ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଉପୁଜୁଥିବା ପରିସ୍ଥିତି ଅନୁଯାୟୀ କୂଟନୈତିକ ନିଷ୍ପତ୍ତି ନେବାର କ୍ଷମତା ବିରୋଧୀ ଦଳର କାହାରି ପାଖରେ ନ'ଥିଲା ।
ନିଜ ଲୋକଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରାଇବା ସକାଶେ ରାଜ୍ୟସଭାରେ ଗଣିତ ଭାରତୀୟ ଜନତା ଦଳ ସପକ୍ଷରେ ନଥିଲା । ଏନ୍.ଡି.ଏ. ମେଣ୍ଟରେ ଥିବା ସମସ୍ତ ସହଯୋଗୀଙ୍କ ଆସନ ସଂଖ୍ୟା ମିଶାଇଲେ ମଧ୍ୟ ତାହା ଆବଶ୍ୟକୀୟ ଅଙ୍କ ଛୁଉଁ ନଥିଲା । କେବଳ ସେହି କାରଣରୁ ହିଁ ଶାସକଦଳ ଛାନିଆ ହୋଇ ପ୍ରଥମତଃ ନିର୍ବାଚନକୁ ଏଡାଇବାକୁ ଚାହୁଁଥିଲା ।
ଯଦି ଆରମ୍ଭରୁ ବିରୋଧୀଦଳ ଏକଥା ହୃଦୟଙ୍ଗମ କରିଥାଆନ୍ତେ ଯେ ନିକଟରେ ଆବଶ୍ୟକୀୟ ସଂଖ୍ୟା ନାହିଁ ବୋଲି,(ଏବେ ଏହା ସେଇକଥା ହିଁ ବୁଝିବାକୁ ଚେଷ୍ଟା କରୁଛି) ତେବେ ସେମାନେ ସେମାନଙ୍କର ବାଧ୍ୟବାଧକତାକୁ ମହନୀୟତାରେ ରୂପାନ୍ତରିତ କରି ସର୍ବସମ୍ମତ ପ୍ରାର୍ଥୀ ପାଇଁ ରାଜି ହୋଇଯାଇ ଥାଆନ୍ତେ । ଏପରି କରିଥିଲେ ଅନ୍ତତଃ ଶେଷରେ କିଏ ନିର୍ବାଚିତ ହୋଇଥାଆନ୍ତେ ସେକଥାକୁ ପ୍ରଭାବିତ କରିବା ସକାଶେ ସେମାନଙ୍କୁ ସୁଯୋଗ ମିଳିଥାଆନ୍ତା । ଏକ ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଉପ ରାଷ୍ଟୟପତି ଭେଙ୍କିଆ ନାଇଡୁ ଏକ ସର୍ବ ସମ୍ମତ ପ୍ରାର୍ଥୀଙ୍କ ସଂପର୍କରେ ଆଲୋଚନା ଆରମ୍ଭ କରିଥିଲେ । ମାତ୍ର ସେତେବେଳକୁ ବିରୋଧି ଦଳମାନେ ବିଶେଷ କରି ମମତା ବାନାର୍ଜୀ ଏକ ମୁକାବିଲା ସକାଶେ ଦୃଢ ପରିକର ହୋଇସାରିଥିଲେ । ସମ୍ଭାବ୍ୟ ପ୍ରାର୍ଥô ହିସାବରେ ତୃଣମୂଳ କଂଗ୍ରେସର ଜଣେ ସଦସ୍ୟଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇ ସାରିଥିଲା ।
ଏକଥା ଅବଶ୍ୟ ସତ୍ୟ ଯେ ବିରୋଧୀ ଦଳକୁ ହତଚକିତ କରିଦେଇ ହଠାତ୍ ନିର୍ବାଚନ ଘୋଷଣା କରିବାର ସୁବିଧା ବି.ଜେ.ପି. ପାଖରେ ଥିଲା । କାରଣ ଇତି ମଧ୍ୟରେ ବିରୋଧୀ ଦଳମାନେ ବି.ଜେ.ପି. କାର୍ଯ୍ୟକଳାପ ସଂପର୍କରେ ଅଧିକ ଜ୍ଞାନୀ ହୋଇଯାଇଥିବେ ଏବଂ ଯେତେବେଳେ ମଧ୍ୟ ସେମାନଙ୍କ ଉପରେ ନିର୍ବାଚନ ଲଦି ଦିଆଗଲେ ସେମାନେ କ'ଣ କରିବେ ତା'ର ଏକ ଯୋଜନା ପ୍ରସ୍ତୁତ କରିସାରିଥିବେ । ବିଜେପି ପାଇଁ ଆଉ ଏକ ସୁବିଧାଜନକ ସ୍ଥିତି ହେଲା ଯେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଗୁପ୍ତ ଭୋଟ ମାଧ୍ୟମରେ କରା ଗଲା ନାହିଁ । କୌଣସି ପକ୍ଷଭୁକ୍ତ ହୋଇନଥିବା ଏ.ଆଇ.ଏ.ଡି.ଏମ୍.କେ., ବି.ଜେ.ଡି., ଓ.ଟି.ଆଇ.ସି. ପରି ଆଞ୍ଚଳିକ ଦଳଗୁଡିକ ଶାସକ ଦଳକୁ ସମର୍ଥନ କଲେ, କାରଣ ସେମାନେ ବିଭିନ୍ନ ରାଜନୈତିକ କିମ୍ବା ଅଣରାଜନୈତିକ କାରଣ ସକାଶେ ବର୍ତ୍ତମାନର ପରିସ୍ଥିତିରେ କେନ୍ଦ୍ର ସରକାରଙ୍କର ରୋଷର ଶିକାର ହେବାକୁ ନଚାହିଁପାରନ୍ତି । ବିଶେଷ କରି ଯେତେବେଳେ ସେମାନଙ୍କର ସିଧାସଳଖ ଭାବେ କୌଣସି ସ୍ୱାର୍ଥ ଜଡିତ ନାହିଁ ସେତେବେଳେ ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଯିବେ କାହିଁକି ?
ମାତ୍ର ଏହା ସତ୍ୟ, ଏହି ଦଳମାନଙ୍କର ବହୁ ସଦସ୍ୟ, ଗୁପ୍ତ ଭୋଟ କରାଯାଇଥିଲେ ଭିନ୍ନ ଭାବରେ ମତଦାନ କରିଥାଆନ୍ତେ । ମାତ୍ର ଦିନକ ପୂର୍ବେ ହରିବଂଶ ନାରାୟଣ ସିଂହ ପବ୍ଲିକ ଏକାଉଣ୍ଟସ୍ କମିଟୀ (ପି.ଏ.ସି) ର ଅଧ୍ୟକ୍ଷ ପଦବୀ ସକାଶେ ଟି.ଡି.ପି. ପ୍ରାର୍ଥୀ ସି.ଆର.ରମେଶଙ୍କଠାରୁ ଗୁପ୍ତ ଭୋଟରେ ପରାଜିତ ହୋଇଥିଲେ । ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ବେଳେ ଗୁପ୍ତ ଭୋଟ କରାନଯିବା ସଙ୍ଗେ ସଙ୍ଗେ ଶାସକ ଦଳ ନିକଟରେ ସରକାରଙ୍କର କ୍ଷମତା ଥିବାରୁ "ସାମ, ଦାମ, ଦଣ୍ଡ, ଭେଦ'ର ରାଜନୀତି କରି ବିରୋଧୀ ପକ୍ଷକୁ ମନାଇବାର ସୁଯୋଗ ମଧ୍ୟ ରହିଥିଲା ।
କଂଗ୍ରେସ ସମେତ ବିରୋଧୀ ଦଳର ନେତାମାନେ ଯେ ଏସବୁ ବାସ୍ତବିକତା ସଂପର୍କରେ ଅନଭିଜ୍ଞ ଥିଲେ ସେକଥା ମଧ୍ୟ କୁହାଯାଇ ପାରିବ ନାହିଁ । ଏହା ବ୍ୟତୀତ ବିରୋଧୀ ଏନ୍.ଡି.ଏ.ରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ମଧ୍ୟ କରିପାରିଥାଆନ୍ତେ । ତେଲୁଗୁ ଦେଶମ ପାର୍ଟି (ଟି.ଡି.ପି) ଏନ୍.ଡି.ଏ. ଛାଡି ବିରୋଧୀ ପକ୍ଷକୁ ଚାଲିଆସିଥିଲେ । ବି.ଜେ.ପି. ଏହାର ପ୍ରାର୍ଥୀ ନରେଶ ଗୁଜରାଲଙ୍କୁ ବିଚାରକୁ ନେଇ ନଥିବାରୁ ଅକାଳୀ ଦଳ ବି.ଜେ.ପି. ପ୍ରତି ସନ୍ତୁଷ୍ଟ ନ ଥିଲା । ଏକଥା ମଧ୍ୟ କଳ୍ପନା ଜଳ୍ପନା କରାଯାଉଥିଲା ଯେ ଅସନ୍ତୁଷ୍ଟ ଜନତା ଦଳ (ୟୁ) ଲାଲୁ ପ୍ରସାଦ ଯାଦବଙ୍କ ଆର.ଜେ.ଡି ସହିତ ବିହାରର ମହାମେଣ୍ଟ ଫେରି ଆସିପାରେ । ସେହି କାରଣରୁ ହିଁ ବିଜେପି ନେତୃବର୍ଗ ଜନତା ଦଳ (ୟୁ) କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ନେବାପାଇଁ ନିଷ୍ପତ୍ତି ନେଲା । ଏହା ଫଳରେ ବି.ଜେ.ପି. ଏହାର ବର୍ତ୍ତମାନର ତଥା ସମ୍ଭାବିତ ସହଯୋଗୀମାନଙ୍କୁ ଏହି ସଂକେତ ଦେଲା ଯେ ଏହା ସେମାନଙ୍କର ସ୍ୱାର୍ଥର ସୁରକ୍ଷା କରିବାକୁ ମଧ୍ୟ ପ୍ରସ୍ତୁତ । ବିଜୟଲାଭ ପାଇଁ ନରେନ୍ଦ୍ର ମୋଦି ନଇଁବାକୁ ମଧ୍ୟ ପ୍ରସ୍ତୁତ ହୋଇଗଲେ ଏବଂ ବିଗତ ବର୍ଷମାନଙ୍କରେ ବି.ଜେ.ପିର ଜଣେ ଘୋର ବିରୋଧୀ ତଥା ସମାଜବାଦୀ ହରିବଂଶଙ୍କ ପରି ବ୍ୟକ୍ତିଙ୍କୁ ସମର୍ଥନ କରିବା ସକାଶେ ଆଗେଇ ଆସିଲେ । ଏହା ବି.ଜେ.ପିର ରଣକୌଶଳରେ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ବହନ କରୁଛି । ନିକଟ ଅତୀତରେ ନିଜକୁ ବଡ ବୋଲି ବିଚାରି ଅନ୍ୟମାନଙ୍କୁ ହେୟ ନଜରରେ ଦେଖୁଥିବା ବି.ଜେ.ପି ଏବେ ମାଟି ଉପରକୁ ଓହ୍ଲାଇ ଆସିଛି ବୋଲି ମଧ୍ୟ ସଙ୍କେତ ମିଳୁଛି ।
ପ୍ରଧାନମନ୍ତ୍ରୀ ନିଜେ ସମର୍ଥନ ଜୁଟାଇବା ପାଇଁ ଫୋନ କରିବା ଆରମ୍ଭ କଲେ । ସେ ସିଧାସଳଖ ଉଦ୍ଧବ ଠାକରେ ଓ ନବୀନ ପଟ୍ଟନାୟକ ସହିତ କଥାବାର୍ତ୍ତା କଲେ ଏବଂ ଟି.ଆର୍.ଏସ୍ ମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବେ ଭେଟିଲେ । ଅନ୍ୟ ପକ୍ଷରେ ଲକ୍ଷ୍ୟ ଅରବିନ୍ଦ କେଜରିୱାଲ ରାହୁଲ ଗାନ୍ଧୀଙ୍କ ଠାରୁ କୌଣସି ଫୋନ ପାଇଲେ ନାହିଁ ଏବଂ ତା' ପରେ ପରେ କେଜରିୱାଲ ଘୋଷଣା କଲେ ଯେ ୨୦୧୯ ମସିହାରେ ଆପ ଦଳ କୌଣସି ମେଣ୍ଟର ଅଂଶ ବିଶେଷ ହେବନାହିଁ । ଏହା କିପରି ଏକ ବିରୋଧାଭାଷ ।
ଯେତେବେଳେ ବିରୋଧୀ ପକ୍ଷ ହଲଚଲ ହେବାକୁ ଆରମ୍ଭ କଲା, ସେତେବେଳକୁ କିନ୍ତୁ ଖେଳ ସରିଗଲାଣି । କଂଗ୍ରେସ ଦଳର ବଡମୁଣ୍ଡିଆମାନେ ବନ୍ଦନା ଚଭନଙ୍କ ନାମ ପ୍ରସ୍ତାବ ଦେଲେ । ସେ ଏନ୍.ସି.ପି.ଦଳର ଜଣେ ମରାଠା ହୋଇଥିବାରୁ ଶିବସେନା ତାଙ୍କୁ ବିରୋଧ କରିବା କଷ୍ଟକର ବ୍ୟାପାର ହୋଇଥାଆନ୍ତା । ମାତ୍ର ଯେତେବେଳେ ଏନ୍.ସି.ପି. ନେତାମାନେ ସମର୍ଥନ ଜୁଟାଇବା ପାଇଁ ଫୋନ କରିବା ଆରମ୍ଭ କଲେ ସେତେବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସେ ତାଙ୍କ ସମର୍ଥନ ସକାଶେ ବିଜେପିକୁ ପ୍ରତିଶ୍ରୃତି ଦେଇ ସାରିଛନ୍ତି । ଏନ୍.ସି.ପି. ନେତାମାନେ ତାଙ୍କ ସହିତ ପୂର୍ବରୁ କଥାବାର୍ତ୍ତା ହୋଇଥିଲେ, ସେ ହୁଏତ ସେମାନଙ୍କ ଅନୁରୋଧକୁ ରକ୍ଷା କରି ପାରିଥାଆନ୍ତେ । ପବନ କେଉଁ ଦିଗରେ ବହୁଛି ସେକଥା ପୂର୍ବରୁ ଅନୁମାନ ଲଗାଇ, ଚତୁର ମମତା ବାନାର୍ଜୀ ଏହି ପ୍ରକ୍ରିୟାରୁ ଓହରି ସାରିଥିଲେ । ଶେଷରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀତ୍ୱ କଂଗ୍ରେସ ନେତା ବି.କେ.ହରିପ୍ରସାଦଙ୍କ କପାଳରେ ପଡ଼ି କାଳ ସାଜିଲା ।
ଏ କାହାଣୀରୁ କ'ଣ ନୀତିଶିକ୍ଷା ମିଳୁଛି ? ବିରୋଧୀ ଦଳଗୁଡିକ ମଧ୍ୟରେ ଏପରି କେହି ନାହାନ୍ତି ଯିଏକି ପ୍ରକୃତପକ୍ଷେ ମଙ୍ଗ ସମ୍ଭାଳି, ଆବଶ୍ୟକ ମୁତାବକ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିପାରିବ । ବିରୋଧୀ ପକ୍ଷରୁ କିଏ ପ୍ରଧାନମନ୍ତ୍ରୀ ହୋଇପାରିବ ବା ହେବ - ସେ ପ୍ରସଙ୍ଗ ସହିତ ଏହାର କୌଣସି ସଂପର୍କ ନାହିଁ । ବିରୋଧୀ ଦଳଗୁଡିକରେ ଏକ ସର୍ବସମ୍ମତ ପ୍ରଧାନମନ୍ତ୍ରୀ ଚେହେରା ନାହିଁ, ଯିଏକି ବର୍ତ୍ତମାନ ପରିସ୍ଥିତିରେ ୨୦୧୯ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ମୁକାବିଲା କରିପାରିବ । ବିରୋଧୀ ଦଳଗୁଡିକର ନେତା ମାନଙ୍କର କହିବା କଥା ଯେ ନିର୍ବାଚନ ପରେ ଯାଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରାଯିବ । ନିଃସନ୍ଦେହ ରେ ଏହା ବିରୋଧୀ ଦଳମାନଙ୍କର ଏକ ଦୁର୍ବଳତା; ବିଶେଷ କରି ଯେତେବେଳେ ନରେନ୍ଦ୍ର ମୋଦି ୨୦୧୯ ର ନିର୍ବାଚନକୁ "" ମୋଦି ବନାମ କିଏ'' ରାଷ୍ଟ୍ରପତି ନିର୍ବାଚନ ଢାଞ୍ଚାରେ ରୂପାନ୍ତରିତ କରିବାକୁ ଯାଉଛନ୍ତି ସେତେବେଳେ କଂଗ୍ରେସର ଓ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ନିର୍ବାଚନ ଲଢ଼ିବା ଏବଂ ପ୍ରଚାର କରିବା ସେମାନଙ୍କୁ ଶତପ୍ରତିଶତ ଅଡ଼ୁଆରେ ପକାଇବ । ।
ତେବେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ ବର୍ତ୍ତମାନର ବିରୋଧୀ ଦଳଗୁଡିକ ନିକଟରେ ହରକିଶାନ୍ ସିଂହ ସୁରଜିତ, ଏ.ବି.ବର୍ଦ୍ଧନ କିମ୍ବା ୧୯୯୧ ପରବର୍ତ୍ତୀ କାଳର ଭି.ପି.ସିଂହଙ୍କ (ଯିଏ କି ୧୯୯୦ ରେ ପ୍ରଧାନମନ୍ତ୍ରୀ ପଦବୀ ହରାଇବା ପରେ ଦ୍ୱିତୀୟ ଥର ଆଉ ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ନଥିଲେ) ସହିତ ସମକକ୍ଷ କେହି ନେତା ନାହାନ୍ତି ବୋଲି ରାଜନୀତିକୁ ଖୁବ୍ ପାଖରୁ ଦେଖିଥିବା ଜଣେ ବିଶାରଦ କୁହନ୍ତି । ଏହି ନେତାମାନେ ପରଦା ପଛରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଯାହା ବେଶ କଷ୍ଟକର, ସ୍ୱୀକୃତି ବିହନ ଏବଂ ଏଥିରେ ବାହାବା ମିଳେନାହିଁ । ୧୯୮୯ ମସିହା ହେଉ ଅବା ୧୯୯୬ କିମ୍ବା ୨୦୦୪-ଏପରି ପ୍ରତ୍ୟେକଟି ସଂକଟର ଘଡିରେ ସେମାନେ ବିରୋଧୀ ଦଳଗୁଡିକୁ ଏକଜୁଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ । ଯଦିଓ ମାୟାବତୀ ଏପରି ଭୂମିକା ତୁଲାଇବାକୁ ବାହାରିଛନ୍ତି କିନ୍ତୁ ତାଙ୍କର ନଜର ପ୍ରଧାନମନ୍ତ୍ରୀ ପଦବୀରେ ରହିଛି । ଯାହାକୁ ଅନ୍ୟ କେତେକ ଦଳର ନେତାଙ୍କ ସମେତ ବିଭିନ୍ନ ରାଜ୍ୟର ବୁଦ୍ଧିଜୀବୀ ଭୋଟର ଏବଂ ସାଧାରଣ ଜନତା ମଧ୍ୟ ସହଜରେ ଗ୍ରହଣ କରିବେ ନାହିଁ । ମମତା ବାନାର୍ଜୀଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ହେବ । ଜଣେ ଆଞ୍ଚଳିକ ଦଳର ନେତାଙ୍କୁ ରାତାରାତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କଲେ ବିରୋଧୀଦଳ ନିର୍ବାଚନ ସଫଳତା ପାଇବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଲେଣି । ଏ ପରିପ୍ରେକ୍ଷୀରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଯଥାଶୀଘ୍ର ଘୋଷଣା କରି ନିର୍ବାଚନ ପଡ଼ିଆକୁ ଓହ୍ଲାଇବା ଦରକାର ।
ଆଜିର ଦିନରେ ସୂତ୍ରଧରର ଭୂମିକା ସେଇମାନଙ୍କୁ ତୁଲାଇବାକୁ ପଡିବ ଯେଉଁମାନେ ୨୦୧୯ର ନିର୍ବାଚନରେ ନିଜେ ମଇଦାନକୁ ଓହ୍ଲାଇବାର ସମ୍ଭାବନା କ୍ଷୀଣ । ମମତା ବାନାର୍ଜୀ, ଦେବଗୌଡ଼ା, ଶରଦ ଯାଦବ ଓ ଶରଦ ପାୱାର ଇତ୍ୟାଦି ଏହି ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ । କିନ୍ତୁ ସେମାନେ ଭାରତର କୋଣ ଅନୁକୋଣରେ ନିଜର ଭାବମୂର୍ତ୍ତି ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରି ସଫଳତା ପାଇବେ ନାହିଁ । ତେଣୁ ଏମାନେ ନିଜର କୂଟନୈତିକ ଗୋଟି ଚାଳନା କରି ବିଜେପି ପାଇଁ ପରାଜୟର କ୍ଷେତ୍ର ପ୍ରସ୍ତୁତ କରିପାରିବେ ।
ବିରୋଧୀ ଦଳଗୁଡିକରେ ଯେ ଏପରି ଭୂମିକା ନିର୍ବାହ କରିବା ପାଇଁ ନେତାମାନଙ୍କର ଅଭାବ ରହିଛି ସେକଥା ନୁହେଁ । ମାତ୍ର ଏହି ନେତାମାନେ ଏକ ଦଳ ହିସାବରେ କାମ କରିବା ଆରମ୍ଭ କରିନାହାନ୍ତି କିମ୍ବା ସଂପୂର୍ଣ୍ଣ ବିରୋଧୀ ପକ୍ଷ ସେମାନଙ୍କୁ ଏହି କ୍ଷମତା ଦେଇନାହିଁ । ସୀତାରାମ ୟେଚୁରୀ, ୟଶସ୍ୱାନ୍ତ ସିହ୍ନା, ଗୁଲ୍ଲାମନବୀ ଆଜାଦ୍, ଅଶୋକ ଗେହେଲୋଟ କଂଗ୍ରେସରେ ଏପରି ବହୁ ମହାରଥିବା ଅଛନ୍ତି ଯେଉଁମାନେ ପ୍ରତିପକ୍ଷର ମୁକାବିଲା କରିବା ସକାଶେ ସମସ୍ତ ପ୍ରକାରର କୌଶଳ ଜାଣିଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପ୍ରତିପାଦିତ କରିବାକୁ ପଡିବ ଏବଂ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାର ସ୍ୱାଧୀନତା ଗାନ୍ଧୀ ପରିବାରକୁ ଦେବାକୁ ପଡ଼ିବ ।
ଶେଷରେ କେବଳ ଏତିକି କୁହାଯାଇ ପାରିବ ଯେ ଉପଯୁକ୍ତ ପରିଚାଳନାର ଅଭାବ ଏବଂ ଯେ କୌଣସି ପରିସ୍ଥିତିରେ ମଧ୍ୟ ବିଜୟୀ ହେବା ପାଇଁ ମନୋଭାବର ଅଭାବ ଯୋଗୁଁ ବିରୋଧୀ ଦଳମାନେ ବି.ଜେ.ପି ର ନୂଆ ଅବତାରକୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପରାଜିତ କରିପାରିଲେ ନାହିଁ । ଏପରିସ୍ଥିତି ଲାଗିରହିଲେ ୨୦୧୯ ନିର୍ବାଚନ ସେମାନଙ୍କ ପାଇଁ ଶୁଭଦିନ ଆଣିପାରିବ ନାହିଁ, ଏହି ବାର୍ତ୍ତା ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ପ୍ରମାଣ କରିଛି