ସୂର୍ଯ୍ୟଙ୍କ ଅଭିଯୋଗ ପତ୍ରର ଉତରରେ ଚିଠି ଲେଖିଲେ ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

- ଖବର କାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ପର୍ଯ୍ୟବେସିତ 

- ସବୁ ଗରିବ ପରିବାରକୁ ଏଲପିଜି ସଂଯୋଗ ଦେବାରେ ସହଯୋଗର ହାତ ବଢାଇବାକୁ ଅନୁରୋଧ

ନୂଆଦିଲ୍ଲୀ /ଭୁବନେଶ୍ୱର - ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଭିଯୋଗ ପତ୍ର ଉପରେ ଟୁଇଟ୍ ଯୋଗେ ଟିପ୍ପଣୀ ଦେବା ପରେ ଏକ ବିଧିବଦ୍ଧ ପତ୍ର ଲେଖି ଖବର କାଗଜ ରିପୋର୍ଟ ଆଧାରରେ ଶ୍ରୀ ପାତ୍ର ଲେଖିଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଏଥିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ ଓ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗ୍ରାହକମାନେ ରିଫିଲ୍ କରୁନଥିବା ତଥ୍ୟକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଉଜ୍ଜ୍ୱଳା ଯୋଜନା ଗ୍ରାହକ ହେବାର ଏକ ବର୍ଷ ମଧ୍ୟରେ ୭୦ ପ୍ରତିଶତ ପରିବାର ଏହି ଗ୍ୟାସର ସିଲିଣ୍ଡର ଭରିଛନ୍ତି । ଏଥିମଧ୍ୟରୁ ୪.୨ ଲକ୍ଷ ଗ୍ରାହକ ୪ ବା ତଦୁର୍ଦ୍ଧ ରିଫିଲ୍ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ଓଡ଼ିଶାର ସାଧାରଣ ପରିବାର ଗୁଡ଼ିକ ସ୍ୱଚ୍ଛ ଇନ୍ଧନକୁ ଗ୍ରହଣ କରିଥିବାର ପ୍ରମାଣ । 

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମିଳୁଥିବା ସ୍ୱାସ୍ଥ୍ୟ ଓ ପର୍ଯ୍ୟାବରଣ ଜନିତ ଲାଭ ତଥା ସମୟ ବଂଚିବା କାରଣରୁ ବିଭିନ୍ନ ଆର୍ଥିକ ଗତିବିଧିରେ ମହିଳାମାନେ ସମୟ ଦେବା କାରଣରୁ ଏହା ତାଙ୍କର ଆର୍ଥିକ ସଶକ୍ତିକରଣରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଡ଼ିସେମ୍ବର ୨୦୧୮ ସୁଦ୍ଧା ୩୫.୨୨ ଲକ୍ଷ ପରିବାରକୁ ଏଲପିଜି ସଂଯୋଗ ଦିଆଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ମେ ୨୦୧୪ରେ ରାଜ୍ୟରେ ମୋଟ ୧୯ ଲକ୍ଷ ଏଲପିଜି ସଂଯୋଗ ଥିବାବେଳେ ୨୦୧୮ ମସିହା ସୁଦ୍ଧା ଏହା ୭୨.୫ ଲକ୍ଷରେ ପହଂଚିଛି । ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ଓଡ଼ିଶାରେ ୨୨ ପ୍ରତିଶତ ଘରେ ଏଲପିଜି ସଂଯୋଗ ବୃଦ୍ଧି ପାଇ ୬୯ ପ୍ରତିଶତରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଗ୍ରାହକମାନଙ୍କ ଉପରେ ଏଲପିଜି ମୂଲ୍ୟର ବୋଝ କମ୍ କରିବା ପାଇଁ ଭାରତ ସରକାର ସବ୍ସିଡ଼ି ଯୋଗାଇ ଦେଉଛନ୍ତି । ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ ଗ୍ରାହକଙ୍କ ଜମା ଖାତାରେ ଏହି ସବ୍ସିଡ଼ି ରାଶି ତ୍ୱରିତ ପହଂଚା ଯାଇ ମଧ୍ୟସ୍ତି ବ୍ୟବସ୍ଥାକୁ ନଷ୍ଟ କରିଦିଆଯାଇଛି । କେନ୍ଦ୍ର ସରକାର ଆଜି ଦିନରେ ସିଲିଣ୍ଡର ପିଛା ୩୨୬ ଟଙ୍କା ୨୨ ପଇସାର ସବ୍ସିଡ଼ି ଦେଇ ଗ୍ରାହକମାନଙ୍କୁ ଏଲପିଜି ମୂଲ୍ୟ ବୃଦ୍ଧିର ବୋଝରୁ ସୁରକ୍ଷିତ ଦେଇଛନ୍ତି ।

ଗ୍ରାହକମାନଙ୍କୁ ଏଲପିଜି ସୁବିଧାରେ ପାଇବା ପାଇ ରାଜ୍ୟରେ ଥିବା କମନ୍ ସର୍ଭିସ୍ ସେଂଟର ଗୁଡ଼ିକରୁ ଏଲ୍ପିଜି ଯୋଗାଣର ବ୍ୟବସ୍ଥା କରାଯାଇଛି । ଉଜ୍ଜ୍ୱଳା ଗ୍ୟାସ ପରିବାରକୁ ୫ କିଲୋ ଏଲପିଜି ନେବା ପାଇଁ ଗ୍ରାହକ ସୃଷ୍ଟି କରାଯାଉଛି । ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ ବିଶ୍ୱର ଅନେକ ପ୍ରତିଷ୍ଠିତ ସଂଗଠନ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ବିଶ୍ୱ ସ୍ଥାସ୍ୱ୍ୟ ସଂଗଠନ, ଆମେରିକାର କାଲିଫର୍ନିୟା ବିଶ୍ୱବିଦ୍ୟାଳୟ, ଗ୍ଲୋବାଲ ଆଲାୟାନସ୍ କ୍ଲିନ୍ କୁକିଂଗଷ୍ଟୋର, ଆଇଏଚ୍ଏସ୍ ମାରକି୍ଟ୍ ଆଦି ସଂସ୍ଥାମାନେ ଉଜ୍ଜ୍ୱଳା ଯୋଜନା ଧୂଅାଁ ମୁକ୍ତ ଗାଁ ସହ ଏହାର ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ଓ ଅର୍ଥନୈତିକ ଲାଭ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ସେ ଲେଖିଥିବା ତଥ୍ୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସନେ୍ଦହ ଦୂର କରିବ ବୋଲି ଆଶାବ୍ୟକ୍ତ କରିବା ସହ ରାଜ୍ୟକୁ ଧୂଅାଁମୁକ୍ତ କରି ସବୁ ଗରିବ ପରିବାରକୁ ଏଲ୍ପିଜି ସଂଯୋଗ ଯୋଗାଇ ଦେବାରେ ସହଯୋଗର ହାତ ବଢାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault