ହେଡଲାଇନସ୍:

ଜଗତସିଂହପୁର ପ୍ରବାସୀ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ବିଜେପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ:ବିଜେପି

ଭୁବନେଶ୍ୱର,(ଶାସକ ପ୍ରଶାସକ) :ଜଗତସିଂହପୁର ମୁଖ୍ୟ ହସ୍ପିଟାଲରେ ଏକ ଅମାନବୀୟ ଘଟଣା ଘଟିଛି । ଡାକ୍ତରଙ୍କ ଅବହେଳା କାରଣରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଟିଜଙ୍ଗୀ ଗାଁର ଏକ ଦଂପତିଙ୍କ ଜୀବନ ଚାଲିଯାଇଛି । ଗତ ଜୁନ୍ ୩୦ ତାରିଖ ଦିନ ନିଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସ୍ୱାଇଁତେଲେଙ୍ଗାନାରୁ ଫେରି କ୍ୱାରେଂଟାଇନ ସେଂଟରରେ ଥିଲେ । ଜୁଲାଇ ୧ ତାରିଖରେ ହଠାତ୍ ନିଲିପ୍ତ ଭୋଳଙ୍କ ଦେହ ଖରାପ ହେବା ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ପରଦିନ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସମୟରେ ତାଙ୍କ ପତ୍ନୀ ମେଡିକାଲ ଡୁ୍ୟଟିରେ ଥିବା ସିଡିଏମଓ ବିଜୟ ପଣ୍ଡା ଏବଂ ଡା. ଅଜୟ ସ୍ୱାଇଁଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ଗୁରୁତର ହୋଇଥିବା ନିଲିପ୍ତଙ୍କୁ ଚିକିତ୍ସା କରିନଥିଲେ । ଚିକିତ୍ସା ଅଭାବରୁ ଦୀର୍ଘ ୧୪ ଘଂଟା ୩୦ ମିନିଟ ପରେ ନିଲିପ୍ତଙ୍କ ମୃତୁ୍ୟ ହୋଇଥିଲା । ଏହି ଘଟଣାରେ ମିୟମ୍ରାଣ ହୋଇ ତାଙ୍କ ପତ୍ନୀ ସେହି ମେଡିକାଲରେ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟିପକାଇଥିଲେ । ମେଡିକାଲର ଷ୍ଟାଫ ଏହି ଘଟଣା ଦେଖିବା ପରେ ବି କେହି ତାଙ୍କୁ ଉଦ୍ଧାର କରିନିଥିଲେ ।  ପରେ ସେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରଶାସନିକ ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ଦୁଇଟି ଅମୂଲ୍ୟ ନିରୀହ ଜୀବନ ଚାଲିଗଲା । ଏହି ଘଟଣାକୁ ଏକ ସପ୍ତାହରୁ ଉଦ୍ଧ୍ୱର୍ ବିତିଲା ପରେ ବି ପୋଲିସ ଅପରାଧୀଙ୍କୁ ଧରିନାହିଁ କି କୌଣସି ତଦନ୍ତ କରୁନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାସଂଦ ବିଭୁ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣାରେ ସଂପୃକ୍ତି ଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି । 

କୋଭିଡ ମହାମାରୀ ସମୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏପରି ଅମାନବୀୟ ଘଟଣା ଘଟିଚାଲିଛି । ରାଜ୍ୟସରକାର ସ୍ୱାସ୍ଥ୍ୟସେବା ପାଇଁ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କିପରି ଚାଲିଛି ଏ ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାରେ ହସ୍ତକ୍ଷେପ କରି ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକ ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ।  ଏହି ପ୍ରତିନିଧୀ ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଦେବବ୍ରତ ଦାସ, ସଂଜୟ ମହାନ୍ତି ଏବଂ ମୋହିତ ମହାନ୍ତି ପ୍ରମୁଖ ସାମିଲ ଥିଲେ । 

 

0
0
0
s2sdefault