ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଦୁଇଦିନ ତଳେ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଜଗନ୍ନାଥ ମଦିରା ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ଆକ୍ଟ -୨୦୨୦ ଗୃହୀତ କରାଯିବା ପରେ ଗତକଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଏକ ଚିଠି | ଯେମିତି ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ,୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଲେ ସେମିତି ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଂଟିଲୋ ଶ୍ରୀନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ଏ ପ୍ରସଙ୍ଗରେ ନିରବ ରହିନାହାନ୍ତି | ଧର୍ମେନ୍ଦ୍ର ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ପାଇଁ ଅଧ୍ୟାଦେଶ ବା ଆଇନ କରିବା ପାଇଁ କଥା କହିଥିବା ବେଳେ ନିରଞ୍ଜନ କିନ୍ତୁ ଅଲଗା କାରଣ ପାଇଁ ଅଧ୍ୟାଦେଶ ଆଣିବାକୁ କହିଛନ୍ତି | କୋଭିଡି ପାଇଁ ମନ୍ଦିର ତାଲା ପଡିବା ଦ୍ୱାରା ଭକ୍ତଙ୍କ ଦର୍ଶନ ହୋଇପାରୁନଥିବା ଯୋଗୁ "ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅଧ୍ୟାଦେଶ ଆଣିଛନ୍ତି"(ଯାହା ପିସିସି ପକ୍ଷରୁ ପ୍ରେସ ରିଲିଜରେ କୁହାଯାଇଛି) ସେହିପରି ରାଜ୍ୟର ସବୁ ମନ୍ଦିର ଖୋଲିବା ଓ ଭକ୍ତଙ୍କ ମନ୍ଦିର ଦର୍ଶନ ସୁଯୋଗ ଦେବା ପାଇଁ ଅଧ୍ୟାଦେଶ ଆଣିବାକୁ ପରାମର୍ଶ ଦେଇଛନ୍ତି | ହେଲେ ଏଠାରେ ମନେପକାଇ ଦିଆଯାଇପାରେ ଯେ ମନ୍ଦିର ଖୋଲି ଭକ୍ତଙ୍କ ଦର୍ଶନ ପାଇଁ ନୁହେ, ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ଆଣିଛନ୍ତି ଆଉ ସେହିପରି ଅନ୍ୟ ୪ ଟି ମନ୍ଦିରର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଇନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ |
ପିସିସି ସଭାପତିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜରେ ଯାହା ଉଲ୍ଲେଖ ରହିଛି ତାକୁ ଅବିକଳ ଆମେ ଉପସ୍ଥାପିତ କରୁଛୁ ପିସିସି ସଭାପତିଙ୍କ ଗୁରୁତ୍ୱପୂର୍ଣ ଦାବି ସମ୍ପର୍କରେ ରାଜ୍ୟବାସୀଙ୍କ ଅବଗତି ପାଇଁ .| ପ୍ରେସ ରିଲିଜରେ ଉଲ୍ଲେଖ ଅଛି
" ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅଧ୍ୟାଦେଶ ଆଣିଛନ୍ତି, ଠିକ୍ ସେହିପରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ଧର୍ମପରାୟଣ ବ୍ୟକ୍ତିବିଶେଷମାନେ ମାସ ମାସ ଧରି କେନ୍ଦୁଝରର ମା’ତାରିଣୀ ମନ୍ଦିର, କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର, ରାୟଗଡାର ମା’ମଝିଘରିଆଣୀ ମନ୍ଦିର, ଜଗତସିଂହପୁରର ମା’ ଶାରଳା ମନ୍ଦିର, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, ଯାଜପୁରର ମହାବିନାୟକ ମନ୍ଦିର, କାକଟପୁରର ମା’ମଙ୍ଗଳା ମନ୍ଦିର, ବ୍ରହ୍ମଗିରିର ବାବା ଅଲାରନାଥ ମନ୍ଦିର, କଟକର ଶ୍ରୀଧବଳେଶ୍ୱର ମନ୍ଦିର, ବାଙ୍କୀର ମା’ଚର୍ଚ୍ଚିକା ମନ୍ଦିର, ସମ୍ବଲପୁରର ମା’ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ବିରଜା ମନ୍ଦିର, ଗଞ୍ଜାମର ମା’ତାରାତାରିଣୀ ମନ୍ଦିର, ନୟାଗଡର ଶ୍ରୀନୀଳମାଧବଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । କୋଭିଡ୍-୧୯ ର ସମସ୍ତ ନୀତି ନିୟମକୁ କଡାକଡି ପାଳନ କରି ଶ୍ରଦ୍ଧାଳୁମାନଙ୍କ ଲାଗି ମନ୍ଦିର ତଥା ଧର୍ମପୀଠଗୁଡିକୁ ଖୋଲିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶ ଆଣି ସୁବ୍ୟବସ୍ଥା କରିବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ପ୍ରକାଶଥାଉକି କେନ୍ଦୁଝରର ମା’ତାରିଣୀଙ୍କ ଦର୍ଶନ ପାଇଁ ଦୈନିକ ୧୦ ହଜାରରୁ ଉର୍ଧ୍ଵ ଶ୍ରଦ୍ଧାଳୁ ଆସିଥାନ୍ତି ଓ ବାର୍ଷିକ ପ୍ରାୟ ୫୦ ଲକ୍ଷ ନଡିଆ ଆସିଥାଏ । ସେହିପରି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ୧୦ ଲକ୍ଷରୁ ଉର୍ଧ୍ଵ ଶ୍ରଦ୍ଧାଳୁ ଦର୍ଶନରୁ ବଂଚିତ ହେଉଛନ୍ତି । ପ୍ରକାରନ୍ତେ କୋଟି କୋଟି ଶ୍ରଦ୍ଧାଳୁମାନେ ରାଜ୍ୟର ସମସ୍ତ ଦେବାଦେବୀଙ୍କ ଉପରେ ଭକ୍ତି ରଖି ମଧ୍ୟ ଦର୍ଶନରୁ ବଂଚିତ ହେଉଛନ୍ତି । ସରକାର ଲୋକଙ୍କ ଜୀବନ ଜୀବିକା ସହ ଧର୍ମୀୟ ଭାବନାକୁ ସଂପୂର୍ଣ୍ଣ ସୁରକ୍ଷା ଦେବାକୁ ଯତ୍ନଶୀଳ ହେବା ନିମନ୍ତେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।"
ସୂଚନାଯୋଗ୍ୟ ଯେ ମନ୍ଦିର ଖୋଲି ଭକ୍ତଙ୍କ ଦର୍ଶନ ପାଇଁ ନୁହେଁ , ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ଆଣିଥିଲେ ଅଧ୍ୟାଦେଶ | ସେହିପରି ଅନ୍ୟ ୪ ଟି ମନ୍ଦିରର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଇନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ |