ହେଡଲାଇନସ୍:

"ପଶ୍ଚିମ ଓଡିଶା ପାଇଁ ବୈମାତୃକ ମନୋଭାବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ରୋଗୀଙ୍କ ଚିକିତ୍ସା ଓ ପରିଚାଳନାରେ ପଶ୍ଚିମ ଓଡିଶାକୁ ଅବହେଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଦାବୀ ପତ୍ର ଦେଲା ବିଜେପି

 ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ପରିଚାଳନାରୁ ନିବୃତ ରହୁଛନ୍ତି

 ବୁର୍ଲା ମେଡିକାଲ୍ ଅନ୍ୟ ଜିଲ୍ଲାର ଲୋକମାନଙ୍କ ସାମ୍ପଲ୍ ଗ୍ରହଣ କରୁନାହିଁ

 ସନ୍ଦିଗ୍ଧ କରୋନା ରୋଗୀଙ୍କୁ ବୁର୍ଲା ମେଡିକାଲ୍ ଗ୍ରହଣ କରୁନାହିଁ

 କରୋନା ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ସ୍ୱାବକୁ ସିଧାସଳଖ ଭୁବନେଶ୍ୱରକୁ ପଠାଇ ଦିଆଯାଉଛି

ସମ୍ବଲପୁର/ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ସବୁ ସ୍ଥାନରେ କରୋନା ପରିଚାଳନାକୁ ଗୁରୁତ୍ୱ ଦେବା ତଥା କରୋନା ରୋଗୀଙ୍କ ଚିକିତ୍ସା ଏବଂ କୋଭିଡ୍ ହସ୍ପିଟାଲକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମରେ କରୋନା ପରିଚାଳନାକୁ ସାମିଲ କରିଛନ୍ତି । ମାତ୍ର ପଶ୍ଚିମ ଓଡିଶାରେ କୋଭିଡ୍ ପରିଚାଳନାର ବୀପରିତ ଦିଗ ପରିଲକ୍ଷିତ ହୋଇଛି । ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ଓ କରୋନା ପରିଚାଳନା ଦିଗରେ ବ୍ୟାପକ ଅବହେଳା କରାଯାଇଛି ।ଖୋଦ୍ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ପାଇଁ ବୈମାତୃକ ମନୋଭାବ ଦେଖାଉଛନ୍ତି । ଏହାର ପ୍ରତିବାଦରେ ପୂର୍ବତନମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବୀ ପତ୍ର ଉତରାଚଂଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ପରିଚାଳନାରୁ ନିବୃତ ରହୁଛନ୍ତି । ଗଞ୍ଜାମରେ ଅଧିକରୁ ଅଧିକ ଡାକ୍ତର ମାନଙ୍କୁ ନିଯୁକ୍ତ କରାଯାଉଥିବା ବେଳେ ପଶ୍ଚିମ ଓଡିଶାର ଜିଲ୍ଲା ହସ୍ପିଟାଲ ମାନଙ୍କରେ ଡାକ୍ତର ମାନଙ୍କୁ ଖାଲି କରି ଦିଆଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର ଆଇସିୟୁରେ ୩୦ଟି ବେଡ୍ କାର୍ଯ୍ୟକ୍ଷମ ହୋଇନଥିବା ଦେଖାଯାଇଛି । ରୋଗୀ ମାନଙ୍କୁ ଭୁବନେଶ୍ୱର ଏବଂ କଟକକୁ ସ୍ଥାନାନ୍ତର କରାଯାଉଛି ।

ବୁର୍ଲା ମେଡିକାଲ କଲେଜର କର୍ମଚାରୀମାନେ ସମ୍ବଲପୁର କୋଭିଡ୍ ହସ୍ପିଟାଲକୁ ପରିଚାଳନା କରିବେ ବୋଲି ନିଷ୍ପତି ହୋଇଥିଲେ ହେଁ ସ୍ଥାନୀୟ ରୋଗୀଙ୍କୁ ଅନ୍ୟ ଜିଲ୍ଲା ଗୁଡିକର ହସ୍ପିଟାଲକୁ ପଠାଇ ଦିଆଯାଉଛି । କରୋନା ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ସ୍ୱାବକୁ ସିଧାସଳଖ ଭୁବନେଶ୍ୱରକୁ ପଠାଇ ଦିଆଯାଉଥିବା କାରଣରୁ ଅଯଥା ରିପୋର୍ଟ ଆସିବାରେ ବିଳମ୍ବ ପରିଲକ୍ଷିତ ହେଉଛି । ଅର୍ଥାତ୍ ସମ୍ଭାବ୍ୟ କରୋନା ପଜେଟିଭ୍ ବାହରିଥିବା ଲୋକଙ୍କୁ ହସ୍ପିଟାଲ୍ ନେବା ପର୍ଯ୍ୟନ୍ତ ସେ ଗାଁରେ ବୁଲାବୁଲି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ କରିବାର ସମସ୍ୟା ଦେଖାଯାଇଛି ।

ଅପରପକ୍ଷରେ ବୁର୍ଲା ମେଡିକାଲ୍ ଅନ୍ୟ ଜିଲ୍ଲାର ଲୋକମାନଙ୍କ ସାମ୍ପଲ୍ ଗ୍ରହଣ କରୁନାହିଁ । ବିଭାଗୀୟ କର୍ତୃପକ୍ଷ କେବଳ ସମ୍ବଲପୁରବାସୀଙ୍କ ପରୀକ୍ଷା ହୋଇପାରିବ ବୋଲି କହୁଛନ୍ତି । ସନ୍ଦିଗ୍ଧ କରୋନା ରୋଗୀଙ୍କୁ ମଧ୍ୟ ବୁର୍ଲା ମେଡିକାଲ୍ ଗ୍ରହଣ କରୁନାହିଁ । ସେମାନେ ସିଧାସିଧା ଲୋକଙ୍କୁ ମନା କରିବା ସହ ପଳାଇ ଯିବାକୁ କହୁଛନ୍ତି ।

ଏବେ ଏହି ରୋଗର ନୂଆ ଲକ୍ଷଣ କାର୍ଡିଆକ୍ ଏବଂ ନ୍ୟୁରୋ ଆରେଷ୍ଟ୍ ରିପୋର୍ଟ କରାଯାଇଥିବା ବେଳେ ଏହି ସମ୍ପର୍କିତ ରୋଗୀଙ୍କ ପାଇଁ ପଶ୍ଚିମ ଓଡିଶାର କୌଣସି ହସ୍ପିଟାଲରେ ବ୍ୟବସ୍ଥା ନାହିଁ । କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ କୌଣସି ବି ଡାକ୍ତର ଇଚ୍ଛାପ୍ରକାଶ କରୁନାହାନ୍ତି ଏବଂ ଏହି କାମ ବେସରକାରୀ ସଂସ୍ଥାର ବୋଲି କହୁଛନ୍ତି । ଇତିମଧ୍ୟରେ ବୁର୍ଲା ଭିମସାର୍ ମେଡିକାଲକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ମେଡିକାଲର ଓପିଡି ଏବଂ ସର୍ଜରିକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ବେଳେ କିଛି ଜରୁରୀକାଳୀନ ଚିକିତ୍ସାକୁ ଅନୁମତି ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପଶ୍ଚିମ ଓଡିଶାର ଲୋକଙ୍କୁ ବଡ ଚିନ୍ତାରେ ପକାଇଛି । ଡାକ୍ତର ସୁବିଧା ଓ ଅନ୍ୟାନ୍ୟ କୋଭିଡ୍ ପରିଚାଳନା ଏବଂ ହସ୍ପିଟାଲର ଆନୁଷଙ୍ଗୀକ ବ୍ୟବସ୍ଥା ନଥିବାରୁ ଖୁବ୍ ଶୀଘ୍ର ଏଠାରେ କରୋନା ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଏ ସମ୍ବନ୍ଧରେ ବିଚାର କରି ବିହିତ ପଦକ୍ଷେପ ନେବା ସହ ପଶ୍ଚିମ ଓଡିଶାବାସୀଙ୍କ ଚିନ୍ତାକୁ ଦୂର କରିବାକୁ ପ୍ରତିନିଧୀ ଦଳ ଦାବୀ କରିଛି ।

ଏହି ପ୍ରତିନିଧୀ ଦଳରେ ବିଧାୟକ ନାଉରୀ ନାୟକ, କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ, ସୁବାଷ ପାଣିଗ୍ରାହୀ, ରାଜ୍ୟ ସଂପାଦକ ସୀମାଚଂଳ ଖଟେଇ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ମାନସ ରଂଜନ ବକ୍ସି, ସମୀର ରଂଜନ ବାବୁ, ଅନ୍ନପୂର୍ଣ୍ଣା ବାରିକ, ଶିବ ଦିୱାନ, ଗୋପାଳ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault