ହେଡଲାଇନସ୍:

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ନବ ଯୌବନ ବେଶ ଦର୍ଶନରେ ଉନ୍ମାଦିତ ଭକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-07-18-bari.jpg - 78.12 kB

ବାରିପଦା(ଦିଲ୍ଲୀପ ମହାନ୍ତି )-ସମଗ୍ର ସୃଷ୍ଟିର ଆଧାର ଜଗତକର୍ତ୍ତା ପରଂବ୍ରହ୍ମ ପରମାତ୍ମା ମହାପ୍ରଭୂ ଶ୍ରୀଜଗନ୍ନାଥ ଦାରୁ ବ୍ରହ୍ମ ରୂପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପ୍ରତ୍ୟେକ ଦିନ କିଛି ସମୟ ନିମନ୍ତେ ନିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମାନବ ଗହଣରେ ବିଜେ ହୋଇଥିବାରୁ ମାନବୀୟ ଲୀଳାରେ ତାଙ୍କର ଦୈନନ୍ଦିନ ନୀତି ଓ ପୂଜାର୍ଚ୍ଚନା ପରିଚାଳିତ ହୋଇଆସୁଛି । ପ୍ରାତଃ ସମୟର ନିଦ୍ରାଭଙ୍ଗଠାରୁ ଆରମ୍ଭ ହୋଇ ଦନ୍ତଶୋଧନ, ସ୍ନାନ, ଭୋଜନ ଆଦି ସମସ୍ତ ଆଙ୍ଗିକ କର୍ମଗୁଡ଼ିକ ସମ୍ପାଦିତ ହୋଇଥାଏ ରାତ୍ରି ବିଶ୍ରାମ ପର୍ଯ୍ୟନ୍ତ । ମହାପ୍ରଭୂଙ୍କ ଯାତ୍ରାମାନଙ୍କ ମଧ୍ୟରେ ସ୍ନାନଯାତ୍ରା ଆଦ୍ୟଯାତ୍ରା ଭାବେ ପାଳିତ ହୋଇଥାଏ । ସ୍ନାନଯାତ୍ରା ପରେ ମହାପ୍ରଭୂ ଅଣସର ଗୃହରେ ପ୍ରବେଶ କରିବା ପରେ ବାଉଁଶ ତାଟିର ଆବରଣ ମଧ୍ୟରେ ରହି ଗୋପନରେ ସମସ୍ତ ସେବାକର୍ମ ସମ୍ପନ୍ନ କରାଯାଇଥାଏ । ଷୋଡ଼ଶ ଦିବସରେ ମହାପ୍ରଭୂଙ୍କ ନେତ୍ରୋତ୍ସବ ପାଳିତ ହୋଇଥାଏ ଓ ଏହାକୁ ଦର୍ଶନଲାଭ କରୁଥିବା ଭକ୍ତମାନେ ଭବସାଗରରୁ ପାର ହୋଇ ଶ୍ରୀହରିଙ୍କର ଦେବଦୁର୍ଲଭ ସ୍ଥାନକୁ ଅର୍ଥାତ୍ ବୈକୁଣ୍ଠ ପ୍ରାପ୍ତି ହେଉଥିବାର ବିଶ୍ୱାସ କରାଯାଏ । 

        ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ  ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ରା ଓ ଭଉଣୀ ସୁଭଦ୍ରାଙ୍କ ସହିତ ଅଣସର ନୀତି ଗୁରୁବାର ସମାପନ ହୋଇଥିଲା । ଉକ୍ତ ଦିବସରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି ୭ରୁ ୯ ମଧ୍ୟରେ ଅଧିବାସ ନୀତି ସମ୍ପନ୍ନ ହୋଇଥିଲା । ଏହାର ପରବର୍ତ୍ତି ଦିନ ଅର୍ଥାତ୍ ଆଜି ଶୁକ୍ରବାର ପୂର୍ବାହ୍ନ ୬ଟା୧୦ରୁ ୭.୦୩ ମଧ୍ୟରେ ନେତ୍ରଲାଗି, ୧୦ଟାରୁ ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପୂଜା ସମାପନ ହୋଇଥିଲା । ସେହିପରି ଅପରାହ୍ନ ୫ରୁ ସନ୍ଧ୍ୟା ୭ ମଧ୍ୟରେ ଅବକାଶ ନୀତି ସହିତ ନେତ ବନ୍ଧନ ଆଦି ପୂଜାର୍ଚ୍ଚନା ହେବାପରେ ରାତ୍ରି ସାଢେ଼ ୭ରୁ ୧୧ଟା ମଧ୍ୟରେ ମହାପ୍ରଭୂ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଏହି ବେଶକୁ ଦର୍ଶନ କରିବା ନିମନ୍ତେ ଭକ୍ତମାନେ ମଧ୍ୟ ଚାତକପରି ଅନାଇବସିଥିଲେ ।  ସେହିପରି ଜୁଲାଇ ୧୪ ଶନିବାର ପୂର୍ବାହ୍ନ ୭ଟାରୁ ୧୦ଟା ମଧ୍ୟରେ କଳସ ସହିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପ୍ରତିଷ୍ଠା  ହେବା ପରେ ୧୧ଟା ମଧ୍ୟରେ ଶ୍ରୀଶ୍ରୀମା ଅମ୍ବିକାଠାକୁରାଣୀଙ୍କ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ ସମ୍ପନ୍ନ ହେବ । ଅପରାହ୍ନ ୩ରୁ୪ଟା ମଧ୍ୟରେ ଚକାଛଡ଼ା, ୪ଟାରୁ ସାଢେ଼୪ଟା ମଧ୍ୟରେ ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମାପନ ହେବା ପରେପରେ ମହାପ୍ରଭୂମାନଙ୍କୁ ଗୋଟି ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହେବେ । ରଥଖଳାରେ ରଥାରୂଢ଼ ହୋଇ ସାରାରାତି ରହିବା ପରେ ଜୁଲାଇ ୧୫ରେ ରଥଟଚ୍ଚା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଆରମ୍ଭ ହେବ ।

 

0
0
0
s2sdefault