ହେଡଲାଇନସ୍:

ବିଜେପି ପ୍ରାର୍ଥୀ ଘୋଷଣା ପରେ ଦଳରେ ବିଦ୍ରୋହ ତେଜିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବିଜେପି ପକ୍ଷରୁ ବିଧାନସଭା ନିମନ୍ତେ ତାର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ଓ ଭୂବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ତାଲା ପଡ଼ିବା ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ପ୍ରତିଫଳିତ ହେବାରେ ଲାଗିଛି । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରେ ଅସନ୍ତୋଷ ଉଗ୍ରରୂପ ନେଉଛି । ବିଜେପିର ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେବା ଆରମ୍ଭ ହୋଇଯାଇଛି । ବାରିପଦା ସହରରେ ଥିବା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଜଣେ ଆଶାୟୀ ପ୍ରାର୍ଥୀଙ୍କ ବାସଭବନରେ  ବିଜେପି ଦଳର କେତେକ ନେତା ଓ ସମର୍ଥକମାନେ ଗୁପ୍ତ ବୈଠକରେ ବସିଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବାସ ଭବନ ସମ୍ମୁଖରେ ଘୋଷିତ ପ୍ରାର୍ଥୀ ସୁଗଦା ମୁର୍ମୁଙ୍କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ବିଜେପିର ନେତା ପୁରୁଷୋତ୍ତମ ନାୟକ, ଜିଲ୍ଲା ଏସଟି ମୋର୍ଚ୍ଚା ଉପସଭାପତି ଭାରତୀ ହାଁସଦାଃ, ୫୦ ନମ୍ବର ଜିଲ୍ଲାପରିଷଦ ସଦସ୍ୟ ଦଶରଥ ମହାନ୍ତ, ବୈଦ୍ୟନାଥ ମହାନ୍ତ, ବିଜୟ କୁମାର ମହାନ୍ତ, ଗୋବିନ୍ଦ ମହାନ୍ତ, ପ୍ରମୁଖ ବିଜେପି ଦଳର କେତେକ ନେତା ଓ ସର୍ମଥକମାନେ ନାରାବାଜି ଦେଉଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ ବାଢ଼ିଥିବା ଅଭିଯୋଗ ଅନୁସାରେ ବିଜେପି ପ୍ରାର୍ଥୀ ସୁଗଦା ମାର୍ଣ୍ଡି ବିଦ୍ୟାଳୟର ଦ୍ୱାର ଦେଖିନଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ସୁଗଦା ମୁର୍ମୁ ଦର୍ଶାଉଥିବା ଶିକ୍ଷାଗତ ଯୋଗ୍ୟତାର ବୈଧତା ଉପରେ ସଠିକ୍ ଅନୁସନ୍ଧାନ  ଆବଶ୍ୟକତା ରହିଛି । ପୁଣି ପ୍ରାର୍ଥୀ ଚୟନ ପୂର୍ବରୁ ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ସଦସ୍ୟ, ମଣ୍ଡଳ ସଭାପତି, ପ୍ରଭାରୀ, ନିର୍ବାଚନ ମଣ୍ଡଳୀର କୋର କମିଟି ସଦସ୍ୟମାନଙ୍କ ସହିତ ପରାମର୍ଶ କରାଯାଇ ନାହିଁ । ସୁଗଦା ମୁର୍ମୁ  ଏକାଧିକ ଫୌଜଦାରୀ ମାମଲାରେ ଜଡ଼ିତ ରହିଛନ୍ତି ଏବଂ ମାମଲା ବିଚାରାଧୀନ ରହିଛି । ଅତୀତରେ ଜେଏମଏମ ଓ ବିଜେଡ଼ି ଦଳରେ ରହିଥିବା ବେଳେ ବିଜେପି ଦଳ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅନେକ କଟୁ ଶବ୍ଦ ପ୍ରୟୋଗ କରୁଥିବା ବେଳେ ତାଙ୍କୁ ଦଳ ପକ୍ଷରୁ ଗୁରୁତ୍ୱ ଦେଇ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ଟିକଟ ଦେବାକୁ ନିର୍ବାଚନ ମଣ୍ଡଳୀରେ ବିଜେପିର  ସମସ୍ତ ନେତା, କର୍ମକର୍ତ୍ତା, ସମର୍ଥକ ଏପରିକି ଭୋଟରମାନେ ତୀବ୍ର ବିରୋଧ କରୁଛନ୍ତି । ତେଣୁ ଏହାର ପୁର୍ନବିଚାର କରିବା ନିମନ୍ତେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ଏକ ଦାବିପତ୍ର ଦିଆଯାଉଛି ବୋଲି ଗଣମାଧ୍ୟମର ବିଭିନ୍ନ ପ୍ରତିନିଧିମାନଙ୍କ ସମ୍ମୁଖରେ  ସୂଚନା ଦେଇଛନ୍ତି ମୟୂରଭଞ୍ଜ ପୂର୍ବ ଜିଲ୍ଲାର ଉପସଭାପତି ଶ୍ରୀନାୟକ | 

0
0
0
s2sdefault