ହେଡଲାଇନସ୍:

ଜୁଆଙ୍ଗ ଜନଜାତିଙ୍କ ଟଙ୍କା ହଡପ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ  ନିଆଯାଉ :ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ହଡପ ଘଟଣାରେ କେନ୍ଦୁଝର ଜିଲ୍ଲା ଗସ୍ତ କରି ସରଜମିନ ତଦନ୍ତ କରି ଫେରିଲା ବିଜେପି ପ୍ରତିନିଧୀ ଦଳ 

 ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଜୁଆଙ୍ଗ ଜନଜାତିଙ୍କ ଏଟିଏମ ଓ ପାସୱାର୍ଡ ରଖି ଉଠାଇଛନ୍ତି କୋଟି କୋଟି ଟଙ୍କା 

 ଓଡିଶାର ଦ୍ୱିତୀୟ ନଗଡା ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତ ଖରବା ଗାଁ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର ଆପଣାଇଛନ୍ତି । ବିଶେଷ କରି ଆଦିବାସୀ ବହୁଳ ଓଡିଶା ରାଜ୍ୟରେ ଆଦିବାସୀଙ୍କ ପାଇଁ ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ ବି ସେମାନେ ସମସ୍ତ ପ୍ରକାରର ସୁବିଧାରୁ ବଂଚିତ ରହିଛନ୍ତି । ଗତ କିଛି ଦିନ ଧରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତ ଖରବା ଗାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛିି । ଏହି ଅଂଚଳର ୧୩ଟି ନିର୍ଦ୍ଧିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ  ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହେବାର ପ୍ରମାଣ ମିଳିଥିବାରୁ ବିଜେପିର ଏକ ପ୍ରତିନିଧୀ ଦଳ ସଂପୃକ୍ତ ଘଟଣାସ୍ଥଳକୁଯାଇ ସରଜମିନ ତଦନ୍ତ କରି ଫେରିଛନ୍ତି । ସାଧାରଣ ବାସଗୃହ ଯୋଗାଇ ଦେବା କହି ଜୁଆଙ୍ଗ ଜନଜାତିଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି ଏବଂ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ହରି ଲୁଟ୍ କରାଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସୂଚନା ଅଧିକାର ତଥ୍ୟ ଅନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୦୦ ଘରକୁ ଅନୁମୋଦନ ଦିଆଯାଇଛି । କିନ୍ତୁ ବାସ୍ତବରେ ଅନେକ ହିତାଧିକାରୀଙ୍କ ନାଁରେ ଅର୍ଥ ଆସିଥିଲେ ବି ବିଜେଡି ନେତା ଓ ସରକାରୀ ଅଧିକାରୀମାନେ ସଂପୃକ୍ତ ହିତାଧିକାରୀଙ୍କ ଏଟିଏମ ଓ ପାସୱାର୍ଡ ରଖି ଆଦିବାସୀଙ୍କ ଅର୍ଥକୁ ହରିଲୁଟ୍ କରିଛନ୍ତି । ଖରବା ଗାଁର ମମତା ଜୁଆଙ୍ଗ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାଙ୍କ ଘର ନିର୍ମାଣ ଆରମ୍ଭ ହୋଇନାହିଁ । ଉଷା ଜୁଆଙ୍ଗଙ୍କ ଘର ନିମଟାଲ ପର୍ଯ୍ୟନ୍ତ ଉଠିଥିବାର ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ତାଙ୍କ ଘର କେବଳ ପ୍ଲିନ୍ଥ କାମ ସରିଛି । ସେହିପରି ଆଉ ଜଣେ ହିତାଧିକାରୀ ରମେଶ ଜୁଆଙ୍ଗଙ୍କ ଘର ପ୍ଲିନ୍ଥ ଅସଂପୂର୍ଣ୍ଣ ଥିବାବେଳେ ତାଙ୍କ ନାଁରେ ଉଠାଯାଇଛି ୫୫ ହଜାର ଟଙ୍କା । ବାଦଲ ମହ୍ଲାର ଓ ଅନ୍ଧାର ମହ୍ଲାରଙ୍କୁ ନିମ୍ନ ମାନର କମ ଉଚ୍ଚତାରେ ଘର କରି ୧ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ହଡପ କରାଯାଇଛି । ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଏମିତି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି । 

ବାଘ ବକରୀ ଖେଳରେ ଆଦିବାସୀମାନେ ଶିକାର ହେଉଛନ୍ତି । ରାଜ୍ୟସରକାର ଜିଓ ଟ୍ୟାଗିଂ କରିବା ପରେ ପଇସା ଦିଆଯାଉଛି ବୋଲି କହୁଥିବାବେଳେ କିଭଳି ଘର ନିର୍ମାଣ ନହୋଇ ଜିଓ ଟ୍ୟାଗିଂ କରି ୧ ଲକ୍ଷ ଟଙ୍କା ଦିଆଯାଉଛି? କେବଳ ହରିଚନ୍ଦନ ପୁର ବ୍ଲକ ନୁହେଁ ଏଭଳି ଅନିୟମିତତାର ପ୍ରମାଣ କେନ୍ଦୁଝର ଜିଲ୍ଲା ଘସିପୁରା, ଘଟଗାଁ, ସଦର ଏବଂ ଝୁମ୍ପୁରା ବ୍ଲକରୁ ଆସିଛି । ରାଜ୍ୟରେ୧୭ଲକ୍ଷ ୩୩ହଜାର ୨୨ଟି ଘରରୁ ୧୦ଲକ୍ଷ୯୬ ହଜାର ୪୧୩ ଟି ଘର ରାଜ୍ୟସରକାର ନିର୍ମାଣ କରିଛନ୍ତି ବୋଲି କହୁଛନ୍ତିି । କିନ୍ତୁ ବାସ୍ତବରେ ଏହା ସଂପୂର୍ଣ୍ଣଭାବେ ଭିତିହୀନ । ସାଧାରଣ ଲୋକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋଦି ସରକାର ୨୦୨୨ ସୁଦ୍ଧା ପକ୍କା ଘର ଏବଂ ୨୦୨୪ ସୁଦ୍ଧା ପ୍ରତିଘରେ ନଳ ଯୋଗେ ସୁଦ୍ଧ ପିଇବା ପାଣି ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ରାଜ୍ୟସରକାର ଏଠି ବାଧ୍ୟକ ସାଜୁଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

ଓଡିଶାର ଦ୍ୱିତୀୟ ନଗଡା ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତ ଖରବା ଗାଁ । ଖରବା ଗାଁର ଲୋକଙ୍କ ପାଖରେ ପକ୍କା ଘର, ବିଦୁ୍ୟତ, ଶୌଚାଳୟ, ପିଇବା ପାଣି, ରାସ୍ତା, ଅଙ୍ଗନବାଡି ବର୍ତମାନ ସୁଦ୍ଧା ଅପହଂଚ । ଖଣି ଖାନନରେ ଭରପୂର ଥିବା କେନ୍ଦୁଝର ଜିଲ୍ଲାରେ ଏଭଳି ଭାବେ ଜୁଆଙ୍ଗ ଜନଜାତି ବସବାସ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି କେନ୍ଦୁଝର ଜିଲ୍ଲାରେ କେବଳ ଭାତହାଣ୍ଡିର ଗୋଟିଏ ଭାତ ସଦୃଶ୍ୟ । ଏହି ଦୁର୍ନୀତି ସାରା ଓଡିଶାରେ ବ୍ୟାପିଛି । ରାଜ୍ୟସରକାର ଗରିବ ଲୋକଙ୍କଅଧିକାରରୁ ବଂଚିତ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ନେଇ ପୂର୍ବରୁ ବିଡିଓ, ପିଡି ଓ ଜିଲ୍ଲାପାଳଙ୍କ ପାଖରେ ଦ୍ୱାରସ୍ଥ ହେବା ପରେ ବି ସେମାନେ କୌଣସି ପଦକ୍ଷେପ ନେଇନାହାଁନ୍ତି ବୋଲି ପୂର୍ବତନ ବିଧାୟକ ଧନଜଂୟ ସିନ୍ଧୁ ଅଭିଯୋଗ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ରାଜ୍ୟସରକାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ  ଗ୍ରହଣ କରିବା ସହ ଗରିବ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।  

0
0
0
s2sdefault