ହେଡଲାଇନସ୍:

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟରେ ନବୀନ ବାବୁ ନୁହେଁ ବରଂ ସରକାରୀ ବାବୁମାନେ ଶାସନ କରୁଛନ୍ତି : ଡି.ପୁରନ୍ଦେଶ୍ୱରୀ

 ରାଜ୍ୟରେ ଚାଲିଛି କୁଶାସନ, ସୁଶାସନ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ 

 ମୁଖ୍ୟମନ୍ତ୍ରୀ କାହିଁକି ଓଡିଶାର ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଚାହୁଁନାହାଁନ୍ତି?

 ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କେତେ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଛନ୍ତି?

 ପରୀ ହତ୍ୟାକାଣ୍ଡରେ ତଦନ୍ତ ଭାର ସିବିଆଇକୁ ଦିଆଯାଉ

ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟରେ ସୁଶାସନ ବଦଳରେ କୁଶାସନ ଚାଲିଛି । ରାଜ୍ୟରେ ଶାସନ କରିବା ପାଇଁ ଓଡିଶାର ଜନତା ନବୀନ ବାବୁଙ୍କୁ ଭୋଟ ଦେଇଛନ୍ତି । କିନ୍ତୁ ଏଠି ନବୀନ ବାବୁ ନୁହେଁ ସରକାରୀ ବାବୁ ମାନେ ଶାସନ କରୁଛନ୍ତି । ବିଗତ ବର୍ଷରେ ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି । କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୂର୍ନୀତିରେ ବିଜେଡି ନେତାମାନଙ୍କର ସଂପୃକ୍ତି ରହିଛି ।  ବିଜେଡି ନେତା ବଡ ବଡ ଦୂର୍ନୀତିରେ ସାମିଲ ଅଛନ୍ତି । ଏହା ପରେ ବି ନବୀନ ବାବୁ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତାମାନେ ଦୂର୍ନୀତି ଓ ଭ୍ରଷ୍ଟାଚାରକୁ ଦେଶରୁ ମୁକ୍ତ କରିବା ପାଇଁ ପ୍ରୟାସ କରିବା ସହ ଲୋକଙ୍କ ହିତରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି । କ୍ଷମତା ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି ସର୍ବଦା ପ୍ରତିଶୃତିବଦ୍ଧ । ଏଣୁ ଓଡିଶାର ଜନତା କୁଶାସନକୁ ଗାଦିରୁ ହଟାଇ ସୁଶାସନ ପାଇଁ ଆଗାମୀ ଦିନରେ ରାଜ୍ୟରେ ସରକାର କରିବା ପାଇଁ ବିଜେପିକୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପୁରନେ୍ଦଶ୍ୱରୀ କହିଛନ୍ତି ଯେ, ଗତ ୬ ବର୍ଷରେ ବିଜେପି ସରକାର ଦେଶକୁ ସୁଶାସନ ଦେଇ ଆସୁଛି । ସମାଜର ଦଳିତ, ଗରିବ ଏବଂ ପଛୁଆ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜନହିତକର ଯୋଜନା ଲାଗୁ କରିଛନ୍ତି । ଦେଶର ବିକାଶରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିବଦ୍ଧତା ଦେଖାଇଛନ୍ତି । ଜନତାଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ବିଜେପି କାର୍ଯ୍ୟ କରୁଛି ଏବଂ ଜନକଲ୍ୟାଣ ଦିଗରେ ଗୋଟିଏ ଗୋଟିଏ ମାଇଲଖୁଂଟ ଅତିକ୍ରମ କରିଚାଲିଛି । ସେହିପରି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ନୀତିରେ ଭାରତକୁ ଅଗ୍ରଣୀ ଦେଶରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଦ୍ୟମ ପ୍ରଶଂସନୀୟ । କିନ୍ତୁ ରାଜ୍ୟରେ ବିଜେଡି ସରକାର ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ଦେଇ କେବଳ ଭୋଟ ହାତେଇଥାଏ । ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଜନତାଙ୍କୁ ଦେଇଥିବା ଗୋଟିଏ ବି ପତିଶୃତି ପାଳନ କରିନାହିଁ । ୨୦୧୪ରେ ବିଜେଡି ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗଇବା ନେଇ ପ୍ରତିଶୃତି ଦେଇଥିଲା । ପୁଣିଥରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚା ଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଭୋଟ ହାତେଇଥିଲା । ଏହାସତ୍ୱେ ଆଜି ବି ଗରିବ ଲୋକଟିଏ ପକ୍କା ଘର ପାଇବାରୁ ବଂଚିତ ରହିଛି । ଗ୍ରାମାଂଚଳରେ ଏବେ ବି ୨ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି ରହିଛି । ଏହା ହେଉଛି ନବୀନ ସରକାରଙ୍କ କୁଶାସନ । 

ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ୫ ଲକ୍ଷ ପର୍ଯ୍ୟନ୍ତ ମେଡିକାଲ ସୁବିଧା ଗରିବ ଲୋକଙ୍କୁ ମିଳିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି । କିନ୍ତୁ ମୋଦି ନାଁ ନେଇଯିବା ଭୟରେ ରାଜ୍ୟ ସରକାର ଓଡିଶାରେ ଏହାକୁ ଲାଗୁ କରୁନାହାଁନ୍ତି । ଅନ୍ୟପଟେ ରାଜ୍ୟ ସରକାର ଓଟିଏଫକୁ ବନ୍ଦ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ । କିନ୍ତୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇଁ କମ୍ ଟଙ୍କାର ବ୍ୟବସ୍ଥା ଥିବାରୁ ଗରିବ ଲୋକମାନେ ଏହାର ସୁବିଧା ଉଠାଇ ପାରୁନାହଁନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ଓଡିଶାର ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଚାହୁଁନାହାଁନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି । 

ସେହିପରି ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ୧୨୫୦ ପଂଚାୟତରେ ପିଇବା ପାଇଁ ଉପଯୁକ୍ତ ପାନୀୟ ଜଳ ମିଳୁନାହିଁ ଏବଂ ୧୫୦୦ ପଂଚାୟତରେ ପାଇପ ଲାଇନ ପଂହଚି ନାହିଁ । ଏବେ କେତେ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ତାହାର ଉତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ।

ଚାଷୀଙ୍କ ବିଲ କୁ ବିରୋଧୀ ମାନେ ନବୁଝି କେବଳ ବିରୋଧ କରୁଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ହିତରେ ବିଭିନ୍ନ ଯୋଜନା ଏବଂ ବିଲ୍ ଲାଗୁ କରୁଥିବା ସମୟରେ ରାଜ୍ୟସରକାର କାଳିଆ ନାଁରେ ମିଥ୍ୟା ଯୋଜନା କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ କୃଷକମାନଙ୍କୁ ୬ ହଜାର ଟଙ୍କା ସହାୟତା ଦେଉଥିବାବେଳେ କାଳିଆ ଯୋଜନାରେ ରାଜ୍ୟସରକାର ଚାଷୀଙ୍କୁ ୪ ହଜାର ଟଙ୍କାସହାୟତା ନଦେଇ ପ୍ରତାରଣା କରୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ  ୪୫ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ସହାୟତା ମିଳିଥିବାବେଳେ ଏବେ ଏହା କମି ୨୧ ଲକ୍ଷରେ ପହଂଚିଛି । ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ୧୦ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇବା ନେଇ ଘୋଷଣା କରିଥିଲେ । ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କେତେ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ଦାବି କରିଛନ୍ତି । 

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ମହିଳା ଓ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଓଡିଶାରେ ବିଗତ କିଛି ମାସ ମଧ୍ୟରେ ୫୩୦୩ ଜଣ ଶିଶୁ ନିଖୋଜ ହେଲେଣି । ପୋଲିସ ପ୍ରଶାସନର ଅବହେଳା ଏବଂ ତଦନ୍ତର ଶିଥିଳତା ପାଇଁ ପ୍ରତ୍ୟେକ ଦିନ ଶିଶୁମାନଙ୍କ ସହ ଅପରାଧିକ ଘଟଣା ବଢିବାରେ ଲାଗିଛି । ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଲୋକ ମୋ ପରିବାର ବୋଲି କହିଥିଲେ । ପରୀ କ’ଣ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ନୁହେଁ କି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି । ରାଜ୍ୟରେ କଂଗ୍ରେସ ବିଜେଡି ସହ ମିଶି ଲୋକଙ୍କୁ ଭ୍ରମିତ କରୁଛି । କଂଗ୍ରେସର କିଛି ବିଧାୟକ ବିଜେଡି ସହ ମିଶିଥିବା ନେଇ ଖୋଦ୍ ତାଙ୍କ ଦଳର ବିଧାୟକମାନେ ଅଭିଯୋଗ କରିଛନ୍ତି । ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏସଆଇଟି ଗଠନ ପାଇଁ ଦାବି କରୁଥିଲେ ଏବେ ବିଜେପି ବିରୋଧ କରିବା ପରେ ଏବେ ସେ କହୁଛନ୍ତି କି ଏସଆଇଟି ମୁଖ୍ୟଙ୍କ ପାଖରେ ତଦନ୍ତ କରିବା ପାଇଁ କ୍ଷମତା ନାହିଁ । ପରୀ ହତ୍ୟାକାଣ୍ଡରେ ତଦନ୍ତ ଭାର ସିବିଆଇକୁ ଦେବା ସହ ହତ୍ୟାକାଣ୍ଡରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯାନୁଷ୍ଠାନ  ନେଉ ନାହାଁନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ  ପ୍ରଶ୍ନ କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault