ହେଡଲାଇନସ୍:

କେହି ଭାବିନଥିଲେ ମରଣ ଏମିତି ଆସିବ ବୋଲି : ଚାକିରିରୁ ଭିଆରଏସ ମାଗିଥିଲେ, ହେଲେ ସୁଯୋଗ ଦେଲାନି ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାର୍ଡ -ଅଫ୍ ଅନର ଓ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ ସମ୍ପନ୍ନ ହେଲା

"ଭିଆରଏସ ନିମନ୍ତେ ଆବେଦନ କରିଥିଲେ । ତାଙ୍କୁ ବୁଢ଼ା ବୟସରେ ଏଣେତେଣେ ଖଟାଇ ଶେଷରେ ମାରିଦେଲେ"

ବାରିପଦା(ଦିଲ୍ଲୀପ ମହାନ୍ତି )- ଭିଆରଏସ ନେବା ନିମନ୍ତେ ଆବେଦନ କରିଥିବା ଦୟାନିଧି ଦାସଙ୍କର ନଭେମ୍ବର ୧୮ ସୋମବାର ରାତି ପ୍ରାୟ ୮.୪୦ ମିନିଟ ସମୟରେ ବାଇକ ଧକ୍କାରେ ଗୁରୁତ୍ତର ଭାବେ ଆହତ ହୋଇ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ମୃତୁ୍ୟ ହୋଇଛି । ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ପୁଲିସ ଏସଆଇ ଦୟାନିଧି ଦାସ  ସୋମବାର ସନ୍ଧ୍ୟା ସମୟରେ ଥାନାର ଅନ୍ୟ କେତେକ କର୍ମଚାରୀଙ୍କୁ ଧରି ଏମଭି ଚେକିଂ ସହ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳନା ଆଦିର ଯାଞ୍ଚ କରିବା ନିମନ୍ତେ ବାହାରିଯାଇଥିଲେ । ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଚେକିଂ ଶେଷ କରି ରାତି ୮ ସମୟରେ ତକତପୁର-ଲକ୍ଷ୍ମୀପୋଷି ରାସ୍ତାର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟରେ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲେ । ରାତି ୮.୪୦ ସମୟରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦିଗରୁ ଓଡ଼ି ୧୧ଏସ ୧୩୫୮ ନମ୍ବର ବିଶିଷ୍ଟ ବାଇକରେ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୨ ସୁନାମୁହିଁ ଅଞ୍ଚଳର ବାଲୁକେଶ୍ୱର ସୋରେନଙ୍କ ପୁଅ ଦୁଖୀରାମ ସୋରେନ(୨୮) ପଛରେ ଜଣକୁ ବାସାଇ ଦୃତ ବେଗରେ ବାଇକ ଚଳାଇ ଆସୁଥିବା ସମୟରେ ଏସଆଇ ଦୟାନିଧି ଦାସ ବାଇକ ଅଟକାଇବା ନିମନ୍ତେ ସଙ୍କେତ ଦେଇଥିଲେ । ବାଇକ ଚାଳକ ଦୁଖୀରାମ କିଛିକ୍ଷଣ ନିମନ୍ତେ ବାଇକ ଅଟକାଇ ଏସଆଇ ଦୟାନିଧିଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ପରେ ଉଦ୍ଦେଶ୍ୟ  ମୂଳକ ଭାବେ ପୁଣି ବାଇକକୁ ଦୃତ ବେଗରେ ଚଳାଇ ଦୟାନିଧି ଦାସଙ୍କ ଉପରକୁ ଧସାଇ ମାଡ଼ିଯାଇଥିଲେ । ଫଳରେ ଦୟାନିଧିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସଂଗେସଂଗେ ଶରୀର ବିଭିନ୍ନ ଭାଗରେ ଗୁରୁତ୍ତର କ୍ଷତ ସୃଷ୍ଟି ହୋଇଥିଲା । ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ  ହୋଇଥିଲା । ବାରିପଦା ଟାଉନ ଥାନା ପୁଲିସ ଦୁଖୀରାମ ସୋରେନଙ୍କୁ ଧରି ଥାନାରେ ଅଟକ ରଖିଥିବା ବେଳେ ଚଳାଉଥିବା ବାଇକକୁ ମଧ୍ୟ ଜବତ କରିଥିଲେ । ଏଥି ସହିତ ଏସଆଇ ରଞ୍ଜନ କୁମାର ବେହେରାଙ୍କ ଅଭିଯୋଗ କ୍ରମେ ଦୁଖୀରାମଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଆଇପିସି ଧାରା ୩୦୨ ଓ କେଶ ନଂ ୩୫୩/୨୦୧୯ରେ ମାମଲା ରୁଜୁ କରାଯାଇଥିଲା ଏବଂ ଦୟାନିଧି ଦାସଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲକୁ ପଠାଇ ଦିଆଯାଇଥିଲା ସୋମବାର ରାତିରେ ଖବରପାଇ ଦୟାନିଧିଙ୍କ ସ୍ତ୍ରୀ  ହସପିଟାଲ ପରିସରରେ ପହଁଞ୍ଚି "ଭିଆରଏସ ନିମନ୍ତେ ଆବେଦନ କରିଥିଲେ । ତାଙ୍କୁ ବୁଢ଼ା ବୟସରେ ଏଣେତେଣେ ଖଟାଇ ଶେଷରେ ମାରିଦେଲେ" କହି କାନ୍ଧୁଥିବାର ଦେଖିବାକୁ ମିଳିଥିଲା । ଖବରପାଇ ଏସପି ସ୍ମିଥ ପି. ପରମାର, ବାରିପଦା ସଦର ଏସଡ଼ିପିଓ ଓ ଟାଉନଥାନା ଅଧିକାରୀ ପ୍ରମୁଖଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ହସପିଟାଲରେ ପହଁଞ୍ଚିଥିଲେ । 

               ମଙ୍ଗଳବାର ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ ଶେଷ ହେବାପରେ ଦୟାନିଧିଙ୍କ ମରଶରୀରକୁ ରିଜର୍ଭ ପୁଲିସ ପରିସରକୁ ନିଆଯାଇଥିଲା । ସେଠାରେ ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ ଏସପି ସ୍ମିଥ ପି ପରମାର, ଏଡ଼ିସନାଲ ଏସପି ଅଭିମନୁ୍ୟ ନାୟକ, ଡ଼ିଏସପି ସବିତା ମାଝି, ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରି, ହାବିଲଦାର ଓ କନେଷ୍ଟବଳ  ସଙ୍ଘ ସମ୍ପାଦକ ରଞ୍ଜନ କୁମାର ଗିରି ପ୍ରମୁଖଙ୍କ ଉପସ୍ଥିତିରେ ପୁଲିସ ବିଭାଗ ପକ୍ଷରୁ ଗାଡର଼୍ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ସମୟରେ ଓଡ଼ିଶା କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ ବାର ଆସୋସିଏସନର ସଭାପତି ଶାନ୍ତନୁ କୁମାର ଦାସ, ସ୍ୱରୂପ କୁମାର ମିଶ୍ର, ସୁଜାତା ମିଶ୍ର ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ, ଆଇନ ମୟୂରଭଞ୍ଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ଦୟାନିଧି ଦାସଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହାପରେ ତାଙ୍କର ପୁଅ ଓ ଭାଇ ଶବକୁ ଜନ୍ମମାଟି ବାଲେଶ୍ୱର ଜିଲ୍ଲା ରେମୁଣା ତାଳପଦା ଗ୍ରାମକୁ ନେଇ ସେଠାରେ ଅନ୍ତିମ ସଂସ୍କାର  କରାଯାଇଥିଲା । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼କ୍ରସରୁ ୧୦ ହଜାର ଟଙ୍କା ଏବଂ ଓଡ଼ିଶା ପୁଲିସ ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଦୟାନିଧି ଦାସଙ୍କ ପୁଅକୁ ପ୍ରଦାନ କରାଯାଇଥିଲା । 

 

0
0
0
s2sdefault