ହେଡଲାଇନସ୍:

ପଦ୍ମ ପୋଖରୀରୁ ବାହାରି ଶଙ୍ଖ ଫୁଙ୍କିଲେ ବାସୁଦେବ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସବୁଠି ମିଶ୍ରଣ ପର୍ବ, ବଲାଙ୍ଗୀରରେ ହେଲା ଫେଡ଼ାଣ ପର୍ବ 

ବଲାଙ୍ଗୀର( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର):ଏବେ ଚାଲିଛି ମିଶ୍ରଣ ପର୍ବ । ସବୁ ଦଳରେ ଅନ୍ୟ ଦଳର ଅସନ୍ତୁଷ୍ଟ ଓ ଟିକେଟ୍ ନ ପାଇ ନେତା ଆସି ମିଶୁଛନ୍ତି । କିନ୍ତୁ ବଲାଙ୍ଗୀରରେ ଆଜି ଦେଖିବାକୁ ମିଳିଛି ଫେଡାଣ ପର୍ବ । ଏହି ଫେଡାଣ ପର୍ବ ଟିକେଟ୍ ଆଶାରେ ନୁହେଁ, ବରଂ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଓ ବିଜେପି ପ୍ରାର୍ଥୀ ଅନନ୍ତ ଦାସଙ୍କୁ ହରାଇବାକୁ ଆୟୋଜିତ ହୋଇଛି । ଗତ ଦୁଇଟି ନିର୍ବାଚନରେ ବଲାଙ୍ଗୀର ବିଧାନସଭାରୁ ବିଜେପି ପ୍ରାର୍ଥୀ ହୋଇ ଭଲ ଭୋଟ୍ ହାତେଇଥିବା ଡା. ବାସୁଦେବ ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଆଉ ଏହି ଫେଡାଣ ପର୍ବ ବଲାଙ୍ଗୀର ରାଜନୀତିର ଗଣିତକୁ ବଦଳାଇ ଦେଇଛି ।

ରାଜନୀତିରେ ସବୁ ସମ୍ଭବ । କାଲି ଯିଏ ଶତ୍ରୁ ଥିଲା, ଆଜି ସେ ମିତ୍ର । ଗୋଟିଏ ଶତ୍ରୁକୁ ହରାଇବାକୁ ଆଉ ଜଣେ ଶତ୍ରୁର ହାତ ଧରିଛନ୍ତି ଡା. ବାସୁଦେବ ପତି । ଡା. ପତି ଏଥରକ ବଲାଙ୍ଗୀର ବିଧାନସଭାରୁ ବିଜେପି ଟିକେଟ୍ ଆଶାୟୀ ଥିଲେ । କିନ୍ତୁ ବିଜେପି ତାଙ୍କୁ ନିରାଶ କଲା । ଟିକେଟ୍ ଦେଲା ବିଜେପିର ଯୁବ ନେତା ଅନନ୍ତ ଦାସଙ୍କୁ । ଫଳରେ କ୍ଷୁବ୍ଧ ବାସୁ ପତି ଆଜି ବଲାଙ୍ଗୀର ସଦର ବ୍ଲକ୍ ଶିବତଲାରେ ଆୟୋଜନ କରିଥିଲେ ଫେଡାଣ ପର୍ବ । ଆଉ ଅନଙ୍ଗ ଉଦୟ ସିଂହଦେଓ ଓ ବଲାଙ୍ଗୀର ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି ।

ଦୀର୍ଘ ଦିନ ଧରି କଂଗ୍ରେସରେ ଥିବା ବାସୁ ପତି ଦଳୀୟ ଟିକେଟ୍ ନ ପାଇ ୨୦୦୯ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ । ବିଜେପି ଟିକେଟ୍ ପାଇ ଦୁଇ ଥର ଲଢିଲେ ଓ ହାରିଲେ । ୨୦୦୯ରେ ସେ ବିଜେପି ପ୍ରାର୍ଥୀ ହୋଇ ୩୩.୨୫୮ ଖଣ୍ଡ ଭୋଟ୍ ଓ ୨୦୧୪ରେ ୩୫,୧୩୦ ଖଣ୍ଡ ଭୋଟ୍ ପାଇଥିଲେ । ଆଉ ଏଥରକ ବିଜେଡିରେ ମିଶିଗଲେ । ଏହି ଭୋଟରୁ ଯଦି ଅଧା ଭୋଟ୍ ଏଥରକ ବିଜେଡିକୁ ଯାଏ, ତେବେ ଅର୍କେଶଙ୍କ ବିଜୟ ସମ୍ଭାବନା ଉଜ୍ୱଳ ବୋଲି କୁହାଯାଉଛି ।

୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ କ୍ରମାଗତ ୫ଟି ନିର୍ବାଚନରେ ବଲାଙ୍ଗୀର ଆସନରୁ ବିଜୟୀ ହୋଇଥିଲେ ଅନଙ୍ଗ ଉଦୟ ସିଂହଦେଓ । ତେବେ ୨୦୧୪ରେ କଂଗ୍ରେସର ନରସିଂହ ମିଶ୍ର ଅନଙ୍ଗଙ୍କ ବିଜୟ ଧାରା ରୋକିଥିଲେ । ୨୦୧୪ରେ ନରସିଂହ ପାଇଥିଲେ ୬୧, ୭୩୦ ଖଣ୍ଡ ଭୋଟ୍ । ଅନଙ୍ଗଙ୍କୁ ମିଳିଥିଲା ୪୯,୪୭୬ ଭୋଟ୍ । ଆଉ ବିଜେପି ବାସୁ ପତି ନେଇଥିଲେ ୩୫,୧୩୦ ଭୋଟ୍ ।

ବଲାଙ୍ଗୀର ସହର, ବଲାଙ୍ଗୀର ସଦର ବ୍ଲକ୍ ଓ ଦେଓଗାଁ ବ୍ଲକକୁ ନେଇ ଗଠିତ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ । ସଦର ବ୍ଲକର ଶିବତଲାରେ ବାସୁ ପତିଙ୍କ ଘର ଓ ୧୦ରୁ ଅଧିକ ପଂଚାୟତରେ ରହିଛି ତାଙ୍କର ପକେଟ୍ ଭୋଟ୍ । ସେ କଂଗ୍ରେସରେ ଥିଲା ବେଳେ ଏହି ଭୋଟ୍ ହାତ ଚିହ୍ନକୁ ଯାଉଥିଲା । ସେ ବିଜେପିକୁ ଆସିବା ପରେ ଏହି ଭୋଟ୍ ପଦ୍ମ ଚିହ୍ନକୁ ଗଲା । ଏବେ ସେ ବିଜେଡିରେ ମିଶିବା ପରେ ଏହି ଭୋଟ୍ କେତେ ଦୂର ଶଙ୍ଖ ଚିହ୍ନକୁ ଯାଉଛି ତାହା ଚଳିତ ନିର୍ବାଚନର ଭୋଟ୍ ଗଣତି ପରେ ଜଣାପଡିବ ।

ସେପଟେ ଦେଓଗାଁ ବ୍ଲକରେ ବ୍ୟକ୍ତିଗତ ଲୋକସମ୍ପର୍କ ଥିବା ଓ ଦୀର୍ଘ ବର୍ଷ ଧରି ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଥିବା କଂଗ୍ରେସର ଲକ୍ଷ୍ମଣ ମେହେର ଏଥର ଏମପି ଟିକେଟ୍ ଆଶାୟୀ ଥିଲେ । କିନ୍ତୁ ଏମପି ଟିକେଟ୍ ମିଳିଲା ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କୁ । ତେଣୁ ସେ ଅସନ୍ତୁଷ୍ଟ ହୋଇ ଏ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ପ୍ରଚାରକୁ ଓହ୍ଲାଇ ନାହାନ୍ତି ।

ଗତଥର ବଲାଙ୍ଗୀର ରାଜପରିବାରର ବଂଶବାଦ ବିରୋଧରେ ନାରା ଦେଇ ମଇଦାନକୁ ଓହ୍ଲାଇଥିଲେ ନରସିଂହ । ବଲାଙ୍ଗୀର ସହରରେ ବିଭିନ୍ନ ସାମାଜିକ ସଂଗଠନ ନରସିଂହଙ୍କୁ ସମର୍ଥନ କରିଥିଲେ । ଗତଥଣ ନିର୍ବାଚନ ପାଲଟିଥିଲା ଏକ ସାମାଜିକ ବିପ୍ଲବ । ଆଉ ଏହାର ସୁଯୋଗ ନେଇ ଅନଙ୍ଗ ଉଦୟ ସିଂହଦେଓଙ୍କ ଗଡ଼ ଭାଙ୍ଗି ଦେଇଥିଲେ ନରସିଂହ ।

ଏଥରକ କିନ୍ତୁ ଗଣିତ ବଦଳି ଯାଇଛି । ନରସିଂହ ବିଧାନସଭାରୁ ଓ ତାଙ୍କ ପୁଅ ଲୋକସଭା ପ୍ରାର୍ଥୀ ହୋଇଥିବାରୁ ପାରିବାରିକ ରାଜନୀତିର ଅପବାଦ ଲାଗିଛି । ସେପଟେ ଦେଓଗାଁ ବ୍ଲକରେ ଲକ୍ଷ୍ମଣ ନିରବ, ଏପଟେ ସଦର ବ୍ଲକରେ ବାସୁ ପତିଙ୍କ ଭୋଟ୍ ଯିବ ଶଙ୍କ ଚିହ୍ନକୁ । ତେଣୁ ଆଜିର ଫେଡାଣ ପର୍ବ ପରେ ଏଠାରେ ଉଭୟ କଂଗ୍ରେସ ପ୍ରାର୍ଥୀ ନରସିଂହ ଓ ବିଜେପି ପ୍ରାର୍ଥୀ ଅନନ୍ତ ବ୍ୟାକ ଫୁଟକୁ ଚାଲି ଯାଇଛନ୍ତି ବୋଲି ଆଲୋଚନା ହେଉଛି ।

 

0
0
0
s2sdefault