ପୂର୍ବତନ ଜିଲ୍ଲାପାଳ ରାଜେଶ ପାଟିଲଙ୍କ ପ୍ରୋଜେକ୍ଟ ଛାଉଣୀ ମୟୂରଭଞ୍ଜ ଛଉ ନିମନ୍ତେ ସର୍ବଶ୍ରେଷ୍ଠ ଅବଦାନ
ଓଡିଶା କଳା ସଂସ୍କୃତିର ଅନ୍ୟତମ ଦୁର୍ମୁଲ୍ୟ ବିଭବ ହେଉଛି ମୟୁରଭଞ୍ଜ ଛଉ ନୃତ୍ୟ | ମୟୁରଭଞ୍ଜ ରାଜା ପରିବାରର ପ୍ରୋତ୍ସାହନରେ ବିଭିନ୍ନ ପର୍ଯ୍ୟାୟ ଦେଇ ଲୋକ ପ୍ରସିଦ୍ଧିର ସୋପାନରେ ପହଂଚି ପାରିଛି ଏହି ଛଉ ନୃତ୍ୟ | ଅନେକ ଗୁରୁଙ୍କ ମାର୍ଗଦର୍ଶନ ଆଉ କଳାକାରଙ୍କ ନିଷ୍ଠା ରେ ଏହା ନୃତ୍ୟ ଶୈଳୀ ହୋଇଛି ରୁଦ୍ଧିମନ୍ତ | ହେଲେ ଏହା ନିଃସନ୍ଦେହ ଯେ ମୟୁରଭଞ୍ଜ ଛଉର ପ୍ରଚାର ପ୍ରସାର ପାଇଁ ରାଜା ପରିବାର ପରେ ଯଦି କେହି ଆନ୍ତରିକ ଉଦ୍ୟମ କରିଛନ୍ତି ବା ପ୍ରୋତ୍ସାହନ ଯୋଗାଇଛନ୍ତି ବା ଡକୁମେଣ୍ଟେସନ ପାଇଁ ହୃଦୟର ସହ କାମ କରିଛନ୍ତି ସେ ହେଉଛନ୍ତି ମୟୁରଭଞ୍ଜର ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ | ତାଙ୍କ ମାନସପୁତ୍ର "ପ୍ରୋଜେକ୍ଟ ଛାଉଣୀ" ନିଶ୍ଚିତ ଭାବେ ଏବେ ମୟୁରଭଞ୍ଜ ଛଉକୁ କରିଛି ବ୍ୟବସ୍ଥିତ | ଆଜି ସେଇ ଛଉ ଆଉ " ଛାଉଣୀ" ସମ୍ପର୍କରେ ଦିଲ୍ଲୀପ ମହାନ୍ତିଙ୍କ ଏକ ପ୍ରତିବେଦନ
ବିଶ୍ୱ ସଂସ୍କୃତିକୁ କୋଣାର୍କର କଳା ସ୍ଥାପତ୍ୟ ଯେପରି ଏକ ମହତତ୍ତ୍ୱପୂର୍ଣ୍ଣ ଅବଦାନ, ସେହିପରି ଭାରତୀୟ ସଂସ୍କୃତି ପ୍ରତି ମୟୂରଭଞ୍ଜର ଛଉନୃତ୍ୟ ଏକ ମହନୀୟ ଅବଦାନ ରୂପେ ସ୍ୱୀକୃତ । ମୟୂରଭଞ୍ଜର ଛଉନୃତ୍ୟର ଉତ୍ପତ୍ତିକୁ କେନ୍ଦ୍ର କରି ପଣ୍ଡିତମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଥିବା ବେଳେ ସୈନ୍ୟବାହିନୀ ରଣାଙ୍ଗନରେ ନ ଥିବା ସମୟରେ ଅବସର ବିନୋଦନ ଉଦେ୍ଧଶ୍ୟରେ ଆଖଡ଼ା ଆୟୋଜନ ହେଉଥିଲା । ତହିଁରୁ ଛଉନୃତ୍ୟର ଉତ୍ପତ୍ତି ବୋଲି କୁହାଯାଏ । ଏଥି ସହିତ ଛଉକୁ ଛାଉଣୀ ବା ଉବଦ୍ଭଗ୍ଧକ୍ଟଦ୍ଭଜ୍ଞରଦ୍ଭଗ୍ଧ ସହିତ ସଂପୃକ୍ତ କରାଯାଏ । ଯୁଦ୍ଧ ସହିତସଂପୃକ୍ତ ଥାଇ ଯେଉଁ ଲୋକନୃତ୍ୟର ଉତ୍ପତ୍ତି ତାହା ଆଜି ଛଉ ନାମରେ ପରିଚିତ । ମୟୂରଭଞ୍ଜ ଜିଲ୍ଲାରେ ଛଉନୃତ୍ୟ ଚୈତ୍ରପର୍ବର ମୁଖ୍ୟ ଆକର୍ଷଣ ।
ମୟୂରଭଞ୍ଜ ଛଉନୃତ୍ୟ ପରମ୍ପରା ବିଗତ ଦୁଇ ଶତାବ୍ଦୀର ଇତିହାସରେ ସମୃଦ୍ଧ । ଛଉନୃତ୍ୟର ବିକାଶ ଦିଗରେ ରାଜପରିବାରର ଭୂମିକା ଅତି ମହତ୍ୱପୂର୍ଣ୍ଣ । ପ୍ରଥମେ ରାଜାଙ୍କ କନିଷ୍ଠ ଭ୍ରାତା ବୃନ୍ଦାବନ ଚନ୍ଦ୍ର ଭଞ୍ଜ ନିଜେ ନାଚିବା ସହିତ ଉତ୍ତରସାହିର କଳାକାରମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ । ସେହିପରି ଦକ୍ଷିଣସାହି ସହିତ ସଂଶ୍ଳିଷ୍ଟ ଥିଲେ ଗୋକୁଳଚନ୍ଦ୍ର ଭଞ୍ଜ । ରାଜତନ୍ତ୍ରର ଅବସାନ ପରେ ସ୍ୱାଧୀନ ଭାରତରେ ତହଉ ନୃତ୍ୟକୁ ଅଭିନବ ରୂପରେ ପ୍ରଯୋଜନା କରାଯିବା ଫଳରେ ନାରୀମାନେ ନୃତ୍ୟାଙ୍ଗନକୁ ଆସିଥିଲେ ଓ ଛଉନୃତ୍ୟର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଥିଲା । ଦଳବଦ୍ଧ ଭାବେ ବହୁ ସଂଖ୍ୟାରେ କଳାକାରମାନେ ନୃତ୍ୟ କରିବା ଆରମ୍ଭ କଲେ ଓ ନୂତନ ବିଷୟ ବସ୍ତୁ ଉପରେ ନୃତ୍ୟ ପ୍ରଯୋଜିତ ହୋଇଥିଲା । ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ବିୟୋଗ ପରେ ଛଉନୃତ୍ୟ କିଛି ସମୟ ପାଇଁ ରାଜଦରବାରରେ ଛଉନୃତ୍ୟ ପ୍ରତି ଆଗ୍ରହ କମି ଆସିଥିଲା ଏବଂ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜ ଗାଦିସୀନ ହେବା ପରେ ତାଙ୍କ ପୃଷ୍ଠପୋଷକତାରେ ଛଉନୃତ୍ୟ ପୁର୍ନଜନ୍ମ ଲାଭ କରିଥିଲା । ନୂତନ ଉପାୟ ଓ ଶୈଳୀରେ ଛଉନୃତ୍ୟକୁ ସଂଗଠିତ କରାଗଲା । ଶୈଳୀ ନୈପୁଣ୍ୟ ଓ ଶୈଳୀ ଚାତୁରୀରେ ଛଉନୃତ୍ୟ ନୂତନ ଭାବନା ଓ ଦୀପ୍ତିରେ ପ୍ରଣିଦିତ ହେଲା । ସମସାମୟିକ ବିଶ୍ୱବିଖ୍ୟାତ ନୃତ୍ୟ ବିଶାରଦ ଉଦୟ ଶଙ୍କର, ଅମଲା ଶଙ୍କର ଓ ଶିମିକି ଆଦି ଶିଳ୍ପୀମାନଙ୍କୁ ଲକ୍ଷ କରି ସେମାନଙ୍କର କଳା ନୈପୁଣ୍ୟକୁ ଅନୁକରଣ କରିବା ନିମନ୍ତେ ମହାରାଜାଙ୍କ ନିର୍ଦ୍ଦେଶରେ ଉସ୍ତାଦମାନେ କଲିକତା ନଗରୀକୁ ଯାଇଥିଲେ । ଏହି ସମୟରେ ଝୁମର ସଙ୍ଗୀତର ହୃଦୟସ୍ପର୍ଶୀ ଲାଳିତ୍ୟ ଓ ଶୃଙ୍ଗାର ରସର ମନୋମୁଗ୍ଧକର ବ୍ୟଞ୍ଜନା ଛଉନୃତ୍ୟକୁ ସମୃଦ୍ଧ କରାଇଥିଲା । ଏଥି ସହିତ ଓଡ଼ଶୀ ଓ ଲୋକନୃତ୍ୟକୁ ଆଦରି ନେବାରେ ଓସ୍ତାଦମାନଙ୍କୁ ଉତ୍ସାହିତ କରାଇଥିଲେ । ରାଜ୍ୟବାସୀଙ୍କ ନିଜସ୍ୱ ପରମ୍ପରାକୁ ବିକଶିତ କରାଇବା ଉଦ୍ଦେଶ୍ୟରେ ଝୁମର ଛଉନୃତ୍ୟର ସମ୍ମିଶ୍ରଣକୁ ସ୍ୱକୃତି ଦେଇଥିଲେ । ସେହି ଦିନଠାରୁ ଝୁମର ଛଉନୃତ୍ୟର ପ୍ରାଣସ୍ପନ୍ଦନ ହୋଇଉଠିଥିଲା । ମୟୂରଭଞ୍ଜରୁ ରାଜତନ୍ତ୍ର ବିଲୋପ ପରେ ଓଡ଼ିଶା ସରକାରଙ୍କୁ ଛଉନୃତ୍ୟର ମହତ୍ୱ ଉପଲବ୍ଧି କରିବାକୁ ସମୟ ଲାଗି ଗଲା । ମୟୂରଭଞ୍ଜର ପୁଲିସ ଅଧିକ୍ଷକ ରାମଚନ୍ଦ୍ର ଦାଶ ଉତ୍ତରସାହିରମେନେଜର ରହିଥିବା ବେଳେ ତାଙ୍କ ପ୍ରଚେଷ୍ଟାରେ ସଙ୍ଗୀତ ନାଟକ ଏକାଡେ଼ମୀ ଆନୁକୂଲ୍ୟରେ ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ ନ ୧୯୫୪ରେ ଏକ ରେଜେଷ୍ଟ୍ରିଭୂକ୍ତ ଅନୁଷ୍ଠାନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ଓ ଜିଲ୍ଲାପାଳ ତହିଁରେ ସଭାପତି ରହିଥିଲେ । ଆଜି ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୈତ୍ରପର୍ବ ପାରମ୍ପରିକ ରୀତିରେ ପାଳିତ ହେଉଛି । ପାର୍ଥକ୍ୟ ଏତିକି, ମହାରାଜାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଓ ରାଜବାଟୀ ଭିତରେ ଛଉନୃତ୍ୟ ପରିବେଶିତ ନ ହୋଇ ତାହା ଛଉପଡ଼ିଆର ମୁକ୍ତ ଆକାଶ ତଳେ ପ୍ରଦର୍ଶିତ ହୋଇଆସୁଛି । ଛଉନୃତ୍ୟ କେବଳ ବାରିପଦା ସହରରେ ଉତ୍ତରସାହି ଓ ଦକ୍ଷିଣସାହି ମଧ୍ୟରେ ସୀନିତ ନ ରହି ଜିଲ୍ଲାର ଚିତ୍ରଡ଼ା, ବେତନଟୀ, ରାଇରଙ୍ଗପୁର, କରଞ୍ଜିଆ ଆଦି ବିଭିନ୍ନ ସ୍ଥାନମାନଙ୍କରେ ବେଶ ଜନାଦୃତ ହୋଇ ସ୍ଥାନୀୟ ଯୁବସଂସ୍ଥା ଦ୍ୱାରା ଆୟୋଜିତ ହେଉଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଓ ଜାତୀୟ ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ କଳାକାରମାନେ ଆର୍ଥକ ଅନୁଦାନ ଲାଭ କରୁଛନ୍ତି ।
ସମୟକ୍ରମେ ଭାରତ ସହିତ ବିଶ୍ୱରେ ମୟୂରଭଞ୍ଜ ଛଉନୃତ୍ୟ ପ୍ରତି ଜନସାଧାରଣଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଛଉନୃତ୍ୟ ପ୍ରତି ଜନସାଧାରଣଙ୍କ ରୁଚି କ୍ରମଶଃ ହ୍ରାସପାଇ ଆସୁଥିବା ବେଳେ ଏଥି ନିମନ୍ତେ ସମାଲୋଚକମାନେ ଜିଲ୍ଲାପାଳଙ୍କୁ ଦାୟୀ କରିବା ଆରମ୍ଭ କରିଦେଇଥିଲେ । ବିଭିନ୍ନ ଗଣମାଧ୍ୟମରେ ଜିଲ୍ଲା ପ୍ରଶାସନଙ୍କ ମୁଣ୍ଡରେ ସମସ୍ତ ଦୋଷ ଅଜାଡ଼ି ଦେବାରେ ଲାଗିଥିବା ସମୟରେ ତକ୍ରାଳୀନ ମୟୂରଭଞ୍ଜର ଲୋକପ୍ରିୟ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଛଉନୃତ୍ୟର ପୁର୍ନଉଦ୍ଧାର ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସି ଛଉନୃତ୍ୟର ପୂର୍ବ ଗୌରବ ପୁନଃ ସ୍ଥାପନ ନିମନ୍ତେ ପ୍ରୋଜେକ୍ଟ ଛାଉଣୀର ପରିକଳ୍ପନା କରିଥିଲେ । ୨୦୧୬ ଚୈତ୍ର ପର୍ବ ଅବସରରେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟସ୍ତରର କର୍ମଶାଳାରେ ବର୍ତ୍ତମାନ ପିଢ଼ୀର ମହିଳା ଛଉନୃତ୍ୟ ଶିଳ୍ପୀ ଶୁଭଶ୍ରୀ ବାନାର୍ଜୀ ମୟୂରଭଞ୍ଜ ଛଉନୃତ୍ୟ ଧୀରେ ଧୀରେ ଅବକ୍ଷୟ ଦିଗରେ ଗତି କରିବା ଆରମ୍ଭ କରିଛି, ତେଣୁ ଏହାର ପୂର୍ବ ଗୌରବ ଫେରାଇ ଆଣିବା ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରାଇଥିଲେ । ସେହିପରି କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ଛଉ କଳାକାରମାନେ ସେମାନଙ୍କର ସୁଚିନ୍ତିତ ମତାମତକୁ ଉପସ୍ଥାପନ କରାବା ପରେ ତକ୍ରାଳୀନ ଜିଲ୍ଲାପାଳ ଶ୍ରୀପାଟିଲ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ପ୍ରୋଜେକ୍ଟ ଛାଉଣୀର ପରିକଳ୍ପନା କରିବା ପରେ ଏହା ୨୦୧୬ ମେ ୧୯ରେ ଜନ୍ମ ନେଇଥିଲା । ଶ୍ରୀମତୀ ମୁଖାର୍ଜୀ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀପାଟିଲ ଏହାର ସଫଳ ରୂପାୟନ କରାଇଥିଲେ ।
ପ୍ରୋଜେକ୍ଟ ଛାଉଣୀର ଆରମ୍ଭ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତାର ୭୦ ବର୍ଷ ପରେ ଯେଉଁ ଛଉନୃତ୍ୟକୁ ନେଇ ବିଶ୍ୱ ଦରବାରରେ ମୟୂରଭଞ୍ଜ ନିଜର ପରିଚୟ ସୃଷ୍ଟି କରାଇଛି ସେହି ଜିଲ୍ଲାରେ କେତେ ଛଉ କଳାକାର ଓ ଛଉ ନୃତ୍ୟ ପ୍ରତିଷ୍ଠାନ ରହିଛି ତାର ସଠିକ୍ ହିସାବ ପ୍ରଶାସନ ନିକଟରେ ରହିପାରି ନ ଥିଲା । ଛାଉଣୀ ପକ୍ଷରୁ ଜିଲ୍ଲାର କୋଣଅନୁକୋଣରେ ପ୍ରବେଶ କରି ପ୍ରାୟ ୧୧ ହଜାର ୭୩୮ରୁ ଅଧିକ କଳାକାରମାନଙ୍କୁ ଚିହ୍ନଟ କରଇବା ସଂଗେସଂଗେ ପ୍ରାୟ ୨୧୨ଟି ଛଉ ପ୍ରତିଷ୍ଠାନକୁ ଚିହ୍ନଟ କରାଯାଇ ସବିଶେଷ ତଥ୍ୟ ସର୍ଭେ ଜରିଆରେ ସଂଗ୍ରହ କରିବାରେ ସଫଳତା ହାସଲ କରିଥିଲେ । ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଛଉନୃତ୍ୟର କୌଣସି ଲିପି ଅଥବା କୌଣସି ରାଗ ଲିପିବଦ୍ଧ କରାଯାଇ ନ ଥିଲା । ଏହାକୁ ପୁରୁଷପୁରୁଷ ଧରି ଓସ୍ତାଦମାନେ ମନେ ରଖି ଆସୁଥିଲେ । ରାଜବାଟୀ ସମୟରେ ପ୍ରାୟ ୨୪୦ରୁ ଅଧିକ ପ୍ରକାରର ନୃତ୍ୟ ମଧ୍ୟରୁ ବର୍ତ୍ତମାନ ୪୦ ପାଖାପାଖି ନୃତ୍ୟ ରହିଥିବାର ପରିଲକ୍ଷିତ ହୋଇଛି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନୃତ୍ୟ ପ୍ରତିଷ୍ଠାନମାନଙ୍କରେ । ତୃତୀୟ ପର୍ଯ୍ୟାୟରେ ଛଉନୃତ୍ୟ ସହିତ ସଂଶ୍ଳିଷ୍ଟ କଳାକାରମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସଂଗେସଂଗେ ଦୁଇଟି ସ୍ତରରେ ଅଡ଼ିସନ ମାଧ୍ୟମରେ ୨୫୦ରୁ ଅଧିକ ନୃତ୍ୟ ଓ ବାଦ୍ୟ କଳାକାରମାନଙ୍କୁ ସିଲେକସନ କରାଯାଇ ମୟୂରଭଞ୍ଜ ଛଉ ପାରଫର୍ମିଙ୍ଗ ୟୁନିଟ ଗଠନ କରାଗଲା । ଉକ୍ତ ୟୁନିଟକୁ ପର୍ଯ୍ୟାୟକ୍ରମେ ପ୍ରୋଜେକ୍ଟ ଛାଉଣୀର ବର୍ଷିୟାନ ଛଉନୃତ୍ୟଗୁରୁ ଅଜୟ ବୈଠାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଗଲୁ ଜେନା, ରାମ ଚନ୍ଦ୍ର ଦାସ, ଦେବ ନାରାୟଣ ଧଡ଼ା ପ୍ରମୁଖଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି । ଏମାନଙ୍କ ବ୍ୟତୀତ ପାରମ୍ପରିକ ନୃତ୍ୟ ସମେତ ନୂଆଦିଲ୍ଲୀର ପ୍ରମୁଖ କୋରିଓଗ୍ରାଫର ସନ୍ତୋଷ ନାୟର, ମହାରାଷ୍ଟ୍ରର ପ୍ରମୁଖ ନୃତ୍ୟଗୁରୁ ଶାମା ଭାତେ, ଭୂବନେଶ୍ୱରର ସୁବ୍ରତ ପଟ୍ଟନାୟକ ଓ ପଦ୍ମଶ୍ରୀଇଲିଆନା ସୀତାରିସ୍ତି ପ୍ରମୁଖ ବାରିପଦା ଆସି ଛଉନୃତ୍ୟ ଉପରେ ପର୍ଯ୍ୟବେଶିତ ବ୍ୟାଲେଟ ଓ କନଟେମ୍ପୋରାରୀ(ସମସାମୟିକ) ଛଉନୃତ୍ୟ ଉପରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିଆସୁଛନ୍ତି । ବର୍ତ୍ତମାନ ଏହି ପ୍ରୋଜେକ୍ଟ ଛାଉଣୀ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସମ୍ମାନ ଜନକ ଉତ୍ସବ ଓ ମର୍ଜାଦାଜନକ ଷ୍ଟେଜରେ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଆସୁଛନ୍ତି ।
ପ୍ରୋଜେକ୍ଟ ଛାଉଣୀର ଅନ୍ୟ ଏକ ଅଂଶ ମୟୂରଭଞ୍ଜ ଛଉ ଏକାଡେ଼ମୀ ମୁଖ୍ୟତଃ ଭବିଷ୍ୟତର ନୃତ୍ୟ ଶିଳ୍ପୀ ସୃଷ୍ଟି କରାଇବା ଉଦ୍ଦେଶ୍ୟ ନେଇ ଗଠିତ । ଏଥିରେ ବାରିପଦା ସଂସ୍କୃତି ଭବନ, କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ଓ ବାମନ ଘାଟି ଛଉନୃତ୍ୟ ପ୍ରାଥୀସ୍ଥାନ ରେ ନିୟମିତ ଭାବେ ପାରମ୍ପରିକ ଶୈଳୀରେ ଛଉନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି । ଆଗକୁ ଜିଲ୍ଲାରେ ଅଧିକ ଶାଖା ଖୋଲି ଛଉନୃତ୍ୟ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି । ଏହା ଫଳରେ ସମାଜର ବିଭିନ୍ନ ବର୍ଗର ନୂଆ ନୂଆ ମହିଳା ଓ ପୁରୁଷ ନୃତ୍ୟ ଶିଳ୍ପୀ ଛଉନୃତ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିବାର ପରିଲକ୍ଷିତ ହୋଇଛି ।
ବର୍ତ୍ତମାନ ଛଉନୃତ୍ୟରେ ପ୍ରଧାନ ସମସ୍ୟା ଭାବେ ମିଉଜିକ ମୁଣ୍ଡ ଟେକି ଉଠିଛି । ଛଉନୃତ୍ୟ ଶିଳ୍ପୀ ସମସ୍ୟା ଦୂର ହୋଇଥିବା ବେଳେ ମିଉଜିକ ପ୍ରତି ସମାଜରେ ବିଭିନ୍ନ ବର୍ଗର ଜନସାଧାରଣଙ୍କର ଆଗ୍ରହର ଅଭାବ ଦେଖା ଦେଇଛି । ମହୁରୀଆ ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ଏହାକୁ ଦୂର କରାଇବା ନିମନ୍ତେ ଛାଉଣିର ଅନ୍ୟ ଏକ ଅଂଶ ଏମସିଏ ଉଦ୍ୟମ ଜାରି ରଖିଛି ।
ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣପରେ ଛଉ ସଂଗୀତର ପାଶ୍ଚାତ୍ୟ ଲିପିଗୁଡ଼ିକୁ ବ୍ୟାଣ୍ଡ ମାଷ୍ଟର ପାଲବାବୁଙ୍କ ନିକଟରୁ କେହି ସୁରକ୍ଷିତ କଲେ ନାହିଁ । ଏହା ସମ୍ଭବ ହୋଇପାରିଥିଲେ ସେଥିରୁ ମଧ୍ୟ ହିନ୍ଦି ବା ଓଡ଼ିଆ ସ୍ୱରଲିପି ପ୍ରସ୍ତୁତ କରାଯାଇ ପାରିଥାନ୍ତା । ଛଉ ନାଟର ସଙ୍ଗୀତରେ ସ୍ୱରଲିପି ପ୍ରସ୍ତୁତ ଓ ରେକଡ଼ିଂର ଗୁରୁତ୍ୱକୁ ଉପଲବ୍ଧି କରିଥିଲେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀପାଟିଲ । ତେଣୁ ଏହାର ଅଡ଼ିଓ ଭିଜୁଆଲ ସଂରକ୍ଷଣ କରାଯିବା ଫଳରେ ଗୁରୁମାନଙ୍କ ଅନ୍ତେ ପିଢ଼ୀ ପରେ ପିଢ଼ୀ କଳାକାରମାନେ ଛଉନୃତ୍ୟ ଶିକ୍ଷା ଲାଭ କରିପାରିବେ । ଛାଉଣି ନୃତ୍ୟ ସଙ୍ଗୀତ, ନୃତ୍ୟର ଟେକନିକ୍, ନୃତ୍ୟର ଅଡ଼ିଓ ଟେକନିକ ସହିତ କଳାକାର ଚିହ୍ନଟ ନିମନ୍ତେ ସର୍ବଶ୍ରେଷ୍ଠ ଆଚିଭମେଣ୍ଟ । ଏହାଦ୍ୱାରା ମୟୂରଭଞ୍ଜ ଛଉର ଭବିଷ୍ୟତ ଉଜ୍ଜ୍ୱଳମୟ ହେବା ସହିତ ଭବିଷ୍ୟତ ପିଢ଼ୀଙ୍କ ନିମନ୍ତେ ସଂରକ୍ଷିତ ହୋଇ ଯୁଗଯୁଗ ନିମନ୍ତେ ରହିଗଲା । ସେହିପରି ଛାଉଣୀ ମୟୂରଭଞ୍ଜ ଜିଲ୍ଲାର ସମସ୍ତ କଳାକାରଙ୍କୁ ଚିହ୍ନଟ କରାଇ ପ୍ରଶାସନିକସ୍ତରରେ ମାନ୍ୟତା ପ୍ରଦାନ କରାଇପାରିଛି । ଏହା ମୟୂରଭଞ୍ଜ ଛଉ ପ୍ରତି ପୂର୍ବତନ ଜିଲ୍ଲାପାଳ ଶ୍ରୀପାଟିଲଙ୍କର ମହାନ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।