ହେଡଲାଇନସ୍:

କୋଭିଡ୍‌ ମୁକାବିଲା : ଦଳର ବିଧାୟକମାନଙ୍କୁ ୮ ସୂତ୍ରୀ ଗୁରୁମନ୍ତ୍ର ଦେଲେ ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କୋଭିଡ଼ ବିରୋଧୀ ଲଢେଇରେ ସ୍ବେଛାସେବୀ ଭଳି କାମ କରିବାକୁ ହେବ 

  • ଆପଣ କୋଭିଡ ଗାଇଡ୍‌ ଲାଇନ୍ସ ପାଳନ କରି ଆମର କର୍ମୀ ଓ ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ। 

ଭୁବନେଶ୍ୱର : "ବର୍ତ୍ତମାନ ମାନବ ଜାତି ଏକ ଅଭୂତପୂର୍ବ ସଂକଟ ମଧ୍ୟ ଦେଇ ଗତି କରୁଛି। ଏହି ସଂକଟକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ମହାପ୍ରଭୁ ଆମକୁ ଆଶିର୍ବାଦ ଦିଅନ୍ତୁ । ଏତିକି ପ୍ରାର୍ଥନା । ମହାପ୍ରଭୁଙ୍କ ଆଶୀର୍ବାଦ, ଜନସାଧାରଣଙ୍କ ସହଯୋଗ, ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ମାନଙ୍କ କଠିନ ପରିଶ୍ରମ ଯୋଗୁ ଆମ ରାଜ୍ୟ ଓଡିଶା କୋଭିଡ ଯୁଦ୍ଧରେ ଅନ୍ୟ ମାନଙ୍କ ଠାରୁ ଭଲ ସ୍ଥିତିରେ ଅଛି । ସାରା ଦେଶରେ ଓଡିଶାର ସୁସ୍ଥତା ହାର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ । ସେହିପରି ମୃତ୍ୟୁହାର ମଧ୍ୟ ସବୁଠାରୁ କମ୍‌ ଅଛି। ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ଏବଂ ବର୍ତ୍ତମାନ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ। ଲକ୍‌ଡାଉନ୍‌ ପରେ ପ୍ରାୟ ୭ ଲକ୍ଷ ଲୋକ ଓଡିଶା ଫେରିଛନ୍ତି। TMC ପରି ଆମର ନୂଆ ଚିନ୍ତାଧାରା କରୋନା ଯୁଦ୍ଧରେ ଆମକୁ ବହୁତ ସାହାଯ୍ୟ କରିଛି ଏବଂ ଆମେ ପରିସ୍ଥିତିକୁ ଠିକ୍‌ ଭାବରେ ମୁକାବିଲା କରିପାରିଛୁ " ବୋଲି  ଆଜି  ବିଜୁ ଜନତା ଦଳର ବିଧାୟକ ମାନଙ୍କ ସହ ଆଲୋଚକ କରିବା ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | 

ମୁଖ୍ୟମନ୍ତ୍ରୀ ଏଅବସରରେ କହିଥିଲେ " ଆପଣ ଜାଣନ୍ତି, ଓଡିଶା ଫେରିଥିବା ପ୍ରବାସୀ ମାନଙ୍କର ଟ୍ରେନ ଭଡା ଏବଂ ସଫଳ ଭାବରେ quarantine ଶେଷ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦୦୦ ଟଙ୍କା ଲେଖାଏ ଦିଆଯାଇଛି। ଏହାସହିତ TMCରେ ୧୪ ଦିନ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ମାଗଣାରେ ଯୋଗାଇ ଦିଆଯାଇଛି। ଦେଶର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଓଡିଶା ହେଉଛି ଅନ୍ୟତମ ରାଜ୍ୟ, ଯିଏ କି Covid Careର ସମସ୍ତ ଖର୍ଚ୍ଚ ଯଥା – ପରୀକ୍ଷା, ଡାକ୍ତରଖାନାରେ ରହିବା, ଚିକିତ୍ସା ଖର୍ଚ୍ଚ, ଔଷଧ  ଖର୍ଚ୍ଚ ଓ ଯିବାଆସିବା ଖର୍ଚ୍ଚ ଆଦି ସବୁକିଛି ରାଜ୍ୟ ସରକାର ବହନ କରିଛନ୍ତି। ଏହି ସୁବିଧା ରାଜ୍ୟର ସବୁ ଜନସାଧାରଣ – ସିଏ ବି.ପି.ଏଲ୍‌ ହୁଅନ୍ତୁ, ବା ଏ.ପି.ଏଲ୍, ଧନୀ ହୁଅନ୍ତୁ ବା ଗରିବ, ଗାଁରେ ରୁହନ୍ତୁ ବା ସହରରେ – କୋଭିଡ ରୋଗରେ ପୀଡିତ ଭାଇଭଉଣୀ ମାନଙ୍କୁ ସମସ୍ତଙ୍କୁ, ମାଗଣା ଚିକିତ୍ସା ସୁବିଧା ଆମେ ଯୋଗାଇ ଦେଇଛୁ।

ଏହାବ୍ୟତୀତ ସରକାର ସାମାଜିକ ଓ ଖାଦ୍ୟ ନିରାପତ୍ତା ପାଇଁ   ୪ ମାସର ration ଆଗୁଆ ଦେବା ସହିତ ବିଭିନ୍ନ ଭତ୍ତା ମଧ୍ୟ ଆଗୁଆ ପ୍ରଦାନ କରିଛନ୍ତି। ମିଶନ ଶକ୍ତିର ମା ମାନେ ଗରିବ ଲୋକ ମାନଙ୍କୁ, ଅସୁବିଧାରେ ଥିବା ଲୋକମାନଙ୍କୁ ଏହି ସମୟ ମଧ୍ୟରେ ୨.୫ କୋଟି ମିଲ୍‌ ଯୋଗାଇ ଦେଇଛନ୍ତି। କୋଭିଡ ହସ୍‌ପିଟାଲ ସ୍ଥାପନ କରିବା ଠାରୁ ଆରମ୍ଭ କରି ଚିକିତ୍ସା ଉପକରଣର ବ୍ୟବସ୍ଥା କରିବା, ଲୋକମାନଙ୍କୁ ତାଲିମ ଦେବା ଆଦି ସବୁ କାମ ଆମେ ରେକର୍ଡ ସମୟରେ କରିପାରିଛୁ। ସେ ଲକ୍‌ଡାଉନ୍‌ ହେଉ ବା ସଟ୍‌ଡାଉନ୍‌, ଆମେ ସବୁବେଳେ ବୈଜ୍ଞାନିକ ଆଭିମୁଖ୍ୟ ନେଇ କାମ କରିଛୁ। ଆମର ରଣନୀତି ସବୁବେଳେ ଗୋଷ୍ଠୀ ଉପରେ ଫୋକ୍‌ସ କରିଛି ଏବଂ advanced technology ଦ୍ବାରା ତଦାରଖ ମଧ୍ୟ କରାଯାଉଛି।

ଏହାସହିତ ଆମର ସଶକ୍ତ ସଚେତନ ସରପଞ୍ଚ ଏବଂ ଅନୁଷ୍ଠାନ, ଆମର କୋଭିଡ ଯୋଦ୍ଧା ମାନଙ୍କର ଉତ୍ସର୍ଗୀକୃତ କଠିନ ପରିଶ୍ରମ ଏବଂ ସର୍ବୋପରି ଆମର ସାଢେ ଚାରି କୋଟି ଓଡିଆଙ୍କ ତ୍ୟାଗ ଆଜି କୋଭିଡ ରୋଗ ପରିଚାଳନାରେ ଓଡିଶାକୁ ଏକ ଆଦର୍ଶ ରାଜ୍ୟ କରିପାରିଛି। ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। ତେଣୁ ଆମକୁ ଆହୁରି ଅଧିକ କାମ କରିବାକୁ ହେବ। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ପ୍ରତିଦିନ ୧୦ ହଜାର ଲୋକ ବିଭିନ୍ନ ହଟ୍‌ସ୍ପଟ୍‌ ନଗର ମାନଙ୍କରୁ ଓଡିଶା ଆସୁଛନ୍ତି। ଆମର ତଦାରଖ ବ୍ୟବସ୍ଥାକୁ ଆହୁରି ବିକେନ୍ଦ୍ରୀକରଣ କରି ward level ପର୍ଯ୍ୟନ୍ତ ପହଞ୍ଚି ପାରିଛୁ।" 

ଏଅବସାରରେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଥିଲେ ଯେ, "ଆପଣମାନେ ସମସ୍ତେ ଆପଣଙ୍କ ଅଞ୍ଚଳର ନେତୃତ୍ବ ନେଉଛନ୍ତି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଆପଣ ମାନଙ୍କ ବିଶେଷ ଖାତିର ରହିଛି। ଏହି ସଂକଟ ସମୟରେ ଲୋକମାନେ ଆପଣ ମାନଙ୍କ ଠାରୁ ଅନେକ କିଛି ଆଶା ରଖନ୍ତି। ବିଧାୟକ ଭାବରେ ଆପଣ, ଆପଣଙ୍କ ଅଞ୍ଚଳରେ ଅନେକ ବିକାଶ କାମ କରିଥାଇ ପାରନ୍ତି। କିନ୍ତୁ, ଏ କରୋନା ମହାମାରୀ ଆପଣଙ୍କ ସାଧାରଣ ଜୀବନରେ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ଭାବରେ ଦେଖାଦେଇଛି। ଲୋକଙ୍କ ଜୀବନ ଓ ମୃତ୍ୟୁ ସହିତ ଏ ଆହ୍ବାନ ରହିଛି। ଏହି ମହାମାରୀ ଲୋକଙ୍କ ସେବା କରିବା ପାଇଁ ତଥା ସେମାନଙ୍କ ଜୀବନକୁ ନିରାପଦ କରିବା ପାଇଁ ଆଗ ଅପେକ୍ଷା ଆପଣଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି ।"

(୧) ବିଜେଡି ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦରକାର।

(୨) ପ୍ରତି ଗାଁରେ ଥିବା ଆମ ଦଳର ସବୁ କର୍ମୀମାନେ କୋଭିଡ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ volunteer ଭାବରେ କାର୍ଯ୍ୟ କରିବା ଦରକାର।

(୩) ବୟସ୍କ ଲୋକଙ୍କ ପାଇଁ ଏହି ସମୟରେ ଅଧିକ ବିପଦ ରହିଛି। ତେଣୁ ଆମେ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଦରକାର।

(୪) ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ଲୋକଙ୍କୁ ଅଧିକ ସଚେତନ କରନ୍ତୁ।

(୫) ଗହଳିକୁ ଯିବା ନାହିଁ କିମ୍ବା ଗହଳି କରିବା ନାହିଁ । କିନ୍ତୁ ଲୋକଙ୍କ ସହ ଯୋଡି ହେବା ପାଇଁ ଆମେ ଟେକ୍‌ନୋଲୋଜିର ବ୍ୟବହାର କରିବା ଦରକାର।

(୬) ୱାର୍ଡ ସ୍ତରରେ ଗଢାଯାଇଥିବା ୫୦ ହଜାର କୋଭିଡ କେୟାର କମିଟି ଗୁଡିକୁ Chief Minister’s Relief Fundରୁ ୧୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯାଇଛି।

(୭) ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ରହିବ। ଏଥିପାଇଁ ୫୦ ହଜାର ଟଙ୍କା ମଂଜୁର କରାଯାଇଛି ।

(୮) ଜୀବନଜୀବିକା ଏବଂ ଦକ୍ଷତା ବିକାଶ  କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ହେବ।

ଏହିଁ ଆଠଟି କଥା ଉପରେ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି କହିଥିଲେ ଯେ " ଯୁଦ୍ଧରେ ଆପଣମାନଙ୍କର ବଡ ଭୂମିକା ରହିଛି। ଆପଣଙ୍କ ନେତୃତ୍ବ ଉପରେ ଲୋକଙ୍କର ଭରସା ଓ ବିଶ୍ବାସ ରହିଛି । ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ move, ପ୍ରତ୍ୟେକ ପଦକ୍ଷେପରେ ଆପଣ କୋଭିଡ ଗାଇଡ୍‌ ଲାଇନ୍ସ ପାଳନ କରି ଆମର କର୍ମୀ ମାନଙ୍କୁ ପ୍ରେରଣା ଦିଅନ୍ତୁ। ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ। ଏ ସଂକଟ ସମୟରେ ସେମାନେ ଯେପରି ନିଜର ଓ ନିଜ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ, ସେଥିପାଇଁ ପ୍ରେରଣା ଦିଅନ୍ତୁ।" 

 

0
0
0
s2sdefault