା ଗୋଷ୍ଠୀ କନ୍ଦଳ ଏବେ ଅନ୍ତ ଘଟିବ ନା ଆଗାମୀ ଦିନରେ ଉଗ୍ରରୂପ ଧାରଣ କରିବ ତାହା ସମୟ କହିବ ବୋଲି କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

 

 

0
0
0
s2sdefault