ହେଡଲାଇନସ୍:

ଲକ୍ଷ୍ମଣ ଛାଡି ଧନୁ ତୀର, ପଶିଲେ  ପଦ୍ମ ସରୋବର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଛମାସ ହୋଇନି ଛାଡିଗଲା ମନ, ଦେଲେ ଛାଡପତ୍ର 

ବାରିପଦା()-  ମୟୂରଭଞ୍ଜ ଲୋକସଭାର ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡ଼ୁ ଆଜି ଭୂବନେଶ୍ୱରଠାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଜେଏମଏମକୁ ଛାଡ଼ପତ୍ର ଦେଇ ବିଜେପିର ହାତ ଧରିଛନ୍ତି | ଅର୍ଥାତ ଲକ୍ଷ୍ମଣ ଧନୁତୀର ଛାଡି ପଦ୍ମ ସରୋବରରେ ପ୍ରବେଶ କରିଛନ୍ତି |

 ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପୂର୍ବତନ ସାଂସଦ ୨୦୧୮ ଅକ୍ଟୋବର ୬ରେ ଶଙ୍ଖ ଛାଡ଼ି ହାତରେ ଧନୁତୀର ଧରିଥିଲେ । ବାରିପଦା ପୌରପରିଷଦର ଶିବ ପ୍ରିୟା ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବାଦୀୟ ବୟାନରେ ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ସମୟରେ ଝାମୁମୋରେ ରାଜ୍ୟ ସଭାପତି ତଥା ବର୍ତ୍ତମାନ ବିଜଦର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ସହିତ ରାଧେରାଧେ ନ୍ୟାୟରେ ଜିଲ୍ଲାରୁ ବାହାରକୁ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିଲେ । ସୁଦାମଙ୍କ ସହିତ ରହିଆସିଥିବା ନିବିଡ଼ ସମ୍ପର୍କ ଫଳରେ ପାଣ୍ଡିଆନଙ୍କ ପରାମର୍ଶରେ ସୁଦାମ ଝାମୁମୋ ତ୍ୟାଗ କରି ବିଜଦରେ ଲୀନ ହେଲେ । ଶ୍ରୀଟୁଡ଼ୁ ଦୁଇ ଦୁଇ ପାଳି ବିଜଦର ମୟୂରଭଞ୍ଜ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଥିଲେ ଓ ୨୦୦୯ରେ ଲୋକସଭା ସାଂସଦ ରହିଥିଲେ । ଜିଲ୍ଲାର ସମସ୍ୟା ଓ ସାମଗ୍ରିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରିବାକୁ ଗଲେ ପାଣ୍ଡିଆନଜୀ ସୁଯୋଗ ଦେଉନଥିଲେ । ସାଂସଦ ଭାବେ ଜିଲ୍ଲାରେ ସୁପର ହାଇୱେ ନିର୍ମାଣ ତାଙ୍କର ଉଲ୍ଲେଖନୀୟ ସଫଳତା ସହିତ ରେଳବାଇ କ୍ଷେତ୍ରରେ ସାମଗ୍ରିକ  ବିକାଶ ଦାବିକୁ ନେଇ ଈର୍ଷାନ୍ୱିତ ହୋଇପଡ଼ିଥିଲେ । ମୋଟ ଉପରେ ପାଣ୍ଡିଆନଙ୍କ ଇସାରାରେ ବିଜଦରେ ସେ କୋଣଠେସା ହୋଇପଡ଼ିଥିଲେ ଓ ସେଥିରେ ଅଣନିଶ୍ୱାସୀ ହୋଇ ଶେଷରେ ଦଳଛାଡ଼ି ଝାମୁମୋରେ ମିଶିବାକୁ ଏକପ୍ରକାରର ବାଧ୍ୟ ହୋଇଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।  ତାଙ୍କର ଏହି ବିବାଦୀୟ ବୟାନ ବର୍ତ୍ତମାନ ବୁମେରାଂ ହୋଇ ଯାଇଛି । ଯଦି ବିଜେଡ଼ିରେ ଅଣନିଶ୍ୱାସୀ ହୋଇ ନିଜର ନିଶ୍ୱାସ ଫେରାଇବା ନିମନ୍ତେ ଜେଏମଏମରେ ଯୋଗ ଦେଇଥିଲେ, ତେବେ କେଉଁ କାରଣରୁ ଜେଏମଏମରେ  ସାଢେ଼ ୫ ମାସ ପୂରଣ କରିପାରିଲେ ନାହିଁ । ପୁଣି ଅଣନିଶ୍ୱାସୀ ହୋଇ ଜୀବନ ବଞ୍ଚାଇବା ନିମନ୍ତେ ଜେଏମଏମକୁ ଛାଡ଼ପତ୍ର ଦେଇ ହାତରେ ପଦ୍ମ ଧରିବାକୁ ବାଧ୍ୟ ହେଲେ । ଏବିଷୟରେ ପୂର୍ବତନ ସାଂସଦ ଶ୍ରୀଟୁଡ଼ୁଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନମ୍ବର ୯୪୩୮୩୯୭୦୮୭କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ତେବେ ଜେଏମଏମର ଜିଲ୍ଲା ସଭାପତି ଫାଗୁ ହାଁସଦାଃ ତାଙ୍କ ପ୍ରତିକ୍ରୟାରେ କହିଥିଲେ, ଲକ୍ଷ୍ମଣ ଟୁଡ଼ୁ ବାରମ୍ବାର ରଙ୍ଗ ବଦଳାଇ ପାରୁଥିବା ବହୁରୂପୀ ଏଣ୍ଡୁଅ । ତାଙ୍କ ନିକଟରେ ନୀତି ଓ ଆଦର୍ଶ ବୋଲି କିଛି ନାହିଁ । ତାଙ୍କ ମଧ୍ୟରେ କ୍ଷମତା ଦଖଲର ଲୋଭ ଭରି ରହିଛି । ଡ଼ିଆଁ ମାଙ୍କଡ଼ରେ ପରିଣତ ହୋଇସାରିଛନ୍ତି । ତାଙ୍କ ଡିଆଁ ଦେଖି ମାଙ୍କଡ ବି ଲାଜେଇଯିବ | କୁକୁରର ଲାଙ୍ଗୁଡ଼ କେବେ ସିଧା ହେବ ନାହିଁ । ତାଙ୍କ ନିକଟରେ ସଂସ୍କାର ନାହିଁ । ଜେଏମଏମରେ ସେ ମିଶିଥିଲେ ମଧ୍ୟ ଦଳର କେନ୍ଦ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଶ୍ୱସକୁ ନେଇ ପାରିନଥିଲେ । ଫଳରେ କୌଣସି ପଦପଦବୀ ନିଯୁକ୍ତି ଦିଆନଯାଇ ତାଙ୍କ ଚରିତ୍ରକୁ ପରୀକ୍ଷା କରାଯାଉଥିଲା ବୋଲି ଜେଏମଏମ ଜିଲ୍ଲା ସଭାପତି ଶ୍ରୀହାଁସଦାଃ କହିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବତନ ସାଂସଦ ଶ୍ରୀଟୁଡ଼ୁ, ପ୍ରଥମେ ଜନତାଦଳରେ ରହିଥିଲେ । ଏହାପରେ ଜେଏମଏମ ଓ ଜେଏମଏମରୁ ବିଜେଡିକୁ ଡ଼ିଆଁ    ମାରି ୨ଥର ଜିଲ୍ଲା ସଭାପତି ଏବଂ ମୟୂରଭଞ୍ଜ ଲୋକସଭା ସାଂସଦ ହୋଇପରିଥିଲେ । ଏହାପରେ ବିଜେଡ଼ିରୁ ଗତ ଅକ୍ଟୋବରରେ ଜେଏମଏମକୁ ଓ ଆଜି ପୁଣି ବିଜେପିକୁ ଡ଼ିଆଁ ମାରିଛନ୍ତି । ପୁଣି, ପୂର୍ବତନ ସାଂସଦ ଶ୍ରୀଟୁଡ଼ୁଙ୍କ ନାମରେ ବାଲେଶ୍ୱର ଲୋକସଭାର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ୨୦୧୨ ଅକ୍ଟୋବର ୨୩ରେ ବାରିପଦା ଟାଉନ ଥାନାରେ ଠକେଇ ଓ ଜାଲିଆତି ଅଭିଯୋଗ ଆଣି ଏକ ଏଫଆଇଆର ଦାଖଲ କରିଥିଲେ । 

0
0
0
s2sdefault