ହେଡଲାଇନସ୍:

ରାଜ୍ୟସରକାର ସାଜିଛନ୍ତି ପ୍ରପର୍ଟି ଡିଲର: ସମ୍ବିତ ପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ପ୍ରସଙ୍ଗ

ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍ କରିବା ପାଇଁ ମସୁଧା ଚଲାଇଛନ୍ତି ରାଜ୍ୟସରକାର

ରାଜ୍ୟସରକାର ତୁରନ୍ତ ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ 

କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାନ୍ତୁ ରାଜ୍ୟସରକାର

ବେଆଇନ ଭାବେ କେଉଁ ଉଦ୍ଦେଶ୍ୟରେ  ଏବଂ କାହା ସ୍ୱାର୍ଥରେ ଐତିହାସିକ ବଗଲା ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ଚାଲିଛି?

ପୁରୀରେ ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦେ୍ଧଶ୍ୟ କ’ଣ ?

ବଗଲା ଧର୍ମଶାଳାକୁ ପୁରୀ ମ୍ୟୁନିସିପାଲିଟି ଠାରୁ ରାତାରାତି ରାଜସ୍ୱ ବିଭାଗକୁ ଅଣାଯାଇ ୨୬ଟି ପ୍ଲଟିଂ କରାଗଲା କିପରି?

ପ୍ରସାଦ ଯୋଜନା ଅନୁଯାୟୀ ପୁରୀ ତୀର୍ଥସ୍ଥାନର ବିକାଶ ଏବଂ ତୀର୍ଥଯାତ୍ରୀ ମାନେ ରହିବା ପାଇଁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି

ଜଗନ୍ନାଥ ତୀର୍ଥନିବାସ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବା ପରେ କାହା ସ୍ୱାର୍ଥରେ ସେଠାରେ କାର୍ଯ୍ୟ ବନ୍ଦ କରାଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଉଛି?

ବହୁ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ବଗଲା ଧର୍ମଶାଳା ଆସି ନିଜ ନିଜର ପ୍ଲଟ ଚିହ୍ନଟ କରୁଛନ୍ତି ବୋଲି ପୁରୀ ବାସିନ୍ଦା ଅଭିଯୋଗ କରିଛନ୍ତି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ  କରିଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟସରକାର କୌଣସି ଉତର ରଖିନାହାଁନ୍ତି କାହିଁକି?

ଭୁବନେଶ୍ୱର(ଶାସକ ପ୍ରଶାସକ) :ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି । କିନ୍ତୁ ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହିଛି । ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ । କିନ୍ତୁ ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କ ଉଦେ୍ଧଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗି ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍ କରିବା ପାଇଁ ମସୁଧା ଚଲାଇଛନ୍ତି  ଏବଂ ଖୋଦ୍ ରାଜ୍ୟସରକାର ସାଜିଛନ୍ତି ପ୍ରପଟି ଡିଲର । ବେଆଇନ ଭାବେ କେଉଁ ଉଦେ୍ଧଶ୍ୟରେ ଏବଂ କାହା ସ୍ୱାର୍ଥରେ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ସମ୍ବିତ ପାତ୍ର ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ୧୯୦୫ ମସିହାରେ ଗରିବ ଲୋକ ଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇ ଲାଲ ବଗଲା ଏହାକୁ ଦାନରେ ଦେଇଥିଲେ । ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍ ଖର୍ଚ୍ଚର୍ରେ ରହଣୀ କରନ୍ତି । ପୁରୀ ବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ । କିନ୍ତୁ ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । 

ପୁରୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରିବା ପାଇଁ  ମେଘନାଦ ପାଚେରୀର ୭୫ ମିଟର ଯାଏଁ ଲୋକଙ୍କୁ ବିସ୍ଥାପତି କରାଗଲା ଏବଂ ସେମାନଙ୍କୁ ଜମି ଓ କ୍ଷତିପୂରଣ ଦେବା ପାଇଁ ସରକାର ଘୋଷଣା କରିଥିଲେ । ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦେ୍ଧଶ୍ୟ କ’ଣ ରହିଛି ? ବଗଲା ଧର୍ମଶାଳା ପୁରୀ ମୁ୍ୟନିସିପାଲିଟି ଅଧୀନରେ ଥିଲା କିନ୍ତୁ ରାତାରାତି ତାକୁ  ରାଜସ୍ୱ ବିଭାଗକୁ ଅଣାଯାଇ ତାକୁ ୨୬ଟି ପ୍ଲଟିଂ କରାଯାଇଛି । ଯାହାକି ସଂପୂର୍ଣ୍ଣଭାବେ ବେଆଇନ । କାହା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ ହୋଇଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । 

‘ସବକା ସାଥ ସବକା ବିକାଶ’ମୋଦି ସରକାରଙ୍କ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ପ୍ରସାଦ ଯୋଜନା ଅନୁଯାୟୀ ପୁରୀ ତୀର୍ଥସ୍ଥାନର ବିକାଶ ଏବଂ ତୀର୍ଥଯାତ୍ରୀ ମାନେ ରହିବା ପାଇଁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ, ଅଗ୍ନିଶମ ବିଭାଗ ଓ ପୁରୀ କୋଣାର୍କ ବିକାଶ ପରିଷଦ ଏନଓସି ପ୍ରଦାନ କରିଥିଲା । ଏହା ପରେ ବଗଳା ଧର୍ମଶାଳାରେ ଜଗନ୍ନାଥ ତୀର୍ଥନିବାସ ନିର୍ମାଣ ପାଇଁ ଆଇ.ଟି.ଡିସି ଟେଣ୍ଡର ନେଇ କାର୍ଯ୍ୟ ଆରମ୍ଭ କରିଥିଲା । ୩ କୋଟି ଟଙ୍କା ଖର୍ଚ୍ଚ ହେବା ପରେ କାହା ସ୍ୱାର୍ଥରେ ସେଠାରେ କାର୍ଯ୍ୟ ବନ୍ଦ କରାଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଉଛି । ଐତିହାସିକ ସ୍ଥଳକୁ ରାତାରାତି ପ୍ରପ୍ରଟି ଡିଲିଙ୍ଗ କରି ବିକ୍ରି କରିବାର ଉଦେ୍ଧଶ୍ୟ କ’ଣ? ୧୧୫ ବର୍ଷର ଧର୍ମଶାଳାକୁ  ପ୍ଲଟିଙ୍ଗ କରି ଏଯାବତ୍ ୬ ଜଣ ଲୋକଙ୍କୁ ବିକା ସରିଲାଣି । ବହୁ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ବଗଲା ଧର୍ମଶାଳା ଆସି ନିଜ ନିଜର ପ୍ଲଟ ଚିହ୍ନଟ କରୁଛନ୍ତି ବୋଲି ପୁରୀ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟସରକାର ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ପୁରୀରେ ପ୍ଲଟ ଦେବା ପାଇଁ  ବଗଲା ଧର୍ମଶାଳାକୁ ଷଡଯନ୍ତ୍ର କରି ବିକ୍ରି କରାଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି । 

ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଗତ ବର୍ଷ ହାଇକୋର୍ଟ ଏନେଇ ସରକାରଙ୍କୁ ଜବାବତଲବ କରିବା ପରେ ରାଜ୍ୟସରକାର କୌଣସି ଉତର ରଖିନାହାଁନ୍ତି । ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତବ୍ୟ ଅପରାଧ । ପୁରୀ ଏକ ତୀର୍ଥସ୍ଥଳ ହୋଇଥିବାରୁ ୬୦ ହଜାର ଭକ୍ତ ରହିବା ପାଇଁ ବ୍ୟବସ୍ଥା କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟସରକାର ଏହା ନକରି ଯେଉଁ ଗୋଟିଏ ଧର୍ମଶାଳା ଥିଲା ତାକୁ ଭାଙ୍ଗି ବିକିବା ଆରମ୍ଭ କରିଛନ୍ତି । 

ତୁରନ୍ତ ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ । ଏହା ସହ କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରିବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ରାଜ୍ୟ ମୁଖାପତ୍ର ଠାକୁର ରଂଜିତ ଦାସ ଏବଂ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault