ହେଡଲାଇନସ୍:

ଗାନ୍ଧୀ ଜୟନ୍ତୀରୁ  ବିଜେଡ଼ି ଆରମ୍ଭ କଲା  ମାସେ ବ୍ୟାପୀ କୋଭିଡ୍ ଜନସଚେତନତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ମାସେ ବ୍ୟାପୀ କୋଭିଡ୍ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ସମଗ୍ର ରାଜ୍ୟରେ ବିଜେଡ଼ି କର୍ମୀମାନେ ଗାଁ ଗାଁ ବୁଲି କରୋନା ସଂକ୍ରମଣଠାରୁ ରକ୍ଷା ପାଇବାକୁ ଲୋକଙ୍କୁ ସତର୍କ କରାଇବେ । କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇବା, ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବେ ।

ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ ସବୁ ବିଧାୟକ, ଦଳୀୟ ନେତାମାନଙ୍କୁ ଏଥିଲାଗି ଚିଠି ଲେଖିଥିଲେ । ଅକ୍ଟୋବର ୨ ରୁ ନଭେମ୍ବର ୨ ଯାଏ ସେମାନେ ନିଜ ନିଜ ଅଞ୍ଚଳରେ ବୁଲି ଲୋକଙ୍କୁ ବ୍ୟାପକ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଗତ ୨୦ ବର୍ଷ ଧରି ରାଜ୍ୟବାସୀଙ୍କ ସହିତ ରହିଛି । ଆଜିର କୋଭିଡ୍ ମହାମାରୀ ରାଜ୍ୟକୁ ଏକ ଅଭାବନୀୟ ସ୍ଥିତିରେ ପହଞ୍ଚାଇଛି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ବିଜେଡ଼ି ନେତା ଓ କର୍ମୀମାନେ ଲୋକଙ୍କ ସହିତ ରହିବା ଦରକାର । ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା-ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନ ପରିପ୍ରେକ୍ଷୀରେ ଆଜି ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ୍ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅରୂପ ପଟ୍ଟନାୟକ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବିରଂଜନ ତ୍ରିପାଠୀ, ଅମରେଶ ପତ୍ରୀ, ରଣଜିତ ମହାପାତ୍ର , ଲୋପାମୁଦ୍ରା ବକ୍ସିପାତ୍ର,ଦୁର୍ଗା ସାମନ୍ତରାୟ କୁନା ବିହାରୀ ଦାଶ, କସ୍ତୁରୀ ମହାପାତ୍ର, ସୁଲତା ଦେଓ, ଏଲିନା ଦାସ, ଇପ୍ସିତା ଦାସ,  ସମରେଶ ବେଉରା, ସୁବାସ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ  ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଭୁବବେଶ୍ୱରର ତିନି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବସ୍ତିରେ ମାସ୍କ ବଣ୍ଟନ କରିଥିଲେ |  

ସୂଚନାଯୋଗ୍ୟ  ଯେ  ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ 

" ମହାଶୟ/ମହାଶୟ

ବିଗତ ୬ମାସ ମଧ୍ୟରେ କରୋନା ମହାମାରୀ ସାଧାରଣ ଜନଜୀବନରେ ନାହିଁ ନଥିବା ପରିବର୍ତ୍ତନ ଆଣିଛି । ଆମ ଦେଶରେ ପ୍ରତିଦିନ ୧ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି, ଯାହା ସାରା ପୃଥିବୀରେ ସର୍ବାଧିକ । ଏମିତିରେ ମୋଟ ସଂକ୍ରମିତଙ୍କ ସଂଖ୍ୟାରେ ଆମେ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ରାଷ୍ଟ୍ର । ଆମ ଦେଶ ଏବେ ଏକ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।

ଓଡ଼ିଶାବାସୀଙ୍କ ସହଯୋଗ ଏବଂ ଆଗଧାଡ଼ିର କୋଭିଡ ଯୋଦ୍ଧାମାନଙ୍କ ନିରନ୍ତର ଉତ୍ସର୍ଗୀକୃତ ପ୍ରଦର୍ଶନଯୋଗୁ ଆମ ରାଜ୍ୟ ଆଜି ଦୃଢ଼ ଭାବରେ କୋଭିଡ ସଂକ୍ରମଣର ମୁକାବିଲା କରିପାରିଛି । କୋଭିଡ ସଂକ୍ରମଣରୁ ଲୋକଙ୍କୁ ସୁସ୍ଥ କରିବାରେ ଏବଂ ସର୍ବନିମ୍ନ ମୃତୁ୍ୟହାର ସହିତ ସର୍ବାଧିକ ଲୋକଙ୍କୁ ଆରୋଗ୍ୟ କରିବାରେ ଆମେ ଦେଶରେ ଏକ ଅଗ୍ରଣୀ ରାଜ୍ୟ । ଆମ ସରକାର କୋଭିଡ ଚିକିତ୍ସା ସାଇଁ ସାରା ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ ଚିକିତ୍ସାଳୟ ପ୍ରତିଷ୍ଠା କରିଛି । ଟେଷ୍ଟିଂ ଠାରୁ ଆରମ୍ଭ କରି ପ୍ଲାଜାମା ଥେରାପି ମାଧ୍ୟମରେ ଚିକିତ୍ସା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଆମ ସରକାର ବହନ କରୁଛନ୍ତି । ଆମ ରାଜ୍ୟରେ କୋଭିଡ ଚିକିତ୍ସା ବାବଦରେ କାହାରିକୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ୁନି । ୩୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ଟେଷ୍ଟିଂ ସହିତ ପାଖାପାଖି ଦୁଇ ଲକ୍ଷ ଲୋକଙ୍କୁ ସୁସ୍ଥ କରି ଆମ ରାଜ୍ୟ କୋଭିଡ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି । ସରପଞ୍ଚ ମାନଙ୍କୁ କୋଭିଡ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିବାରେ ଆମେ ପ୍ରଥମ ଏକମାତ୍ର ରାଜ୍ୟ । ସମୂହ ଟେଷ୍ଟିଂ, ଚିହ୍ନଟ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଆମେ ଗଞ୍ଜାମ ଜିଲାରେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛୁଏବଂ ଅନ୍ୟ ଅଧିକ ସଂକ୍ରମିତ ଜିଲାରେ ଏହି ପଦ୍ଧତି ଅବଲମ୍ବନ କରି କୋଭିଡ ସ୍ଥିତିରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରଖିଛୁ ।

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଟୀକା ପ୍ରସ୍ତୁତି ସାରା ବିଶ୍ୱରେ ଜୋରସୋରରେ ଆଗେଇ ଚାଲିଛି । ଆମେ ରାଜ୍ୟବାସୀଙ୍କୁ ନିର୍ଦ୍ଧାରିତ ସମୟରେ ଟୀକା ଯୋଗାଇ ଦେବା ପାଇଁ ବିଭିନ୍ନ ଟୀକା ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ସହିତ ଯୋଗସୂତ୍ର ରକ୍ଷା  କରୁଛୁ ଏବଂ ଏଥିରେ ନିଶ୍ଚିତ ସଫଳ ହେବା ।

ବିଜୁ ଜନତା ଦଳ ବିଗତ ୨୦ବର୍ଷ ଧରି ଓଡ଼ିଶାବାସୀଙ୍କ ସୁଖଦୁଃଖର ହୋଇ ସାଥୀ ହୋଇଆସିଛି । ଆଜିର କରୋନା ମହାମାରୀ ପରିସ୍ଥିତି ଆମକୁ ଏକ ଅଭାବନୀୟ ପରିସ୍ଥିତିରେ ପହଞ୍ଚାଇଛି । ଆଜି ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ହୋଇପଡିଛି । ଏଣୁ ବିଜୁ ଜନତା ଦଳ ଏବର୍ଷ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଜନସଚେତନତା ଅଭିିଯାନ ଆୟୋଜନ କରୁଛି । 

ଟୀକା ଆମ ନିକଟରେ ପହଂଚିବା  ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ଆମର ସୁରକ୍ଷା କବଚ । ଏଣୁ ଦଳର ପ୍ରତ୍ୟେକ ବିଧାୟକ ପଞ୍ଚାୟତ ସ୍ତରରେ ଗ୍ରାମାବାସୀଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନ କରିବେ । କରୋନା ମହାମାରୀକୁ ରୋକିବା ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସଚେତନ ଏବଂ ସତର୍କ ରହିବା ଜରୁରୀ । କୋଭିଡ ନିୟମ ପାଳନ କରିବା ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇ ନେବା ଆଗ ଧାଡିର କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ସମସ୍ତେ ବହୁ ସଂଖ୍ୟାରେ ଆଗେଇ ଆସନ୍ତୁ । ଗୁରୁତର କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଜୀବନବିନ୍ଦୁ ଅଭିଯାନରେ ରକ୍ତଦାନ ଏବଂ ମୃତକଙ୍କ ଶବସକ୍ରାର ପାଇଁ ଓଡ଼ିଶା ମୋ ପରିବାର ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି । ଆପଣମାନେ ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ସହିତ ସାମିଲ ହୋଇ ଏ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗେଇ ନିଅନ୍ତୁ । 

ଆସନ୍ତୁ ବିଜୁ ଜନତା ଦଳର ଜଣେ ଜଣେ ଉତ୍ସର୍ଗୀକୃତ କର୍ମୀ ଭାବରେ ଓଡ଼ିଶାବାସୀଙ୍କ ପାଇଁ ଆମେ ଆମ ଉତ୍ତର ଦାୟିତ୍ୱ ନିର୍ବାହ କରିବା । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟବାସୀଙ୍କୁ ସଚେତନ କରିବା କରୋନା ଯୁଦ୍ଧରେ ପ୍ରତ୍ୟେକ ଜଣେ ଜଣେ ଯୋଦ୍ଧା ସାଜିବା କରୋନା ଯୋଦ୍ଧାକୁ ସମ୍ମାନ ଜଣାଇ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବା, ଓଡ଼ିଶାକୁ ଜିତାଇବା ।"

 

0
0
0
s2sdefault