ହେଡଲାଇନସ୍:

ମହାରଥୀଙ୍କ ମହାଯାତ୍ରା : ମହାରଥୀଙ୍କୁ ପ୍ରସାଦଙ୍କ ଶ୍ରଦ୍ଧାଞ୍ଜଳି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର - ପିପିଲିର ବିଧାୟକ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶୋକବାର୍ତ୍ତାରେ ଶ୍ରୀ ହରିଚନ୍ଦନ  ଜଣାଇଛନ୍ତି ‘ମାନନୀୟ ପ୍ରଦୀପ ମହାରଥୀ ଏମିତି ଚାଲିଯିବା ମତେ ମର୍ମାହତ କରିଛି ଓ ସମସ୍ତଙ୍କୁ ହତବାକ କରିଦେଇଛି । ଜୀବନ ନାଟକରେ କେତେ ଭୂମିକାରେ ଅଭିନୟ କରି ଜୀବନ ଯାତ୍ରା ସାରି ସେ ମହାଯାତ୍ରା କରିଛନ୍ତି । ପୁରୀ ଏସ୍.ସି.ଏସ୍. କଲେଜର ଛାତ୍ର ନେତା, ବିରୋଧୀ ଦଳର ଯୁବନେତା, ସରକାରୀ ଦଳର ମୁଖ୍ୟ ସଚେତକ, ପିପିଲିର ବିଧାୟକ, ଓଡିଶାର କୃଷି, ପଂଚାୟତରାଜ ମନ୍ତ୍ରୀ, ଜଣେ ଅଗ୍ରଣୀ କୃଷକ ଏବଂ ଓଡିଆ ନାଟ୍ୟ ଜଗତର ପ୍ରବାଦ ପୁରୁଷ ପ୍ରଦୀପ ମହାରଥୀ । କଥା ରୋକ୍ଠୋକ୍, କାମ ବେଧଡକ; ନୀତିରେ ସାଲିସ୍ ନାହିଁ, କାହାକୁ ମାଲିସ୍ ନାହିଁ; ଏକଦମ୍ ନିଆରା ମଣିଷ ଜଣେ, ସବୁବେଳେ ବିବାଦ, ବିତର୍କ ଭିତରେ ଥାଆନ୍ତି । ଠାଣି, ବାଣୀ, ଚାହାଣୀ ସବୁ ମହାରଥୀ ମାର୍କା । ଆଖି ଦୁଇଟା ମନ୍ଦାର ଫୁଲ ପରି । ପାଟିରୁ ବାହାରେ ବଜ୍ର ଆବାଜ । ଚାଲନ୍ତି ସିଂହ ପରି । କଥା ସିନା କଠୋର, ହୃଦୟ ଭାରି କୋମଳ । ଜଣେ ଫ୍ଲାମ୍ବୋୟାଂଟ ମଣିଷ, ଏବେ ପାଲଟି ଗଲେ ଇତିହାସ ।

ଉତରାରୁ ସାତଶଙ୍ଖ, ଇନ୍ଦିପୁରରୁ କଲ୍ୟାଣପୁର ମୂଲକଯାକ ଲୋକ ଝୁରି ହେଉଛନ୍ତି ପିପିଲି ମାଟିର ପୁଅ ପ୍ରଦୀପ ମହାରଥୀଙ୍କୁ । ପିପିଲି-ଡେଲାଙ୍ଗକୁ ଆଲୋକିତ କରିବା ପାଇଁ ପ୍ରଦୀପ ଭଳି ସେ ଜୀବନ ସାରା ଜଳିଛନ୍ତି । ଏକ ଉଦ୍ଧାମ ଜୀବନର ଅବସାନ ଘଟିଛି । ମୁଁ ତାଙ୍କ ପ୍ରତି ଶ୍ରଦ୍ଧାଜଂଳି ଜଣାଉଛି । ଶୋକାଭିଭୂତ ପରିବାର ବର୍ଗ, ପରିଜନ, ସାଥୀ ସମର୍ଥକମାନଙ୍କୁ ସମବେଦନା ଜଣାଉଛି ।’

 

0
0
0
s2sdefault