ହେଡଲାଇନସ୍:

ମୋଦି ସରକାରଙ୍କ ଦ୍ୱିତୀୟ ପାଳି:  ବିକାଶର ବର୍ଷିକିଆ ରିପୋର୍ଟ କାର୍ଡ ରଖିଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଶାସକ ପ୍ରଶାସକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କଥାରେ ନୁହେଁ ବରଂ ସର୍ବଦା କାର୍ଯ୍ୟରେ କରି ଦେଖାଇ ଥାଏ ବୋଲି  କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦମ୍ଭର ସହ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳି ଶାସନର ପ୍ରଥମବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଯୋଗଦେଇ ସରକାରଙ୍କ ସଫଳତା ସାଙ୍ଗକୁ ଏହି ଗୋଟିଏ ବର୍ଷ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସମେତ ଓଡ଼ିଶାର ବିକାଶରେ କେନ୍ଦ୍ରର ସହଯୋଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଦେଶ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଅନ୍ୟ ସରକାର ଯାହା କରିପାରି ନଥିବା ବେଳେ ଏକମାତ୍ର ବାସ୍ତବବାଦୀ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୫ ବର୍ଷ ମଧ୍ୟରେ କରି ଦେଖାଇ ପାରିଛନ୍ତି ବୋଲି ସେ କହିଥିଲେ । ରାଜ୍ୟ ସରକାର ମାଗିବା ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଚାଲିଥିବା ବେଳେ ଗତ ଅମ୍ଫାନ୍ ବାତ୍ୟା କ୍ଷୟକ୍ଷତି ପରିଦର୍ଶନ କରିବାକୁ ଆସି ପୁନର୍ବସତି କାର୍ଯ୍ୟ ଆରମ୍ଭ ପାଇଁ ମାତ୍ର୨୪ ଘଣ୍ଟା ମଧ୍ୟରେ ୫ଶହ କୋଟି ଅଗ୍ରୀମ ଆକାରରେ ପ୍ରଦାନ କରିବା ହିଁ ତାର ପ୍ରମାଣ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ପୂର୍ବ ସରକାରଙ୍କ ସମୟରେ ଓଡ଼ିଶାର ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ବାବଦରେ  ଅନୁଦାନ ମାଗିଥିବା ବେଳେ ତାଙ୍କଠାରୁ  ‘ଟଙ୍କା ଗଛରେ ଫଳୁନାହିଁ’ ବୋଲି ଶୁଣିବାକୁ ପଡ଼ିଥିଲା । ମାତ୍ର ଏବେ ସମୟ ବଦଳିବା ସାଙ୍ଗକୁ  ବଦଳିଛି କେନ୍ଦ୍ରୀୟ ନେତାଙ୍କ ମାନସିକତା । ପୂର୍ବ ଭାରାତର ବିକାଶ ଓଡ଼ିଶାକୁ ସରକାର ଫୋକସ କରୁଥିବା ବେଳେ ସାଧାରଣ ବଜେଟ୍ ହେଉ କିମ୍ବା ରେଳ ବଜେଟ, ପ୍ରତିଟି କ୍ଷେତ୍ରରେ ରାଜ୍ୟକୁ ପ୍ରାଧାନ୍ୟ ସହ ହଜାର ହଜାର କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ଅନୁରୂପ ଭାବେ ବାଲେଶ୍ୱର ଜିଲ୍ଲାବାସୀଙ୍କ ବିପୁଳ ସମର୍ଥନରୁ ସଂସଦରେ ପ୍ରତିନିଧିତ୍ୱର ସୁଯୋଗ ପାଇବା ସହ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିବା କାରଣରୁ ଶ୍ରୀ ଷଡ଼ଙ୍ଗୀ ଏହି ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଏକବର୍ଷର କ୍ଷମତା ମଧ୍ୟରେ ସେ ଜିଲ୍ଲା ସମେତ ରାଜ୍ୟର ବିକାଶ ପାଇଁ ବହୁବିଧ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ । ବିଶେଷ କରି ରାସଗୋବିନ୍ଦୁର ବିମାନ ବନ୍ଦର କାର୍ଯ୍ୟକ୍ଷମ କରିବା ଦିଗରେ ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରୀଙ୍କ ଆଲୋଚନା କରାଯିବା, ଶେରଗଡ଼ରୁ  ଝରଣାଘାଟୀ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଅନୁମୋଦନ, ବାରିପଦାରୁ ପୁରୀକୁ ଟ୍ରେନ ଚଳାଚଳ, ବାଲେଶ୍ୱର ରେଳ ଷ୍ଟେସନର ଉନ୍ନତୀକରଣ, ଚାନ୍ଦିପୁର ଓ ତାଳସାରୀ ଭଳି ପର୍ଯ୍ୟଟନ କ୍ଷେତ୍ର ସାଙ୍ଗକୁ ଜିଲ୍ଲାର ପ୍ରମୁଖ ଧାର୍ମୀୟସ୍ଥଳର ବିକାଶ ପାଇଁ ଅନୁଦାନ ମଞ୍ଜୁରୀ, ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁସ ହସପିଟାଲ ପ୍ରତିଷ୍ଠା ପାଇଁ ବିଭାଗୀୟ ମନ୍ତ୍ରାଳୟ ସହ ଆଲୋଚନା ଶେଷ ହୋଇଥିବା ବେଳେ ଜିଲ୍ଲାପାଳ ଜମି ଯୋଗାଇବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ବାଲେଶ୍ୱରରୁ ନୀଳଗିରିକୁ ପାସେଞ୍ଜର ଟ୍ରେନ୍ ଚାଲିବା, ନୀଳଗିରିରେ ବନ୍ଦ ରହିଥିବା ସ୍ଲିପର କାରଖାନାକୁ କାର୍ଯ୍ୟକ୍ଷମ କରିବା, ଚାନ୍ଦିପୁର ଓ ବାହାବଳପୁରରେ ଦୁଇଗୋଟି ଫିସିଂ ହାର୍ବର ପ୍ରତିଷ୍ଠା ପ୍ରଭୃତି ସମେତ ଜିଲ୍ଲାର ଅନ୍ୟାନ୍ୟ ବହୁ ଲୋକାଭିମୁଖୀ ପ୍ରକଳ୍ପ ପ୍ରତିଷ୍ଠା  ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦ ଲାଭ ସହ କେତକ ପ୍ରକଳ୍ପ ପାଇଁ ଅନୁଦାନ ବି ମଞ୍ଜୁର ହୋଇପାରିଛି । ଏଥି ସହିତ ଆଗାମୀ ଦିନରେ ବାଲେଶ୍ୱରର ସାମଗ୍ରୀକ ବିକାଶ ସାଙ୍ଗକୁ ବେକାରୀଙ୍କ ନିଯୁକ୍ତି ଦିଗରେ ବହୁ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ବିଶେଷ କରି କୋଷ୍ଟ କେନାଲର ପୁନରୁଦ୍ଧାର, ବାଲିଆପାଳ ସୂତାକଳ ସମେତ ଏମଏସଏମଇ ମାଧ୍ୟମରେ ଜିଲ୍ଲାରେ ବନ୍ଦ ହୋଇ ରହିଥିବା ଶିଳ୍ପାନୁଷ୍ଠାନର ପୁନଃ କାର୍ଯ୍ୟକ୍ଷମ ପାଇଁ ଯୋଜନା ରହିଥିବା ସେ କହିଥିଲେ । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ସୂଚନା ଦେଇଥିଲେ । ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡା, ବିଜେପି ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ରାକେଶ ମଲ୍ଲିକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

0
0
0
s2sdefault